ଜି-୭ ଆଉଟରିଚ୍ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

184

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କନାନସ୍କିସରେ ଜି-୭ ଶିଖର ସମ୍ମିଳନୀର ଆଉଟରିଚ ଅଧିବେଶନରେ ଅଂଶଗ୍ରହଣ କରିଛନ୍ତି। ସେ ‘ଶକ୍ତି ସୁରକ୍ଷା: ପରିବର୍ତ୍ତିତ ବିଶ୍ୱରେ ଉପଲବ୍ଧତା ଓ ସୁଲଭତା ସୁନିଶ୍ଚିତ କରିବା ଲାଗି ବିବିଧକରଣ, ପ୍ରଯୁକ୍ତି ବିଦ୍ୟା ଏବଂ ଭିତ୍ତିଭୂମି’ ବିଷୟ ଉପରେ ଆୟୋଜିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ଏଥିସହିତ ଶ୍ରୀ ମୋଦୀ ତାଙ୍କ ନିମନ୍ତ୍ରଣ ପାଇଁ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କୁ ଧନ୍ୟବାଦ ଜଣାଇବା ସହିତ ଜି-୭ ଯାତ୍ରାର ୫୦ ବର୍ଷ ପୂରଣ ଅବସରରେ ଅଭିନନ୍ଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଗୁରୁତ୍ୱାରୋପ କରି କହିଥିଲେ ଯେ ଭବିଷ୍ୟତ ପିଢ଼ି ସମ୍ମୁଖୀନ ହେଉଥିବା ପ୍ରମୁଖ ଆହ୍ୱାନଗୁଡ଼ିକ ମଧ୍ୟରେ ଶକ୍ତି ସୁରକ୍ଷା ଅନ୍ୟତମ। ସମାବେଶୀ ଅଭିବୃଦ୍ଧି ପ୍ରତି ଭାରତର ପ୍ରତିବଦ୍ଧତା ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରି ସେ ଉଲ୍ଲେଖ କରିଥିଲେ ଯେ ଉପଲବ୍ଧତା, ପହଞ୍ଚ, ସୁଲଭତା ଏବଂ ଗ୍ରହଣୀୟତା ହେଉଛି ସେହି ନୀତି ଯାହା ଶକ୍ତି ସୁରକ୍ଷା ପ୍ରତି ଭାରତର ଆଭିମୁଖ୍ୟକୁ ସୁଦୃଢ଼ କରିଛି। ସେ ଆହୁରି ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ଯଦିଓ ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥବ୍ୟବସ୍ଥା, ତଥାପି ଏହା ସମୟ ପୂର୍ବରୁ ପ୍ୟାରିସ ପ୍ରତିଶ୍ରୁତିକୁ ସଫଳତାର ସହ ପୂରଣ କରିଛି। ଏକ ଦୀର୍ଘସ୍ଥାୟୀ ଓ ସବୁଜ ଭବିଷ୍ୟତ ପାଇଁ ଭାରତର ପ୍ରତିବଦ୍ଧତା ଉପରେ ଆଲୋକପାତ କରି ସେ ରେଖାଙ୍କିତ କରିଥିଲେ ଯେ ଭାରତ ଅନ୍ତର୍ଜାତୀୟ ସୌର ମେଣ୍ଟ, ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ପାଇଁ ମେଣ୍ଟ, ବିଶ୍ୱ ଜୈବ ଇନ୍ଧନ ମେଣ୍ଟ, ମିଶନ ଲାଇଫ୍‌ ଓ ଏକ ସୂର୍ଯ୍ୟ-ଏକ ବିଶ୍ୱ- ଏକ ଗ୍ରୀଡ୍‌ ଭଳି ଅନେକ ବିଶ୍ୱସ୍ତରୀୟ ପଦକ୍ଷେପ ଗ୍ରହଣ କରିଛି ଏବଂ ଏହାକୁ ଆହୁରି ସୁଦୃଢ଼ କରିବା ପାଇଁ ଅନ୍ତର୍ଜାତୀୟ ସମୁଦାୟକୁ ଆହ୍ୱାନ ଦେଇଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱର ବିଭିନ୍ନ ଭାଗରେ ଅନିଶ୍ଚିତତା ଏବଂ ସଂଘର୍ଷ ଗ୍ଲୋବାଲ୍‌ ସାଉଥ୍‌ ଦେଶଗୁଡ଼ିକ ଉପରେ ଦୁର୍ବଳ ପ୍ରଭାବ ପକାଇଛି ଏବଂ ବିଶ୍ୱ ସ୍ତରରେ ଏସବୁ ଦେଶର ସ୍ୱର ଉପସ୍ଥାପନ କରିବା ଭାରତ ନିଜର ଦାୟିତ୍ୱ ଭାବେ ଗ୍ରହଣ କରିଛି। ସେ ରେଖାଙ୍କିତ କରିଥିଲେ ଯେ ଯଦି ଅନ୍ତର୍ଜାତୀୟ ସମୁଦାୟ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଗମ୍ଭୀର, ତେବେ ଗ୍ଲୋବାଲ୍‌ ସାଉଥ୍ର ପ୍ରାଥମିକତା ଏବଂ ଚିନ୍ତାକୁ ବୁଝିବା ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ। ସୁରକ୍ଷା ଆହ୍ୱାନ ଉପରେ ଗୁରୁତ୍ୱ ଦେଇ ସେ ଆତଙ୍କବାଦ ବିରୋଧରେ ବିଶ୍ୱସ୍ତରୀୟ ଲଢ଼େଇକୁ ସୁଦୃଢ଼ କରିବା ଲାଗି ଦେଶଗୁଡ଼ିକୁ ଆହ୍ୱାନ କରିଥିଲେ।

Comments are closed, but trackbacks and pingbacks are open.