ରାଷ୍ଟ୍ରପତି ନିର୍ବାଚନ: ୨୫ ରେ ନାମାଙ୍କନପତ୍ର ଦାଖଲ କରିବେ ଦ୍ରୌପଦୀ ମୁର୍ମୁ

24

ଦେଶରେ ଆସନ୍ତା ଜୁଲାଇ ୧୮ ରେ ଅନୁଷ୍ଠିତ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ I ଗତ କାଲି ଏନଡିଏ ପକ୍ଷରୁ ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଛି I ଏହା ପୂର୍ବରୁ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ବିଜେପି ଦଳ ତରଫରୁ ଝାରଖଣ୍ଡ ରେ ରାଜ୍ୟପାଳ ରହିଥିଲେ I
ଅନ୍ୟପକ୍ଷରେ ମିଳିତ ବିରୋଧୀଦଳ ତରଫରରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛନ୍ତି। ନ୍ୟୁଜ୍ ଏଜେନ୍ସି ANI ସୂତ୍ରରୁ ପ୍ରକାଶ ଯେ ଦ୍ରୌପଦୀ ମୁର୍ମୁ ଜୁନ୍ ୨୫ ରେ ନାମାଙ୍କନ ପତ୍ର ଦାଖଲ କରିବେ I ସେହି ଅନୁସାରେ ବିଜେପି ର ସମସ୍ତ ବରିଷ୍ଠ ନେତାମାନଙ୍କୁ ଜୁନ୍ ୨୪ ଏବଂ ୨୫ ରେ ଦିଲ୍ଲୀରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ର ର ଶେଷ ତାରିଖ ହେଉଛି ଜୁନ୍ ୨୯ I
ଜୁଲାଇ ୧୮ ରେ ରାଷ୍ଟ୍ରପତି ମତଦାନ ପରେ ଜୁଲାଇ ୨୧ ରେ ଗଣନା କରାଯିବ I ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ହେବା ପରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁର ସ୍ଥିତ ବାସଭବନରେ ସାମ୍ବାଦିକମାନଙ୍କୁ କହିଛନ୍ତି, ମୁଁ ଆଶ୍ଚର୍ଯ୍ୟ ଏବଂ ଖୁସି। ମୟୂରଭଞ୍ଜ ଜିଲ୍ଲାର ଜଣେ ଆଦିବାସୀ ମହିଳା ଭାବରେ ମୁଁ ଏହି ପଦ ପାଇଁ ପ୍ରାର୍ଥୀ ହେବି ବୋଲି ମୁଁ କେବେ ଭାବି ନ ଥିଲି। ସେ କହିଛନ୍ତି ଦୀର୍ଘ ଦିନ ହେଲା ମୁଁ ରାଜନୀତିଠାରୁ ଦୂରରେ ରହିଛି, ଦେଶ ପାଇଁ କାମ କରିବାର ଅଛି। ସମ୍ବିଧାନର ସମସ୍ତ ନୀତିନିୟମ ପାଳନ କରିବି। ରାଷ୍ଟ୍ରପତିଙ୍କ ପାଇଁ ଯାହା ବ୍ୟବସ୍ଥା ରହିଛି ତାହା ସୂଚାରୁରୂପେ ସମ୍ପାଦନ କରିବି। ଦେଶର ଉନ୍ନତି ଓ ବିକାଶ ପାଇଁ ସବୁବେଳେ ପ୍ରୟାସ ଜାରି ରଖିବି। ରାଜ୍ୟପାଳ ଅଭିଜ୍ଞତାକୁ କାର୍ଯ୍ୟରେ ଲଗାଇବା ପାଇଁ ଚେଷ୍ଟା କରିବି। ”ଏହା ସହିତ ଶ୍ରୀମତୀ ମୁର୍ମୁ ଗଣମାଧ୍ୟମ କୁ ସୂଚନା ଦେଇ କହିଛନ୍ତି କି ସମର୍ଥନ ପାଇଁ ସେ ନିର୍ବାଚିତ ସମସ୍ତ ସଦସ୍ୟଙ୍କୁ ଭେଟିବେ।
