ପ୍ରଧାନମନ୍ତ୍ରୀଙ୍କ “ପୂର୍ବୋଦୟ” କଳ୍ପନା :ଢେଙ୍କାନାଳ ରେ ହେବ ତୈଳ ଟର୍ମିନାଲ “କମନ୍‌ ୟୁଜର୍ ପେଟ୍ରୋଲିୟମ ଫାସିଲିଟି’

27

“କମନ୍‌ ୟୁଜର୍ ପେଟ୍ରୋଲିୟମ ଫାସିଲିଟି’ରେ ନିର୍ମାଣ ହେବାକୁ ଥିବା ତୈଳ ଟର୍ମିନାଲ ଆଗାମୀ ୩୦ ରୁ ୪୦ ବର୍ଷ ପର୍ଯ୍ୟନ୍ତ ଢ଼େଙ୍କାନାଳର ବଢ଼ୁଥିବା ଶିଳ୍ପାୟନରେ ବଡ଼ ଭୂମିକା ନେବା ସହ ଏହି ପ୍ରକଳ୍ପ ଅବିଭକ୍ତ ଢ଼େଙ୍କାନାଳ ଜିଲ୍ଲା ସମେତ ଅନୁଗୁଳ, ଦେବଗଡ଼, କେନ୍ଦୁଝର ଓ ପଶ୍ଚିମ ଓଡ଼ିଶାରେ ପେଟ୍ରୋଲିୟମ ସାମଗ୍ରୀ ଚାହିଦାକୁ ପୂରଣ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସେହିପରି ପାରାଦୀପ ଧାମରାରୁ ତାଳଚେର ପର୍ଯ୍ୟନ୍ତ ଜଳପଥ ହେବ ଏବଂ ଏହି ପଥରେ ଷ୍ଟିମର ଚାଲିବା ନେଇ ମଧ୍ୟ ଭାରତ ସରକାରଙ୍କ ଯୋଜନା ରହିଥିବା ଶ୍ରୀ ପ୍ରଧାନ କହିଛନ୍ତି । ଏହି “କମନ୍ ୟୁଜର୍ ପେଟ୍ରୋଲିୟମ ଫାସିଲିଟିର” ଭୂମିପୂଜନ କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ ଭିଡିଓ କନଫରେନ୍ସିଂରେ ଉପସ୍ଥିତ ରହିଥିବା ବେଳେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମେଶ୍ୱର ତେଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ସ୍ୱଚ୍ଛ ଇନ୍ଧନକୁ ପ୍ରୋତ୍ସାହନ ଦେବା ପାଇଁ ବିପୁଳ ପୁଞ୍ଜିନିବେଶ କରୁଛନ୍ତି । ଢ଼େଙ୍କାନାଳ, ଅନୁଗୁଳ, ଦେବଗଡ଼, କେନ୍ଦୁଝର ଜିଲ୍ଲା ଗୁଡ଼ିକ ଖଣିଜ ପଦାର୍ଥରେ ପରିପୂର୍ଣ୍ଣ । ଆଗାମୀ ୨ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଶିଳ୍ପ କମ୍ପାନୀ ଦ୍ୱାରା ପରିବହନ ହେଉଥିବା ଟ୍ରକ ଗୁଡିକ ବିଭିନ୍ନ ଷ୍ଟେସନରୁ ପେଟ୍ରୋଲିୟମଜାତ ସାମଗ୍ରୀ ଏବଂ ଇଥାନଲ, ଏଲଏନଜି ନେବାରେ ସହଜ ହେବ । ଏହା ଦ୍ୱାରା ସ୍ଥାନୀୟ ଅଂଚଳରେ ଶିଳ୍ପାୟନର ସାମଗ୍ରିକ ବିକାଶରେ ବଡ଼ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ “ପୂର୍ବୋଦୟ” କଳ୍ପନା ରେ ବିପିସିଏଲ ନେତୃତ୍ୱରେ ହେବାକୁ ଥିବା