ଆରମ୍ଭ ହେଲାଣି ପ୍ରସ୍ତୁତି :ଏହି ତାରିଖରୁ ଆରମ୍ଭ ହେବ ବାଲିଯାତ୍ରା

34

ଭୁବନେଶ୍ୱର : ନଭେମ୍ବର ମାସରେ ହେବ ବାଲିଯାତ୍ରା l ଏନେଇ ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି ଆରମ୍ଭ ହୋଇଛି l ଭୁବନେଶ୍ୱର ବାଲିଯାତ୍ରା କମିଟିର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି l ଚଳିତ ବର୍ଷ ବାଲିଯାତ୍ରାକୁ ସରସ ଓ ସୁନ୍ଦର କରିବା ସହ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବାକୁ ମୁଖ୍ୟ ଉପଦେଷ୍ଟା ତଥା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।

ତେବେ ଚଳିତବର୍ଷ ନଭେମ୍ବର ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭୁବନେଶ୍ୱର ବାଲିଯାତ୍ରା l ଏଥର ୯ ଦିନ ପର୍ଯ୍ୟନ୍ତ ଚାଲିବ ଏହି ଉତ୍ସବ । ଏଥିସହିତ ଏଥର ବାଲିଯାତ୍ରା ପଡିଆରେ ୮୦୦ରୁ ଅଧିକ ଷ୍ଟଲ ଖୋଲିବ । ସେ ନେଇ ମଞ୍ଚେଶ୍ୱର ସ୍ଥିତ ଏକ ଘରୋଇ ମଣ୍ଡପରେ ବୈଠକ ହୋଇଯାଇଛି l ଅନୁଷ୍ଠାନର ଆବାହକ ଯଶୋବନ୍ତ ଓଝା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ବାଲିଯାତ୍ରାର ୧ ମାସ ପୂର୍ବରୁ ଯାତ୍ରା ପଡ଼ିଆ ନିକଟରେ ଏକ ଅସ୍ଥାୟୀ ପୋଲିସ ପୋଷ୍ଟ କରାଯିବା ନେଇ ପ୍ରତିଶ୍ରୁତି ମିଳିଛି । ଚଳିତ ବର୍ଷ ବାଲିଯାତ୍ରାକୁ ସମଗ୍ର ଓଡ଼ିଶାବାସୀଙ୍କ ନିକଟରେ ପହଞ୍ଚାଇବା ପାଇଁ ସମସ୍ତ ସରକାରୀ ଓ ଘରୋଇ ସହଯୋଗ ଯୋଗାଇ ଦିଆଯିବ ବୋଲି ଅନୁଷ୍ଠାନର ସଭାପତି ତଥା ଉତ୍ତର ବିଧାୟକ ସୁଶାନ୍ତ ରାଉତ କହିଛନ୍ତି । ଏଥିସହିତ ଉକ୍ତ ବୈଠକରେ ପାର୍କିଂ, ଟ୍ରାଫିକ, ପଡ଼ିଆ ସୁରକ୍ଷା, ଓଡ଼ିଆ କଳା, ଐତିହ୍ୟ ପ୍ରଚାର ପ୍ରସାର, ସାମାଜିକ ବାର୍ତ୍ତା, ପ୍ରାଚୀନ ଓଡ଼ିଆ ନୌବାଣିଜ୍ୟ, ଓଲିଉଡ ଓ ବଳିଉଡ କଳାକାରଙ୍କୁ ଆଣିବା, ଓଡ଼ିଆ ପାରମ୍ପରିକ କାର୍ଯ୍ୟକ୍ରମ, ସାଂସ୍କୃତିକ କାର୍ଯ୍ୟକ୍ରମ, ରାସ୍ତା ଆଲୋକୀକରଣ ଆଦି ବିଷୟରେ ମଧ୍ୟ୍ୟ ଆଲୋଚନା ହୋଇଛି ।

Comments are closed, but trackbacks and pingbacks are open.