ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି

253

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କଟକଠାରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଇଛନ୍ତି। ସମାରୋହରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି, ଏହି ଶିକ୍ଷାନୁଷ୍ଠାନ ସ୍ୱାଧୀନତା ସଂଗ୍ରାମର ଏକ ସକ୍ରିୟ କେନ୍ଦ୍ର ଥିଲା ଏବଂ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ଆନ୍ଦୋଳନ ସହିତ ଜଡିତ ଥିଲା। ଶିକ୍ଷାର ବିକାଶ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହି ଶିକ୍ଷାନୁଷ୍ଠାନ ନିରନ୍ତର ମୂଲ୍ୟବାନ ଯୋଗଦାନ ଦେଇ ଆସୁଛି। ଏହାର ଅନେକ ପୂର୍ବତନ ବିଦ୍ୟାର୍ଥୀ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ୍, ସାହିତ୍ୟିକ, ଦାର୍ଶନିକ, ରାଜନେତା, ସମାଜ ସଂସ୍କାରକ, ବୈଜ୍ଞାନିକ ଏବଂ କଳାକାର ଭାବରେ ଭାରତର ଗୌରବ ବୃଦ୍ଧି କରିଛନ୍ତି। ରେଭେନ୍ସା ବିଶ୍ୱବିଦ୍ୟାଳୟ ଗବେଷଣା, ନବସୃଜନ ଏବଂ ଅନ୍ତର୍ଭୁକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି କରୁଛି ବୋଲି ରାଷ୍ଟ୍ରପତି ଖୁସିର ସହ ଉଲ୍ଲେଖ କରିଥିଲେ। ଏହି ଅନୁଷ୍ଠାନ ପରାମର୍ଶ ସେବା ଏବଂ ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ମାଧ୍ୟମରେ ଅନେକ ଶିଳ୍ପ ଅଂଶୀଦାରଙ୍କ ନିକଟରେ ନିଜର ବିଶେଷଜ୍ଞତା ପହଞ୍ଚାଇଛି। ଏହାର ‘ଡିଜାଇନ, ନବସୃଜନ ଏବଂ ଉଦ୍ୟମିତା କେନ୍ଦ୍ର’ ବିଚାରବିମର୍ଶ, ଗବେଷଣା ଏବଂ ଉଦ୍ୟୋଗ ବିକାଶକୁ ପ୍ରୋତ୍ସାହନ ଦେଉଛି। ବିଶ୍ୱବିଦ୍ୟାଳୟ ଆଦିବାସୀ ଅଞ୍ଚଳ, ଅନୁନ୍ନତ ଗୋଷ୍ଠୀ ଏବଂ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ନାମଲେଖା ବୃଦ୍ଧି କରିବା ଉପରେ ଧ୍ୟାନ ଦେବା ସନ୍ତୋଷର ବିଷୟ ବୋଲି ସେ କହିଥିଲେ। ରାଷ୍ଟ୍ରପତି କହିଥିଲେ, ବର୍ତ୍ତମାନ ହେଉଛି ବିଜ୍ଞାନ ଓ ପ୍ରଯୁକ୍ତିର ଯୁଗ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମସିନ୍‌ ଲର୍ଣ୍ଣିଂ, ଥ୍ରୀଡି ପ୍ରିଣ୍ଟିଂ ଏବଂ କ୍ଲାଉଡ୍‌ କମ୍ପ୍ୟୁଟିଂ ଆମ ଚିନ୍ତାଧାରା ଏବଂ କାର୍ଯ୍ୟ ଶୈଳୀରେ ଏକ ବ୍ୟାପକ ପରିବର୍ତ୍ତନ ଆଣିଛି। ରେଭେନ୍ସା ଏହି ପ୍ରଯୁକ୍ତିର ଭଲ ବ୍ୟବହାର କରୁଛି ବୋଲି ଜାଣି ସେ ଖୁସି ହୋଇଥିଲେ। ଏସବୁ ଅତ୍ୟାଧୁନିକ ପ୍ରଯୁକ୍ତିର ଅପବ୍ୟବହାର ପ୍ରତି ସତର୍କ ରହିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଆମ ଦେଶ ବର୍ତ୍ତମାନ ଅମୃତ କାଳ ଦେଇ ଅଗ୍ରସର ହେଉଥିବା ରାଷ୍ଟ୍ରପତି କହିଥିଲେ। ସେ କହିଥିଲେ, ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଆମର ଜାତୀୟ ଲକ୍ଷ୍ୟ। ରାଷ୍ଟ୍ର ପ୍ରଥମ ଭାବନା ଆମର ସବୁଠୁ ବଡ଼ ସାମର୍ଥ୍ୟ। ଆମର ସୈନିକ, କୃଷକ, ବୈଜ୍ଞାନିକ, ଇଞ୍ଜିନିୟର, ଡାକ୍ତର ଏବଂ ବିଭିନ୍ନ କ୍ଷେତ୍ରରେ ସକ୍ରିୟ ଥିବା ଲୋକମାନେ ଭାରତର ଗୌରବ ବୃଦ୍ଧି ଭାବନା ନେଇ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ଠାରୁ ପ୍ରେରଣା ହାସଲ କରି ନିଜର ଜ୍ଞାନ, ଦକ୍ଷତା ଏବଂ ସମର୍ପଣ ଜରିଆରେ ଦେଶର ବିକାଶରେ ଯୋଗଦାନ କରିବାକୁ ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିଥିଲେ। ସମାବର୍ତ୍ତନ ଉତ୍ସବ ପରେ ଆୟୋଜିତ ଆଉ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି କଟକସ୍ଥିତ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ତିନୋଟି ଅଟ୍ଟାଳିକାର ପୁନର୍ବିକାଶ ନିମନ୍ତେ ଶିଳାନ୍ୟାସ କରିଥିଲେ।

Comments are closed, but trackbacks and pingbacks are open.