ଭାରତ ଯୋଡ଼ ଯାତ୍ରାରେ ସାମିଲ ହେବେ ପ୍ରିୟଙ୍ଗା

33

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ‘ଭାରତ ଯୋଡ଼ ଯାତ୍ରା’ ଆସନ୍ତାକାଲି ମଧ୍ୟପ୍ରଦେଶରେ ପ୍ରବେଶ କରିବ । ମଧ୍ୟପ୍ରଦେଶରେ ରାହୁଲଙ୍କ ସହ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଥମ ଥର ପାଇଁ ଯାତ୍ରାରେ ସାମିଲ ହେବେ । ମଙ୍ଗଳବାର କଂଗ୍ରେସ ମହାସଚିବ ଜୟରାମ ରମେଶ ଏକ ଟ୍ୱିଟ୍‌କରି ପ୍ରିୟଙ୍କା ଗାନ୍ଧୀଙ୍କ ଯାତ୍ରାରେ ସାମିଲ ହେବା ସୂଚନା ଦେଇଛନ୍ତି । ସେ କହିଛନ୍ତି, ପ୍ରିୟଙ୍କା ମଧ୍ୟପ୍ରଦେଶରେ ଚାରିଦିନ ପାଇଁ ଭାରତ ଯୋଡ଼ ଯାତ୍ରାରେ ସାମିଲ ହେବେ । ଟ୍ୱିଟ୍‌ରେ ରମେଶ ଦର୍ଶାଇଛନ୍ତି, ଆଜି ଯାତ୍ରାର ବିଶ୍ରାମ ଦିନ । ଆସନ୍ତାକାଲି ଯାତ୍ରା ବୁରହାନୁପୁର ନିକଟରେ ମଧ୍ୟପ୍ରଦେଶରେ ପ୍ରବେଶ କରିବ । ମିଡିଆ ରିପୋର୍ଟ୍ସ ଅନୁସାରେ ପ୍ରିୟଙ୍କା ନଭେମ୍ବର ୨୩ରେ ମଧ୍ୟପ୍ରଦେଶରେ ପହଞ୍ଚିବା ପରେ ୨୪ ତାରିଖରେ ଯାତ୍ରାରେ ଯୋଗଦେବେ । ଭାରତ ଯୋଡ଼ ଯାତ୍ରା ପ୍ରାୟ ୧୩ ଦିନରେ ମଧ୍ୟପ୍ରଦେଶ ଅତିକ୍ରମ କରିବ । ଏହି ଅବସରରେ ଯଥାକ୍ରମେ ବୁରହାନ୍‌ପୁର, ଖରଗୋନ୍‌, ଇନ୍ଦୋର, ଖଣ୍ଡୱା ଏବଂ ଉଜୈନ ପରି ଅତିକମ୍‌ରେ ପାଞ୍ଚିଟି ଜିଲ୍ଲା କଭର୍ କରିବ । ଯାତ୍ରାର ମାର୍ଗ ପୂର୍ବରୁ ସ୍ଥିର ହୋଇସାରିଥିବା ବେଳେ ପ୍ରତିଦିନ ୨୫-୨୬ କିମି ଅତିକ୍ରମ କରିବ । ରାହୁଲ ଗାନ୍ଧୀ ଖଣ୍ଡୱାର ଓଁକାରେଶ୍ୱର ମନ୍ଦିର ଏବଂ ଉଜୈନର ମହାକାଳେଶ୍ୱର ମନ୍ଦିରରେ ଦର୍ଶନ ମଧ୍ୟ କରିବେ । ଯାତ୍ରା ଅବସରରେ ରାହୁଲ ଗାନ୍ଧୀ ବିଆର୍ ଆମ୍ବେଦକର ଏବଂ ତାନ୍ତିଆ ମାମାଙ୍କ ଜନ୍ମସ୍ଥଳୀକୁ ଯାଇ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବେ । ଏହି ଅବସରରେ କଂଗ୍ରେସ ଉଜୈନରେ ଏକ ସାର୍ବଜନୀନ ରାଲି ଏବଂ ଏକ ମେଗା ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ୨୯ ତାରିଖରେ ରାହୁଲ ଗାନ୍ଧୀ ଇନ୍ଦୋରରେ ଏକ ପ୍ରେସ୍ କନ୍‌ଫରେନ୍ସ କରିବେ ।

Comments are closed, but trackbacks and pingbacks are open.