ମହମ୍ମଦ ଶାମୀଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ

658

ନୂଆଦିଲ୍ଲୀ: ଭାରତୀୟ ଦଳର ପେସ ବୋଲର ମହମ୍ମଦ ଶାମୀଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାର ପାଇବାରେ ସେ ୫୮ତମ କ୍ରିକେଟର ହୋଇଛନ୍ତି। ଆଜି ମଙ୍ଗଳବାର ୯ ଜାନୁଆରୀ, ୨୦୨୪ରେ ଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ଜାତୀୟ କ୍ରୀଡ଼ା ପୁରସ୍କାର ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀ ଶାମୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଶାମୀଙ୍କ ବ୍ୟତୀତ ଆହୁରି ୨୫ ଜଣ ଖେଳାଳିଙ୍କୁ ମଧ୍ୟ ସମ୍ମାନୀତ କରାଯାଇଛି। ଏଠାରେ କହି ରଖୁ କି ମହମ୍ମଦ ଶାମୀ ଗତ କିଛି ବର୍ଷ ଧରି କ୍ରିକେଟରେ ବେଶ ଦମଦାର ପ୍ରଦର୍ଶନ କରି ଆସୁଛନ୍ତି। ୨୦୨୩ରେ ଖେଳାଯାଇଥିବା ବିଶ୍ୱକପେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ। ଏପରିକି ଏହି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୱିକେଟ ହାସଲ କରିଥିଲେ।

ମହମ୍ମଦ ଶାମୀ ଅର୍ଜୁନ ପୁରସ୍କାର ପାଇବାରେ ୫୮ତମ କ୍ରିକେଟ ହୋଇ ପାରିଛନ୍ତି। ତେବେ ଏହି ୫୮ ଜଣ କ୍ରିକେଟର ମଧ୍ୟରୁ ୧୨ ଜଣ ମହିଳା କ୍ରିକେଟର ରହିଛନ୍ତି। ଶାମୀଙ୍କ ପୂର୍ବରୁ ସୁନୀଲ ଗାଭାସ୍କର, ସଚିନ ତେନ୍ଦୁଲକର, ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧୱନ ଓ ଅନ୍ୟ ଖେଳାଳିମାନଙ୍କ ନାଁ ତାଲିକାରେ ରହିଛି। ତେବେ ୨୦୨୧ ମସିହାରେ ଶିଖର ଧୱନ ଶେଷ ଥର ପାଇଁ ଏହି ପୁରସ୍କାର ହାସଲ କରିଥିଲେ। କିନ୍ତୁ ୨୦୨୨ ମସିହାରେ କୌଣସି ଖେଳାଳିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇନଥିଲା। କିନ୍ତୁ ଚଳିତ ବର୍ଷ ଶାମୀଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି।

ଏନେଇ ଶାମୀ କହିଛନ୍ତି କି ତାଙ୍କ ଏକ ବଡ ସ୍ୱପ୍ନ ଯେମିତି ଆଜି ପୁରଣ ହୋଇଛି। ଏହି ପୁରସ୍କାର ପାଇବା ସବୁ ଖେଳାଳିଙ୍କର ଏକ ସ୍ୱପ୍ନ ରହିଥାଏ। ଏହି ପୁରସ୍କାର ପାଇବାକୁ ଜୀବନ ସାରା ଖେଳାଳିମାନେ ପ୍ରୟାସ କରୁଛନ୍ତି। ସବୁ ଖେଳାଳିଙ୍କର ଆଶା ଥାଏ ଏହି ପୁରସ୍କାର ଜିତିବା ପାଇଁ। ମାତ୍ର ସମସ୍ତଙ୍କ ଭାଗ୍ୟରେ ଏହି ପୁରସ୍କାର ନଥାଏ। ତେବେ ମୋତେ ଏହି ପୁରସ୍କାର ମିଳୁଥିବାରୁ ମୁଁ ବହୁତ ଭାଗ୍ୟବାନ। ଏହି ପୁରସ୍କାର ମୋ ପାଇଁ ଏକ ସ୍ୱପ୍ନ ରହିଥିଲା। କାରଣ ଅନେକ ଲୋକଙ୍କୁ ଏହି ପୁରସ୍କାର ମିଳୁଥିବାର ମୁଁ ଦେଖିଛି ବୋଲି ଶାମୀ କହିଛନ୍ତି।

Comments are closed, but trackbacks and pingbacks are open.