ଦୀପ୍ତି ଜୀବନଜୀ ଜିତିଲେ ସ୍ୱର୍ଣ୍ଣ: ରଚିଲେ ବିଶ୍ୱ ରେକର୍ଡ

100

ନୂଆଦିଲ୍ଲୀ: ଭାରତର ଦୀପ୍ତି ଜୀବନଜୀ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରି ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍-୨୦୨୪ ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଦୀପ୍ତି ଜୀବନଜୀ ଟି -୨୦ ରେ ୪୦୦ ମିଟର ଦୌଡରେ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ୫୫.୦୭ ସେକେଣ୍ଡରେ ୪୦୦ ମିଟର ଦୌଡକୁ ସମାପ୍ତ କରିଛନ୍ତି। ପ୍ୟାରିସରେ ଆୟୋଜିତ ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନସିପରେ ସେ କରିଥିବା ଆମେରିକୀୟ ଆଥଲେଟ୍ ବ୍ରେନା କ୍ଲାର୍କଙ୍କ ରେକର୍ଡ ଭାଙ୍ଗିଛନ୍ତି। ଆମେରିକାର ବ୍ରେନ୍ନା କ୍ଲାର୍କ ପ୍ୟାରିସରେ ଚାଲିଥିବା ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନସିପରେ ୫୫.୧୨ ସେକେଣ୍ଡର ରେକର୍ଡ ସ୍ଥାପନ କରିଥିଲେ, ଯାହା ବର୍ତ୍ତମାନ ଭାଙ୍ଗି ଯାଇଛି। ପ୍ୟାରିସରେ ତୁର୍କୀର ଆଇସେଲ ଓଣ୍ଡର ୫୫.୧୯ ସେକେଣ୍ଡରେ ଦୌଡକୁ ସମାପ୍ତ କରିଥିଲେ ଏବଂ ଇକ୍ୟୁଏଡରର ଲିଜାନସେଲା ଏଙ୍ଗୁଲୋ ୫୬.୬୮ ସେକେଣ୍ଡରେ ଦୌଡକୁ ସମାପ୍ତ କରିଥିଲେ। ଆଇସେଲ ଓଣ୍ଡର ଦ୍ୱିତୀୟ ଏବଂ ଲିଜାନସେଲା ଏଙ୍ଗୁଲୋ ତୃତୀୟ ସ୍ଥାନରେ ରହିଛନ୍ତି। ଏହାପୂର୍ବରୁ ଦୀପ୍ତି ଜୀବନଜୀ ରବିବାର ଅନୁଷ୍ଠିତ ପ୍ରତିଯୋଗୀତାରେ ୫୬.୧୮ ସେକେଣ୍ଡ ସମୟ ନେଇ ଫାଇନାଲରେ ସ୍ଥାନ ପାଇଥିଲେ। ସେ ୫୬.୧୮ ସେକେଣ୍ଡ ସହିତ ଏସୀୟ ରେକର୍ଡ ସ୍ଥାପନ କରିଥିଲେ। କିନ୍ତୁ ବର୍ତ୍ତମାନ ଦୀପ୍ତି ବିଶ୍ୱ ରେକର୍ଡ ସୃଷ୍ଟି କରି ସ୍ଵର୍ଣ୍ଣ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି। ଦୀପ୍ତି ୨୦ ବର୍ଷ ବୟସରେ ତାଙ୍କର ପ୍ରଥମ ବିଶ୍ୱ ଟାଇଟଲ୍ ଜିତିଥିଲେ। ସେ ୨୦୨୨ ରେ ଦୌଡିବା ଆରମ୍ଭ କରିଥିଲେ।

Comments are closed, but trackbacks and pingbacks are open.