ଦୁଇଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

133

ଭୁବନେଶ୍ବର: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଶୃଙ୍ଖଳିତ କରିବା ପାଇଁ ଏହି ବୈଠକ ବସିଥିଲା। ସୂଚନା ଅନୁସାରେ ରାଷ୍ଟ୍ରପତି ଚଳିତ ଜୁଲାଇ ୧୪ ଓ ୧୫ ତାରିଖ ଦୁଇ ଦିନ ପାଇଁ ଓଡିଶା ଆସୁଛନ୍ତି। ରାଷ୍ଟ୍ରପତି ୧୪ ତାରିଖରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ସେହିଦିନ ସେ ଭୁବନେଶ୍ବରସ୍ଥିତ ଏମ୍ସ ର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଏହାପରେ ୧୫ ତାରିଖ ପୂର୍ବାହ୍ନରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ତ୍ରୟୋଦଶ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେ କଟକରେ ରେଭେନ୍ସା ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ। ସେଥିମଧ୍ୟରେ ରହିଛି ସେ କଟକ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟ ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ସେହିପରି ଅପରାହ୍ଣରେ ରାଷ୍ଟ୍ରପତି ମୁର୍ମୁ କଟକ ବିଜୁ ପଟ୍ଟନାୟକ ଛକ ସ୍ଥିତ ଶାରଳା ଭବନ ଯାଇ ଆଦିକବି ଶାରଳା ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏହାପରେ ସେ ଶାରଳା ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଆଦିକବି ଶାରଳା ଦାସଙ୍କ ୬୦୦ତମ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କଳିଙ୍ଗ ରତ୍ନ ପୁରସ୍କାର-୨୦୨୪’’ ପ୍ରଦାନ କରିବେ।

Comments are closed, but trackbacks and pingbacks are open.