ଏହା କଠିନ ପରିଶ୍ରମର ଫଳ, ବିଶ୍ୱବିଦ୍ୟାଳୟର ସମସ୍ତଙ୍କୁ ଶ୍ରେୟ ଦେଲେ ସୋଆ ପ୍ରତିଷ୍ଠାତା, କହିଲେ- ଲକ୍ଷ୍ୟ ହାସଲ ଯାଏଁ ଉଦ୍ୟମ ଜାରି ରହିବ

26

କୌଣସି ସ୍ୱପ୍ନ କେବେ ଯାଦୁବିଦ୍ୟା ଦ୍ୱାରା ସଂପାଦିତ ହୁଏନାହିଁ । ଏଥିପାଇଁ ସ୍ୱେଦ ଲୁହ ଢାଳି ନିଷ୍ଠାର ସହ କଠିନ ପରିଶ୍ରମ କରିବାକୁ ପଡ଼େ । ଏହି ବକ୍ତବ୍ୟ ଆମେରିକାର ପ୍ରାକ୍ତନ ସେକ୍ରେଟାରୀ ଅଫ୍‌ ଷ୍ଟେଟ୍‌, କଲିନ ପାୱେଲଙ୍କର ।

ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟର ୨୫ବର୍ଷର ଯାତ୍ରାରେ ଆମର ଅଭିଜ୍ଞତା ସହିତ ପାୱେଲଙ୍କ ଉକ୍ତିର ମେଳ ରହିଛି । ବିଗତ ବର୍ଷଗୁଡ଼ିକରେ ସୋଆ ଅନେକ ସମସ୍ୟା ଓ ପ୍ରତିବନ୍ଧକର ସମ୍ମୁଖୀନ ହୋଇ ମଧ୍ୟ ଉଭୟ ଶିକ୍ଷା ପ୍ରଦାନ ତଥା ଗବେଷଣା କ୍ଷେତ୍ରରେ ନିରନ୍ତର ଉତ୍କର୍ଷ ପ୍ରତିପାଦନ କରିବା ଦିଗରେ ଅଗ୍ରସର ହୋଇଚାଲିଛି । ନିକଟରେ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁସନାଲ୍‌ ରାଙ୍କି ଫ୍ରେମ୍‌ୱର୍କ ବା ଏନଆଇଆରଏଫ୍‌’ର ବିଶ୍ୱବିଦ୍ୟାଳୟ ଉତ୍କର୍ଷ ତାଲିକାରେ ସୋଆ ୧୬ତମ ସ୍ଥାନରେ ସ୍ଥାନିତ ହେବା ବିଶ୍ୱବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଗବେଷକ ଓ କର୍ମଚାରୀମାନଙ୍କର ନିଷ୍ଠା ଓ କଠିନ ପରିଶ୍ରମର ଫଳ । ଏଥିସହିତ ୟୁନିଭର୍ସିଟି ଗ୍ରାଣ୍ଡସ କମିଶନ ଦ୍ୱାରା ସୋଆକୁ କ୍ୟାଟେଗୋରୀ ୧ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ମିଳିଥିବାରୁ ଏହା ବିଶ୍ୱବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମକୁ ବିକଶିତ କରିବା ନିମନ୍ତେ ସହାୟକ ହେବ ।

ସୋଆର ସ୍ଥାପନା ଦିବସ ଅବସରରେ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି ଓ ଯେଉଁମାନଙ୍କ ନିରବିଚ୍ଛନ୍ନ ପରିଶ୍ରମ ଓ ଅବଦାନ ବିଶ୍ୱବିଦ୍ୟାଳୟକୁ ଏହି ଉପଲବ୍ଧି ଆଣିଦେଇଛି ସେମାନଙ୍କୁ ଅନ୍ତରର କୃତଜ୍ଞତା ଜଣାଏ । ଆମର ଯାତ୍ରା କେବଳ ଆରମ୍ଭ ହୋଇଛି ଓ ଆଗକୁ ଅନେକ ପଥ ବାକି ରହିଛି । ମୋର ବିଶ୍ୱାସ ସୋଆର ସମସ୍ତ ଶୁଭାକାଂକ୍ଷୀମାନଙ୍କ ସହଯୋଗରେ ବିଶ୍ୱବିଦ୍ୟାଳୟ ତା’ର ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବ ।

Comments are closed, but trackbacks and pingbacks are open.