ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

32

ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ଗସ୍ତର ଦ୍ବିତୀୟ ଦିନରେ ରାଷ୍ଟ୍ରପତି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସେ ସକାଳ ୯ଟା ୮ ମିନିଟ ସମୟରେ ରାଜଭବନରୁ ବାହାରି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପହଞ୍ଚିଥିଲେ। ଖାଲି ପାଦରେ ବିନ୍ଦୁସାଗର ନିକଟରୁ ଚାଲିଚାଲି ଯାଇଥିଲେ ରାଷ୍ଟ୍ରପତି। ମହାମହିମ ସକାଳେ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରି ମହାପ୍ରଭୁଙ୍କ ଆର୍ଶୀବାଦ ନେଇଛନ୍ତି । ତାଙ୍କର ସହିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଉପସ୍ଥିତ ଅଛନ୍ତି । ମନ୍ଦିରରେ ରାଷ୍ଟ୍ରପତି ପ୍ରଭୁ ଲିଙ୍ଗରାଜଙ୍କୁ ଜଳାଭିଷକ କରିବା ସହ ପ୍ରାୟ ୩୦ ମିନିଟ୍ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି । ସେଥିପାଇଁ ମନ୍ଦିରରେ ଅଧଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ । ମହିମହିମ ଗସ୍ତ ପାଇଁ ଏଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ସେପଟେ ମନ୍ଦିର ସମ୍ମୁଖରେ ତାଙ୍କୁ ସ୍ବାଗତ କରିବା ଲାଗି ଆଦିବାସୀ ନୃତ୍ୟ ଓ ବାଦ୍ୟର ଆସର ଜମିଥିଲା। ପୂଜାର୍ଚ୍ଚନା ସରି କିଛି ସମୟ ପାଇଁ ରାଷ୍ଟ୍ରପତି ସେମାନଙ୍କ ପାଖରେ ଅଟକିଥିଲେ। ଏହି ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଝିଅ ମଧ୍ୟ ଉପସ୍ଥିତ ଥିଲେ।

ମନ୍ଦିର କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡୁ ନିଯୋଗ ସଂପାଦକ କମଳାକାନ୍ତ ବଡୁଙ୍କୁ ରାଷ୍ଟ୍ରପତିଙ୍କ ଜଳାଭିଷେକ ଓ ପୂଜାର୍ଚ୍ଚନରେ ସହାୟତା କରିଥିଲେ। ଏହି ସମୟରେ ସେବାୟତଙ୍କ ପକ୍ଷରୁ ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରିୟ କୋଠ ଭୋଗ, ମୁଆଁ ଓ କୋରାଖଇ ଭେଟି ଦେଇଥିଲେ ସେବାୟତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏହି କାର୍ଯ୍ୟକ୍ରମ ସମୟରେ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ନିଜେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଓ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ବି ଉପସ୍ଥିତ ରହି ସୁରକ୍ଷା ଓ ଆନୁସାଙ୍ଗିକ ବ୍ୟବସ୍ଥାର ତଦାରଖ କରିଥିଲେ।

ତେବେ ଲିଙ୍ଗରାଜ ମନ୍ଦିରରୁ ବାହାରି ରାଷ୍ଟ୍ରପତି ବିମାନବନ୍ଦର ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେଲିକେପ୍ଟର ଯୋଗେ କଟକ ବିଦ୍ୟାଧରପୁର ଜାତୀୟ ଧାନ ଗବେଷଣା କେନ୍ଦ୍ର ଗସ୍ତ କରି ଧାନ ଗବେଷଣା କେନ୍ଦ୍ରରେ ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କରିବେ।

Comments are closed, but trackbacks and pingbacks are open.