ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଓଡ଼ିଶାକୁ ମିଳିଲା କମ ଅନୁଦାନ

149

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଏଯାଏଁ ରାଜ୍ୟର ୮୩୦୦ ଗ୍ରାମକୁ ସଡ଼କ ସଂଯୋଗ ହୋଇପାରି ନାହିଁ। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଗତ ଅଧିବେଶନରେ ବିଧାନସଭାରେ ଏହି ତଥ୍ୟ ପ୍ରଦାନ କରିବା ସହ ୧୦୦ ଜନସଂଖ୍ୟା ବିଶିଷ୍ଟ ଗାଁକୁ ସବୁଦିନିଆ ରାସ୍ତା କରିବାକୁ ଘୋଷଣା କରିଥିଲେ। ମାତ୍ର କେନ୍ଦ୍ର ସରକାର ଓଡ଼ିଶାକୁ ଅନୁଦାନ ହ୍ରାସ କରିବା ପରେ ରାଜ୍ୟ ସରକାରଙ୍କ ଏହି ଘୋଷଣାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିିଛି। ନବୀନ ସରକାରଙ୍କ ଶେଷ ଆର୍ଥିକ ବର୍ଷରେ ଓଡ଼ିଶାକୁ କେନ୍ଦ୍ର ସରକାର ଯେତିକି ଅନୁଦାନ ପ୍ରଦାନ କରିଥିଲେ, ଏବେ ବିଜେପି ସରକାରଙ୍କ ସମୟରେ ତା’ଠାରୁ ଓଡ଼ିଶା ୫୦୦ କୋଟି ଟଙ୍କା କମ୍‌ ପାଇଛି। ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଲେ କେନ୍ଦ୍ରରୁ ବିପୁଳ ଅର୍ଥ ରାଶି ମିଳିବ ବୋଲି ଦଳୀୟ ନେତାମାନେ ମାରିଥିବା ବାହାଦୂରୀ ଏବେ ଛଳନା ବୋଲି ପ୍ରମାଣିତ ହୋଇଛି।

୨୦୨୩-୨୪ ଆର୍ଥିକ ବର୍ଷରେ ତତ୍‌କାଳୀନ ବିଜେଡି ସରକାର ସମୟରେ ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନାରେ ଓଡ଼ିଶାକୁ କେନ୍ଦ୍ର ସରକାର ୧୨୬୧ କୋଟି ଟଙ୍କା ପ୍ରଦାନ କରିଥିଲେ। ଏହି ଅର୍ଥରେ ଗ୍ରାମାଞ୍ଚଳକୁ ସଡ଼କ ନିର୍ମାଣ କରାଯାଉଥିଲା ଏବଂ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟକାରୀ କରୁଥିଲେ। ୨୦୨୪-୨୫ରେ ରାଜ୍ୟରେ ବିଜେପି ସରକାର କେନ୍ଦ୍ରରୁ ଏହି ଯୋଜନାରେ ମାତ୍ର ୭୧୨ କୋଟି ଟଙ୍କା ଆଣିବାରେ ସକ୍ଷମ ହୋଇଛନ୍ତି। ଫଳରେ ଓଡ଼ିଶା ଡବଲ୍‌ ଇଞ୍ଜିନ୍‌ ସରକାରରେ ଉପେକ୍ଷିତ ହୋଇଛି। କେନ୍ଦ୍ରୀୟ ଯୋଜନାର ଅର୍ଥ ହ୍ରାସକୁ ନେଇ ରାଜନୈତିକ ମହଲରେ ରାଜ୍ୟ ସରକାର ସମାଲୋଚନାର ଶିକାର ହୋଇଛନ୍ତି। ଏବେ ପର୍ଯ୍ୟନ୍ତ ଯେଉଁ ଗ୍ରାମକୁ ସଡ଼କ ସଂଯୋଗ ହୋଇପାରିନାହିଁ ସେଗୁଡିକ ମଧ୍ୟରୁ ସର୍ବାଧିକ ୧୩୭୪ଟି ଗ୍ରାମ କୋରାପୁଟ ଜିଲ୍ଲାର,୧୦୯୯ ରାୟଗଡାର, ୬୪୧ ନବରଙ୍ଗପୁରର , ୫୭୪ କଳାହାଣ୍ଡିର ଗ୍ରାମ ରହିଛି ।

Comments are closed, but trackbacks and pingbacks are open.