ଏସିଆନ୍ ଗେମ୍ସ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ

24

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସିଆନ୍ ଗେମ୍ସ ୨୦୨୬ର ପଦକ ବିଜେତା ଭାରତୀୟ ଖେଳାଳିମାନଙ୍କୁ ଭେଟିଛନ୍ତି। ଏହି ସ୍ୱତନ୍ତ୍ର ଅବସରରେ ଭାରତୀୟ ହକି ଦଳ ପ୍ରଧାନମନ୍ତ୍ରୀଙ୍କୁ ‘ହକି ଷ୍ଟିକ୍’ ଏବଂ ‘ଜର୍ସି’ ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭିୟ, କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ରାଜ୍ୟ ମନ୍ତ୍ରୀ ରକ୍ଷା ଖଡ଼ସେ ଏବଂ ଭାରତୀୟ ଅଲିମ୍ପିକ୍ ସଂଘର ସଭାପତି ପି.ଟି. ଉଷା ମଧ୍ୟ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଜାପାନର ଆଇଚି-ନାଗୋୟାରେ ଆୟୋଜିତ ଏସିଆନ୍ ଗେମ୍ସ ୨୦୨୬ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଭାରତୀୟ କ୍ରିକେଟ୍ ଦଳକୁ ମଧ୍ୟ ଭେଟି ସମ୍ମାନିତ କରିଛନ୍ତି। ଏଥିସହିତ ସେ ଦେଶର କୁସ୍ତିଯୋଦ୍ଧା, ତୀରନ୍ଦାଜ, ଅନ୍ୟାନ୍ୟ ପଦକ ବିଜେତା ଏବଂ ସେମାନଙ୍କ ସହଯୋଗୀ ଷ୍ଟାଫ୍‌ ମାନଙ୍କୁ ମଧ୍ୟ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଚଳିତ ଏସିଆନ୍ ଗେମ୍ସ ୨୦୨୬ରେ ଭାରତ ଚମତ୍କାର ପ୍ରଦର୍ଶନ କରି ମୋଟ ୮୫ଟି ପଦକ (୨୧ଟି ସ୍ୱର୍ଣ୍ଣ, ୨୭ଟି ରୌପ୍ୟ ଓ ୩୭ଟି ବ୍ରୋଞ୍ଜ) ଅର୍ଜନ ପୂର୍ବକ ପ୍ରତିଯୋଗିତାରେ ଚତୁର୍ଥ ସ୍ଥାନ ହାସଲ କରିଛି। ସୂଚନାଯୋଗ୍ୟ ଯେ, ଏହି ପଦକ ତାଲିକାରେ ଚୀନ୍ ୩୪୧ଟି ପଦକ ସହ ଶୀର୍ଷରେ ରହିଥିବା ବେଳେ, ଜାପାନ ୨୬୦ଟି ପଦକ ସହ ଦ୍ୱିତୀୟ ଏବଂ ଦକ୍ଷିଣ କୋରିଆ ୧୫୦ଟି ପଦକ ସହ ତୃତୀୟ ସ୍ଥାନରେ ରହିଛି।

Comments are closed, but trackbacks and pingbacks are open.