ବାଙ୍ଗିରିପୋଷିରେ ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି

102

ଭୁବନେଶ୍ବର: ମୟୂରଭଞ୍ଜ ବାଙ୍ଗିରିପୋଷିରେ ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁଡ଼ାମରା-ନ୍ୟୁଜାମଶୋଳା ପ୍ରକଳ୍ପ-ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଲାଇନ୍ ଆଦିବାସୀ ବହୁଳ ମୟୂରଭଞ୍ଜ ଓ କେନ୍ଦୁଝର ଜିଲାକୁ ସଂଯୋଗ କରିବ। ଯାହା ଖଣିବହୁଳ ଅନୁନ୍ନତ ଅଞ୍ଚଳରେ ଶିଳ୍ପ, ପର୍ୟ୍ୟଟନର ଅଭିବୃଦ୍ଧି ଘଟାଇବ। ୫ଦିନିଆ ଓଡ଼ିଶା ଗସ୍ତରେ ଆସି ଗତକାଲି ମୟୂରଭଞ୍ଜ ଆସିଥିଲେ ମହାମହିମ । ପ୍ରଥମ ଥର ପୈତୃକ ଗାଁ ଉପରବେଡା ଆସିଥିଲେ ଗାଁର ଝିଅ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଠାରେ କିଛି ସମୟ ବିତାଇବା ରାଇରଙ୍ଗପୁର ଆସି ଏସଏଲଏସ ଟ୍ରଷ୍ଟ ବୋର୍ଡ ତରଫରୁ ଏକ ଆମ୍ବୁଲାନ୍ସ ରାଇରଙ୍ଗପୁର ଡାକ୍ତରଖାନାକୁ ପ୍ରଦାନ କରିଥିଲେ । ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟକୁ ଆସି ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ ଛାତ୍ରୀଙ୍କ ସହ କଥା ହୋଇଥିଲେ । ପରେ ପୂର୍ଣ୍ଣେଶ୍ବର ମହାଦେବ ମନ୍ଦିରରେ ବିଶ୍ବର କଲ୍ୟାଣ ନିମନ୍ତେ ଆୟୋଜିତ ମହାରୁଦ୍ର ହୋମ ଯଜ୍ଞ ରେ ଯୋଗ ଦେଇଥିଲେ ।

Comments are closed, but trackbacks and pingbacks are open.