ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଝାରସୁଗୁଡାଠାରେ 50,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରି ସେଠାରେ ଉପସ୍ଥିତ ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ, ବର୍ତ୍ତମାନ ନବରାତ୍ରି ପର୍ବ ପାଳନ କରାଯାଉଛି । ଏହି ପବିତ୍ର ଦିନରେ ମା’ ସମଲେଇ ଏବଂ ମା’ ରାମଚଣ୍ଡୀଙ୍କ ପବିତ୍ର ଭୂମିକୁ ଆସିବା ଏବଂ ଆଜିର କାର୍ଯ୍ୟକ୍ରମରେ ସମବେତ ଲୋକମାନଙ୍କୁ ଭେଟିବାର ସୌଭାଗ୍ୟ ତାଙ୍କୁ ମିଳିଛି। ସେ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ମା’ ଏବଂ ଭଉଣୀଙ୍କ ଉପସ୍ଥିତି ବିଷୟରେ ଉଲ୍ଲେଖ କରି କହିଥିଲେ, ସେମାନଙ୍କର ଆଶୀର୍ବାଦ ହିଁ ଶକ୍ତିର ପ୍ରକୃତ ଉତ୍ସ। ଏହି ଅବସରରେ ସବୁ ଲୋକମାନଙ୍କୁ ସେ ପ୍ରଣାମ ଜଣାଇଥିଲେ। ଶ୍ରୀ ମୋଦୀ କହିଥିଲେ, ଦେଢ଼ ବର୍ଷ ପୂର୍ବେ ବିଧାନସଭା ନିର୍ବାଚନ ସମୟରେ, ଓଡ଼ିଶାବାସୀ ନୂତନ ପ୍ରତିବଦ୍ଧତା ସହିତ ଏକ ବିକଶିତ ଓଡ଼ିଶା ଆଡ଼କୁ ଆଗକୁ ବଢ଼ିବାକୁ ସଂକଳ୍ପ ନେଇଥିଲେ। ଆଜି କେନ୍ଦ୍ର ଏବଂ ରାଜ୍ୟରେ ସେମାନଙ୍କ ସରକାରଙ୍କ ବିକାଶ ଧାରା ସହିତ ଓଡ଼ିଶା ଦ୍ରୁତ ଗତିରେ ପ୍ରଗତି କରୁଛି। ସେ ଓଡ଼ିଶା ଏବଂ ଦେଶର ବିକାଶ ପାଇଁ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ ବିଷୟରେ ଘୋଷଣା କରିଥିଲେ। ଶ୍ରୀ ମୋଦୀ ବିଏସଏନଏଲର ନୂତନ ଅବତାର ଉନ୍ମୋଚନ କରି ଏହାର ସ୍ୱଦେଶୀ 4ଜି ସେବାର ଶୁଭାରମ୍ଭ କରିଥିଲେ। ସେ କହିଥିଲେ, ଆଜି ବିଭିନ୍ନ ରାଜ୍ୟରେ ଆଇଆଇଟିର ବିସ୍ତାର ମଧ୍ୟ ଆରମ୍ଭ ହେଉଛି। ଏହା ସହିତ, ଓଡ଼ିଶାରେ ଶିକ୍ଷା, ଦକ୍ଷତା ବିକାଶ ଏବଂ ଯୋଗାଯୋଗ ସହିତ ଜଡିତ ଅନେକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ ଉପରେ ସେ ଆଲୋକପାତ କରିଥିଲେ। ବ୍ରହ୍ମପୁରରୁ ସୁରଟ ପର୍ଯ୍ୟନ୍ତ ଆଧୁନିକ ଅମୃତ ଭାରତ ଟ୍ରେନକୁ ପତାକା ଦେଖାଇ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଥିଲେ। ଏହି ଟ୍ରେନ ସ୍ଥାନୀୟ ଲୋକଙ୍କ ପାଇଁ ବ୍ୟାପକ ଲାଭ ଆଣି ଦେବ। କେନ୍ଦ୍ର ରେଳ, ସୂଚନା