ଓଡିଶାର ମୟୂରଭଞ୍ଜ ଜିଲ୍ଲାର ଏକ ଗରିବ ଆଦିବାସୀ ପରିବାରରେ ଜୁନ୍ ୨୦ , ୧୯୫୮ ରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜନ୍ମଗ୍ରହଣ କରିଥିଲେ, ଜୀବନ ରେ ଅନେକ ଝଡଝଞ୍ଜା ମଧ୍ୟରେ ସେ ନିଜର ଅଧ୍ୟୟନ ସମାପ୍ତ କରିଥିଲେ I କାଉନସିଲରରୁ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ବିଜୟ ହେଲେ ସେ ହେବେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି। ୧୯୯୭ରେ ରାଇରଙ୍ଗପୁରର କାଉନସିଲର ହୋଇଥିବା ଦ୍ରୌପଦୀ ଦେଶର ସବୋର୍ଚ୍ଚ ଆସନ ପାଇଁ ନାମାଙ୍କନ ଭରିବେ। ୨୦ ଜୁନ୍ ୧୯୫୮ରେ ମୟୁରଭଞ୍ଜ କୁସୁମୀ ବ୍ଲକର ଉପରବେଡ଼ା ଗାଁରେ ଜନ୍ମଗ୍ରହଣ କରିଥିଲେ ଦ୍ରୌପଦୀ। ଭୁବନେଶ୍ୱର ରମାଦେବୀ କଲେଜରୁ ୧୯୭୯ରେ ଗ୍ରାଜୁଏଟ୍ ଡିଗ୍ରୀ ହାସଲ କରିଥିଲେ । ପରେ ରାଜ୍ୟ ସରକାରଙ୍କ ଜଳ ସେଚନ ବିଭାଗରେ କନିଷ୍ଠ ସହାୟକ ଭାବେ ନିଯୁକ୍ତି ପାଇବା ପରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଆସିଷ୍ଟାଣ୍ଟ୍ ପ୍ରଫେସର ଭାବେ ଯୋଗ ଦେଇଥିଲେ । ୧୯୯୭ ମସିହାରେ କାଉନସିଲର ଭାବେ ନିର୍ବାଚନ ଲଢ଼ି ରାଇରଙ୍ଗପୁର ପୌର ପରିଷଦର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୦ ମସିହାରେ ପ୍ରଥମ ଥର ପାଇଁ ରାଇରଙ୍ଗପୁରରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ସେହିବର୍ଷ ତାଙ୍କୁ ମିଳିଥିଲା ମନ୍ତ୍ରୀ ପଦ । ଦୁଇ ଥର ବିଧାୟିକା ଓ ମନ୍ତ୍ରୀ ରହିବା ପରେ ଜଣେ ସକ୍ରିୟ ବିଜେପି କର୍ମୀ ଓ ଆଦିବାସୀ ଚେହେରା ଭାବେ ସାରା ରାଜ୍ୟରେ ପରିଚିତ ଥିଲେ ଦ୍ରୌପଦୀ । ତାଙ୍କୁ ପ୍ରଥମ ଥର ପାଇଁ ମହିଳା ଆଦିବାସୀ ରାଜ୍ୟପାଳ ଭାବେ ଝାଡ଼ଖଣ୍ଡ ଦାୟିତ୍ୱ ମିଳିଥିଲା। ୨୦୧୫ରୁ ୨୦୨୧ ପୁରା ୫ ବର୍ଷ ଯାଏଁ ସେ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ସେ କାର୍ଯ୍ୟ କରିଥିଲେ । ବ୍ୟାଙ୍କ ମ୍ୟାନେଜର ଶ୍ୟାମ ଚରଣ ମୁର୍ମୁଙ୍କୁ ବିବାହ କରିଥିବା ଦ୍ରୌପଦୀଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ତେବେ ତାଂକ ସ୍ୱାମୀ ଓ ଦୁଇ ପୁଅଙ୍କ ଦେହାନ୍ତ ହୋଇଥିବା ବେଳେ ଝିଅ ଇତିଶ୍ରୀ ମୁର୍ମୁ ରଗବୀ ଖେଳାଳି ଗଣେଶ ହେମ୍ରମଙ୍କୁ ବିବାହ କରିଛନ୍ତି।

Comments are closed, but trackbacks and pingbacks are open.