ରାହୁଲଙ୍କ ଅପେକ୍ଷା ପ୍ରିୟଙ୍କା ଅଧିକ ଲୋକପ୍ରିୟ

196

ଭୁବନେଶ୍ୱର: ରାଜସ୍ଥାନରେ ରାହୁଲଙ୍କ ଅପେକ୍ଷା ପ୍ରିୟଙ୍କା ଗାନ୍ଧୀଙ୍କୁ ଅଧିକ ଆଗକୁ ଆଣୁଛି କଂଗ୍ରେସ। ଯାହାକୁ ନେଇ ଭିନ୍ନ ଭିନ୍ନ ରାଜନୈତିକ ଆକଳନ କରାଯାଉଛି। ରାଜସ୍ଥାନରେ ହେଭିୱେଟ ଫାଇଟ ହେଉଥିବା ବେଳେ ସରକାରକୁ ରିପିଟ କରିବା ପାଇଁ କଂଗ୍ରେସ ଜୋରଦାର ଉଦ୍ୟମ କରୁଛି। ଏଭଳି ସ୍ଥିତିରେ ପ୍ରିୟଙ୍କାଙ୍କ ଚେହେରାକୁ ଆଗକୁ ଆଣିଛି ଦଳ। ଗତ କିଛି ଦିନ ମଧ୍ୟରେ ପ୍ରିୟଙ୍କା ଦୁଇଥର ରାଜସ୍ଥାନ ଗସ୍ତ କରି ବିଶାଳ ସଭାକୁ ସମ୍ବୋଧିତ କରିଥିବା ବେଳେ ଆଜି ଝୁନଝୁନୁରେ ଏକ ବିଶାଳ ସଭାକୁ ସମ୍ବୋଧିତ କରିଛନ୍ତି।

ଏହି ଅବସରରେ ପ୍ରିୟଙ୍କା ପ୍ରତ୍ୟେକ ଗୃହିଣୀଙ୍କୁ ସ୍ବତନ୍ତ୍ର ଅର୍ଥରାଶି ସହ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଦେଵା ପ୍ରସଙ୍ଗ ଉଠାଇଛନ୍ତି। ସରକାର ଗଢିବା ପରେ ପରେ ତୁରନ୍ତ ଏହି ରାଶି ଦିଆଯିବ ବୋଲି କୁହାଯାଇଛି। ସେହିପରି ଏକ କୋଟିରୁ ଅଧିକ ପରିବାରକୁ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଦିଆଯିବ। ରାଜସ୍ଥାନର ଗେହଲୋଟ ସରକାର ୭୬ ଲକ୍ଷ ପରିବାରକୁ ଗ୍ୟାସ ସିଲିଣ୍ଡର ୫୦୦ ଟଙ୍କାରେ ଦେଉଛନ୍ତି। ଏହାକୁ ବଢ଼ାଯିବ ବୋଲି କୁହାଯାଇଛି।

ମହିଳା ସଂରକ୍ଷଣ, ବେରୋଜଗାର ଓ ଅଗ୍ନିବୀର ଯୋଜନାକୁ ନେଇ ବିଜେପି ଉପରେ ଜୋରଦାର ବର୍ଷିଛନ୍ତି ପ୍ରିୟଙ୍କା। ଏପରିକି ବିଜେପିର ସବୁ ପ୍ରତିଶ୍ରୁତି ମିଛ ବୋଲି ସଭାରେ କହିଛନ୍ତି। ପ୍ରିୟଙ୍କାଙ୍କୁ ରାହୁଲଙ୍କ ଅପେକ୍ଷା କାହିଁକି ଅଧିକ ପ୍ରଚାରରେ ଦେଖିବାକୁ ମିଳୁଛି ତାକୁ ନେଇ ଆଲୋଚନା ଜୋର ଧରିଛି। ଏପରିକି କେବଳ ରାଜସ୍ଥାନ ନୁହେଁ ଅନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ ଫୋକସରେ ପ୍ରିୟଙ୍କା ରହିଛନ୍ତି। ପୂର୍ବରୁ କଂଗ୍ରେସ ଜିତିଥିବା ହିମାଚଳ ପ୍ରଦେଶ ଓ କର୍ଣ୍ଣାଟକରେ ମଧ୍ୟ ପ୍ରିୟଙ୍କାଙ୍କ ଯାଦୁ ଦେଖିବାକୁ ମିଳିଥିଲା। ହିମାଚଳରେ କେବଳ ପ୍ରିୟଙ୍କାଙ୍କ ଦମରେ କଂଗ୍ରେସ ଭଲ ପ୍ରଦର୍ଶନ କଲା ବୋଲି ଆଲୋଚନା ହୁଏ।

ନିର୍ବାଚନ ପ୍ରଚାରରେ ପ୍ରିୟଙ୍କା ଲୋକଙ୍କ ପ୍ରସଙ୍ଗକୁ ଅସ୍ତ୍ର କରିଥାନ୍ତି। ଯାହାକି ସାଧାରଣ ଲୋକଙ୍କୁ ଛୁଉଁଥିବା ଦେଖାଯାଏ। ଏପରିକି ତାଙ୍କ ବ୍ୟକ୍ତିତ୍ୱ ଓ କଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହ ମିଶେ। ତେଣୁ ଏହାକୁ ପ୍ରିୟଙ୍କାଙ୍କର ଏକ ଶକ୍ତିଶାଳୀ ଦିଗ ଭାବେ ଚର୍ଚ୍ଚା ହୁଏ। ତେଣୁ ରାଜସ୍ଥାନରେ ପ୍ରିୟଙ୍କାଙ୍କ ପ୍ରଚାର ଦଳକୁ କେତେ ଲାଭଦାୟୀ ହେବ ତାକୁ ନେଇ ଆଲୋଚନା ଜୋର ଧରିଛି।

Comments are closed, but trackbacks and pingbacks are open.