ଏବଂ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଗୁଜରାଟର ସୁରଟରୁ ଆଭାସୀ ମାଧ୍ୟମରେ ଏହି ସମାରୋହରେ ଯୋଗ ଦେଇଥିବା ଶ୍ରୀ ମୋଦୀ କହିଥିଲେ । ଏହି ସମସ୍ତ ବିକାଶମୂଳକ ପଦକ୍ଷେପ ପାଇଁ ସେ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଆମ ସରକାର ଗରିବଙ୍କ ସେବା ଏବଂ ସଶକ୍ତୀକରଣ ପାଇଁ ସଂକଳ୍ପବଦ୍ଧ। ବଞ୍ଚିତ, ପଛୁଆ ବର୍ଗ ଏବଂ ଆଦିବାସୀ ସମ୍ପ୍ରଦାୟ ସମେତ ଅବହେଳିତ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବା ଉପରେ ଆମେ ଧ୍ୟାନ ଦେଉଛୁ । ଆଜିର କାର୍ଯ୍ୟକ୍ରମ ଏହି ପ୍ରତିବଦ୍ଧତାର ପ୍ରମାଣ ବୋଲି ସେ କହିଥିଲେ । ଶ୍ରୀ ମୋଦୀ ଆହୁରି କହିଥିଲେ, ଅନ୍ତ୍ୟୋଦୟ ଗୃହ ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିବାର ସୁଯୋଗ ତାଙ୍କୁ ମିଳିଛି। ଯେତେବେଳେ ଏକ ଗରିବ ପରିବାର ପକ୍କା ଘର ପାଏ, ଏହା କେବଳ ସେମାନଙ୍କର ବର୍ତ୍ତମାନ ନୁହେଁ ବରଂ ଭବିଷ୍ୟତ ପିଢ଼ିକୁ ମଧ୍ୟ ପରିବର୍ତ୍ତନ କରିଥାଏ। ତାଙ୍କ ସରକାର ସାରା ଦେଶରେ ଗରିବ ପରିବାରକୁ ଚାରି କୋଟିରୁ ଅଧିକ ପକ୍କା ଘର ଯୋଗାଇ ଦେଇସାରିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ଓଡ଼ିଶାରେ ହଜାର ହଜାର ଘର ଦ୍ରୁତ ଗତିରେ ନିର୍ମାଣ କରାଯାଉଛି । ଏହି କ୍ରମରେ ସେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଏବଂ ତାଙ୍କ ସହଯୋଗୀମାନଙ୍କର ଉଲ୍ଲେଖନୀୟ ପ୍ରୟାସକୁ ପ୍ରଶଂସା କରିଥିଲେ । ଆଜି ପ୍ରାୟ ପଚାଶ ହଜାର ପରିବାର ନୂତନ ଘର ପାଇଁ ଅନୁମୋଦନ ପାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ସେ କହିଥିଲେ, ପିଏମ ଜନମନ ଯୋଜନା ଅଧୀନରେ, ଓଡ଼ିଶାରେ ଆଦିବାସୀ ପରିବାର ପାଇଁ ଚାଳିଶ ହଜାରରୁ ଅଧିକ ଘର ମଞ୍ଜୁର କରାଯାଇଛି। ଏହା ଆଦିବାସୀମାନଙ୍କ ମଧ୍ୟରୁ ସବୁଠାରୁ ଅବହେଳିତଙ୍କ ଏକ ପ୍ରମୁଖ ଆକାଂକ୍ଷା ପୂରଣ କରିଛି। ସେ ସମସ୍ତ ହିତାଧିକାରୀ ପରିବାରଙ୍କୁ ଶୁଭକାମନା ଜଣାଇଥିଲେ ।
Comments are closed, but trackbacks and pingbacks are open.