ଓଡ଼ିଶା ମିଲେଟସ୍‌ ମିଶନର ଅଗ୍ରଗତି ନିମନ୍ତେ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତି

315

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଦ୍ୱାରା ଆସନ୍ତା ନଭେମ୍ବର ୯ ଓ ୧୦ ତାରିଖରେ ଆୟୋଜିତ ହେବାକୁ ଯାଉଛି ଓଡ଼ିଶା ମିଲେଟ୍‌ ମିଶନର ଆନ୍ତର୍ଜାତିକ ସମ୍ମିଳନୀ I ଏ ସମ୍ପର୍କରେ ଆଜି ଏକ ବୈଠକ ଇନ୍‌ଷ୍ଟିଚୁ୍ୟସନାଲ୍‌ କାପାସିଟି ବିଲଡିଂର ମୁଖ୍ୟ ଉପଦେଷ୍ଟା ଶ୍ରୀ ସୁବ୍ରତ ବାଗଚୀଙ୍କ ଅଧ୍ୟକ୍ଷତାରେ କୃଷି ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ ଓଡ଼ିଶା ମିଲେଟସ୍‌ ମିଶନର ଅଧିକାରୀମାନେ ଯୋଗଦେଇଥିଲେ । ପ୍ରାରମ୍ଭରେ ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ଓଡ଼ିଶା ମିଲେଟସ୍‌ ମିଶନର ବିଭିନ୍ନ କାର୍ଯ୍ୟକ୍ରମର ପ୍ରମୁଖ ବୈଶିଷ୍ଟ ଓ ଏ ପର୍ଯ୍ୟନ୍ତ ମିଳିଥିବା ଉଲ୍ଲେଖନୀୟ ସଫଳତା ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ଉପଭୋକ୍ତା ସ୍ତରରେ ମିଲେଟସର୍‌ ପର୍ଯ୍ୟାପ୍ତ ଚାହିଦା ସୃଷ୍ଟି କରିବା ଓ ଦୀର୍ଘ ମିଆଦି ସଫଳତା ହାସଲ କରିବା ପାଇଁ ଥାଳିରୁ କୃଷି କ୍ଷେତ୍ର ଦୃଷ୍ଟିକୋଣ ଆପଣାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହା ଦ୍ୱାରା କୃଷକମାନେ ପାରମ୍ପରିକ ବାଣିଜି୍ୟକ ଖାଦ୍ୟଶସ୍ୟ ବଦଳରେ ମିଲେଟସ୍‌ ଚାଷ ପ୍ରତି ପ୍ରୋତ୍ସାହିତ ହେବେ ।

ମିଲେଟସ୍‌ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଓଡ଼ିଶା ମିଲେଟସ୍‌ ମିଶନ ସର୍ବଦା ଅଂଶୀଦାରମାନଙ୍କର ସହଭାଗିତାକୁ ଗୁରୁତ୍ୱ ଦେଇ ଆସୁଛି ବୋଲି ସେ କହିଥିଲେ । ଏଥି ସହିତ ଡ. ପାଢ଼ୀ ମିଲେଟସ୍‌ ସଂପର୍କରେ ଆୟୋଜିତ ହେଉଥିବା ଆନ୍ତର୍ଜାତିକ ସମ୍ମିଳନୀର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ବୈଠକରେ ସୂଚନା ପ୍ରଦାନ କରିଥିଲେ ।

ବୈଠକରେ ଶ୍ରୀ ବାଗ୍‌ଚୀ ଓଡ଼ିଶା ମିଲେଟସ୍‌ ମିଶନର ଉଲ୍ଲେଖନୀୟ ସଫଳତା ନେଇ ପ୍ରଶଂସା କରିଥିଲେ । ଓଡ଼ିଶା ମିଲେଟସ୍‌ ମିଶନ ପାଇଁ ୨୦୩୦ ଏବଂ ୨୦୩୬କୁ ଧାର୍ଯ୍ୟ ବର୍ଷ ଭାବେ ଲକ୍ଷ୍ୟ ରଖି ଏକ ଦୀର୍ଘମିଆଦି ରଣନୀତି ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଏଥି ସହିତ ଓଡ଼ିଶା ମିଲେଟସ୍‌ ମିଶନର ନୀତି ଓ ମାର୍ଗଦର୍ଶିକାରେ ନମନୀୟତା ରଖିବା ପାଇଁ ସେ ପରାମର୍ଶ ଦେଇ କହିଲେ ଯେପରି କୌଣସି ଆହ୍ୱାନର ମୁକାବିଲା ଦିଗରେ ଓଡ଼ିଶା ମିଲେଟସ୍‌ ମିଶନର ନୀତି ଓ ମାର୍ଗଦର୍ଶିକାରେ ସମୟୋଚିତ ପରିବର୍ତ୍ତନ କରାଯାଇପାରିବ ସେ ଦିଗ ଉପରେ ଧ୍ୟାନ ଦିଆଯିବ I

ଏହା ସହିତ ମିଲେଟସ୍‌ ଆମ୍ବାସଡର ଭାବରେ ବିଶିଷ୍ଟ କ୍ରୀଡ଼ା ବ୍ୟକ୍ତିତ୍ୱ ତଥା ଅନ୍ୟ ସେଲିବ୍ରେଟିମାନଙ୍କୁ ଜଡ଼ିତ କରି ଆଗାମୀ ବର୍ଷରେ ଓଡ଼ିଶା ମିଲେଟସ୍‌ ମିଶନର ସଫଳ ରୂପାୟନ କରାଯାଇପାରିବ । ଏଥି ସହିତ ତୃଣମୂଳ ସ୍ତରରେ ୟୁଟ୍ୟୁବ୍‌ରମାନଙ୍କର ଉତ୍ସାହ ଓ ଉଦ୍ଦୀପନା ଏବଂ ତୃଣମୂଳ ପର୍ଯ୍ୟାୟର ସଂଗଠନ ଏବଂ ମିଲେଟ ଆମ୍ବାସଡରମାନଙ୍କୁ ଉପଯୋଗ କରି ସମାଜର ବୃହତ୍ତର ଅଂଶରେ ମିଲେଟସ୍‌କୁ ଲୋକପି୍ରୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଓଡ଼ିଶା ମିଲେଟସ୍‌ ମିଶନ ଏହିସବୁ ରଣନୀତିଗୁଡ଼ିକୁ ଆପଣାଇ ଓଡ଼ିଶାକୁ ଭାରତ ତଥା ବିଦେଶରେ ଏକ ଆଦର୍ଶ ମଡେଲ ଭାବରେ ଉପସ୍ଥାପନ କରିବା ପାଇଁ ଶ୍ରୀ ବାଗ୍‌ଚୀ କହିଥିଲେ ।

ବୈଠକରେ ଓଡ଼ିଶା ମିଲେଟସ୍‌ ମିଶନର ଯୁଗ୍ମ ନିର୍ଦ୍ଦେଶକ, ବୈଷୟିକ ବିଶେଷଜ୍ଞ ଏବଂ ଅନ୍ୟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ ।

Comments are closed, but trackbacks and pingbacks are open.