ଜୁଲାଇ ୨୬ରେ କଟକ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

29

ପୁଣି ଓଡିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ଆସନ୍ତା ଜୁଲାଇ ୨୬ ତାରିଖରେ କଟକ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ଏସ୍‌ସିବି ମେଡିକାଲ୍‌ କଲେଜ ଛାତ୍ର ସଂସଦର ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେବେ । ଏନେଇ ରାଷ୍ଟ୍ରପତି ଭବନ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରୁ ଆସିଥିବା ଚିଠି ଏସ୍‌ସିବି ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ହସ୍ତଗତ ହୋଇଛି ।

ଏସ୍‌ସିବିରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପ୍ରାୟ ସ୍ଥିର ହୋଇଥିବା ଜଣାପଡ଼ିବା ପରେ ପ୍ରଶାସନିକସ୍ତରରେ ତତ୍ପରତା ପ୍ରକାଶ ପାଇଛି । ଏଥିପାଇଁ ବୁଧବାର କଲେଜ ଅଧ୍ୟକ୍ଷକଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ବସିଥିଲା । ଏଥିରେ କଲେଜ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ପ୍ରସନଜିତ୍‌ ମହାନ୍ତିଙ୍କ ସହିତ ଅଣ୍ଡର ଗ୍ରାଜୁଏଟ୍‌ ସଂଘର ସଭାପତି, ସମ୍ପାଦକ ଏବଂ କଲେଜର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏସ୍‌ସିବିକୁ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଆସୁଥିବାରୁ କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ ଆୟୋଜନ କରିବା ଲାଗି ଛାତ୍ର ସଂସଦ ସହିତ ମେଡିକାଲ କଲେଜ୍‌ ଏବଂ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ପ୍ରସ୍ତୁତି ଚଳାଇଛନ୍ତି । ଏହି ଅବସରରେ କଲେଜ ଅଧ୍ୟକ୍ଷ ପ୍ରଫେସର ମହାନ୍ତି ଗୁରୁବାର ଏସ୍‌ସିବି କଲେଜ କାଉନ୍‌ସିଲ୍‌ ବୈଠକ ଡକାଇଛନ୍ତି । ଏଥିରେ ହସ୍ପିଟାଲ୍‌ ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗୀୟ ମୁଖ୍ୟମାନେ ଯୋଗଦେବେ ।

ଏସ୍‌ସିବି କାର୍ଯ୍ୟକ୍ରମ ପରେ ୨୭ ତାରିଖ ରାଷ୍ଟ୍ରପତି ଭଦ୍ରକ ଗସ୍ତ କରିବେ । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଐତିହ୍ୟ ସମ୍ପନ୍ନ ତଥା ଗୌରବମୟ ଶିକ୍ଷା ଅନୁଷ୍ଠାନର ହୀରକ ଜୟନ୍ତୀ ଉତ୍ସବକୁ ଉଦ୍‌ଘାଟନ କରିବାକୁ ସଦୟ ସୀକୃତି ପ୍ରଦାନ କରିଛନ୍ତି ବୋଲି ମହାବିଦ୍ୟାଳୟ ସୂତ୍ରରୁ ଜଣାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ନେଇ ଭଦ୍ରକ ମହାବିଦ୍ୟାଳୟ ଓ ପ୍ରଶାସନ ଚଳଚଞ୍ଚଳ ହୋଇପଡ଼ିଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁବୋଧ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବୁଧବାର ଜିଲ୍ଲାପାଳ ସିଦେ୍ଧଶ୍ୱର ବଳିରାମ ବୋନ୍ଦରଙ୍କ ସହ ଆଲୋଚନା କରିଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଜିଲ୍ଲାପାଳ ଓ ମହାବିଦ୍ୟାଳୟର ପ୍ରତିନିଧି ଦଳ ଗୁରୁତ୍ୱ ଦେଇଛନ୍ତି ।

Comments are closed, but trackbacks and pingbacks are open.