ଏହି ୩୯୫ କୋଟି ଟଙ୍କାର ପ୍ରକଳ୍ପ ୩ଟି ତୈଳ ବିପଣନ କମ୍ପାନୀ ଯଥା ଇଣ୍ଡିଆନ ଅଏଲ, ବିପିସିଏଲ, ଏଚପିସିଏଲ ବ୍ୟବହାର କରିବେ । ଏଠାରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ୪୨ ହଜାର କିଲୋ ଲିଟର କ୍ଷମତା ବିଶିଷ୍ଟ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଷ୍ଟୋରେଜ୍ ଡ଼ିପୋ ବା ତୈଳ ଟର୍ମିନାଲ ନିର୍ମାଣ କରାଯିବ । ୫୦ ଏକର ପରିମିତ ଜମିରେ ନିର୍ମାଣ ହେବାକୁ ଥିବା ଏହି ତୈଳ ଡିପୋରେ ପେଟ୍ରୋଲ, ଡ଼ିଜେଲ, ଇଥାନଲ ଏବଂ ବାୟୋ ଡ଼ିଜେଲ ସଂରକ୍ଷିତ ରଖିବା ସହ ଆଖପାଖ ଜିଲ୍ଲାରେ ଯୋଗାଣ କରାଯିବ ।
ଇଣ୍ଡିଆନ ଅଏଲର ପାରାଦୀପ-ରାଂଚି -ରାୟପୁର ପାଇପଲାଇନରୁ ୧୯ କିମି ଦୂରରୁ ଏହି ‘କମନ୍ ୟୁଜର ଫାସିଲିଟି’ ସହ ସଂଯୋଗ କରାଯାଇ ପେଟ୍ରୋଲିୟମ ସାମଗ୍ରୀ ଯୋଗାଇ ଦିଆଯିବ ।
ବିପିସିଏଲ ଦ୍ୱାରା ୧୬୦୦ କୋଟି ଟଙ୍କା ବ୍ୟୟରେ ଓଡ଼ିଶାର ବରଗଡ଼ ଜିଲ୍ଲାରେ ଭାରତର ପ୍ରଥମ ୨ଜି ଇଥାନଲ୍ ବାୟୋ ରିଫାଇନାରୀ ପ୍ଲାଂଟ୍ ନିର୍ମାଣ କରାଯାଉଛି । ଏଠାରେ ଦୈନିକ ୪୦୦ ମେଟ୍ରିକ୍ ଟନ ଜୈବିକ ବସ୍ତରୁ ଦୈନିକ ୨୦୦ କିଲୋ ଲିଟର ଇଥାନଲ ଉତ୍ପାଦନ କରାଯିବ । ଏହା ୨୦୨୩ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରଖାଯାଇଛି । ବର୍ତମାନ ଭାରତ ଆମେରିକା ଏବଂ ଚୀନ ପରେ ତୃତୀୟ ଉର୍ଜା ବ୍ୟବହାରକାରୀ ରାଷ୍ଟ୍ର । ୨୦୩୦ ସୁଦ୍ଧା ଭାରତ ବିଶ୍ୱରେ ଉର୍ଜା ବ୍ୟବହାରରେ ଶୀର୍ଷ ସ୍ଥାନରେ ରହିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଏହି କାର୍ଯକ୍ରମରେ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ, ହିନ୍ଦୋଳ ବିଧାୟକା ଶ୍ରୀମତି ସୀମାରାଣୀ ନାୟକ, ବିପିସିଏଲର ଚେୟାରମ୍ୟାନ ଏବଂ ମ୍ୟାନେଜିଙ୍ଗ୍ ଡାଇରେକ୍ଟର ଶ୍ରୀ କେ. ପଦ୍ମାକର, ବିପିସିଲର ମାର୍କେଟିଂ ଡାଇରେକ୍ଟର ଶ୍ରୀ ଅରୁଣ କୁମାର ସିଂହ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.