ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ଘଟଣା

21

ରାଜ୍ୟରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ସହିତ ସେହଶେଷ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ I କେତେକ ସ୍ଥାନ ରେ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବରେ ମତଦାନ ହୋଇଥିବା ବେଳେ ଅନେକ ସ୍ଥାନ ରେ ଏହାର ବ୍ୟତିକ୍ରମ ଦେଖା ଦେଇଥିଲା I ବୁଥ ରିଂଗି ଙ୍ଗ,ଜବରଦସ୍ତ ମତଦାନ, ଭୋଟ ବାକ୍ସ ଜବର ଦଖଲ , ବାଲଟ ପେପର କୁ ପାଣିରେ ଫୋପାଡିବା, ସରକାରୀ କର୍ମଚାରୀ ତ ଥା ବିଡ଼ିଓ ଙ୍କୁ ମାଡ଼ ମାରିବା ସହିତ କର୍ତ୍ତବ୍ୟରତ ସାମ୍ବାଦିକ ଙ୍କୁ ଆକ୍ରମଣ କରାଯାଇଥିବା ର ଦେଖିବାକୁ ମିଳିଥିଲା I
ଆଠଗଡ଼ ବ୍ଲକରେ ନିର୍ବାଚନୀ ହିଂସା :

ଆଠଗଡ଼ ବ୍ଲକ ରେ ନିର୍ବାଚନ ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଥିଲା। ତେବେ ନିର୍ବାଚନ ଶେଷ ହେବା ପରେ ବିଭିନ୍ନ ପଞ୍ଚାୟତରେ ଉତ୍ତେଜନା ପ୍ରକାଶ ପାଇବା ସହ କେତେକ ସ୍ଥାନରେ ମାଡପିଟ ଘଟଣା ଘଟି ବହୁ ଲୋକ ଆହତ ହୋଇଥିବା ଦେଖାଯାଇଥିଲା। ତେବେ ବୁଧବାର ରାତିରେ କୁଲାଇଲୋ ପଞ୍ଚାୟତରେ ଏହି ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିବା ସହ କୁଲାଇଲୋ ଓ ପାଟଲିଙ୍ଗା ଗ୍ରାମର ଦୁଇଗୋଷ୍ଠୀ ମଧ୍ୟରେ ପ୍ରବଣ ଗଣ୍ଡଗୋଳ ଓ ମାଡପିଟ ହେବା ଫଳରେ ୮ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୩ଜଣ ଅତି ଗୁରୁତର ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଉତ୍ତେଜନା ଲାଗି ରହିଥିବାରୁ ବୁଧବାର ରାତିରୁ ଅଦ୍ୟାବଧି ଉଭୟ ଗ୍ରାମରେ ସଶସ୍ତ୍ର ପୁଲିସ ମୁତୟନ କରାଯିବା ସଙ୍ଗେ ସଙ୍ଗେ ପୁଲିସ ଅଧିକାରୀମାନେ ତୁହାକୁ ତୁହା ପଇଁତରା ମାରୁଛନ୍ତି।କୁଲାଇଲୋ ପଞ୍ଚାୟତରେ ବିଜେଡି ସମର୍ଥିତ ଜଣେ ପ୍ରାର୍ଥୀନୀ ଏବଂ ଅସନ୍ତୁଷ୍ଟ ବିଜେଡିର ଅନ୍ୟ ଜଣେ ପ୍ରାର୍ଥୀନୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଥିଲା। ଏହି କାରଣରୁ ସେଠାରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଓ ଉତ୍ତେଜନା ଲାଗି ରହିବା ସହିତ ବୁଧବାର ରାତିରେ ଏହା ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଥିଲା। କୁଲାଇଲୋ ଗ୍ରାମର ଗୋଟିଏ ଗୋଷ୍ଠୀର କେତେକ ଯୁବକ ପାଟଲିଙ୍ଗା ଯାଇ ସେଠି ପାଟିତୁଣ୍ଡ କରିବା ଫଳରେ ଏହି ଗଣ୍ଡଗୋଳର ସୁତ୍ରପାତ ହୋଇଥିଲା। ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବା ସହ ସେମାନଙ୍କ ମଧ୍ୟରେ ପ୍ରଥମେ ବଚସା ଓ ମାଡପିଟ ହୋଇଥିଲା। କୁଲାଇଲୋର ଜଣେ ଯୁବକଙ୍କର ଏହି ମାଡ ଦ୍ୱାରା ଗୋଡ ଭାଙ୍ଗିଯିବା ଖବର ପାଇ କୁଲାଇଲୋରୁ ଶତାଧିକ ଲୋକ ପାଟଲିଙ୍ଗା ଆସି ପ୍ରବଳ ଗଣ୍ଡଗୋଳ କରିଥିଲେ।
ଖବର ପାଇ ଆଠଗଡ଼ ଥାନା ଆଇଆଇସି ବାମଦେବ ସ୍ୱାଇଁ ଓ ଡିଏସପି ବିଜୟ କୁମାର ବିସି ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ୮ଜଣ ଆହତଙ୍କୁ ଆଠଗଡ଼ ଡାକ୍ତରଖାନାକୁ ପଠାଇବାର ବ୍ୟବସ୍ଥା କରିଥିଲେ। ଏହି ଘଟଣାରେ ସଂପୃକ୍ତ ଉଭୟ ଗୋଷ୍ଠୀର ୧୦ଜଣଙ୍କୁ ପୁଲିସ ଥାନାକୁ ଆଣି ଅଟକ ରଖି ଘଟଣାର ତଦନ୍ତ କରିଥିଲା।

କଳାପଥରରେ ରାଜନୈତିକ ହିଂସା, ୨ ଗୁରୁତର :
ତ୍ରି-ସ୍ତରୀୟ ପଂଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟରେ ବାଙ୍କୀ ନିର୍ବାଚନ ମଣ୍ଡଳୀର ବାଙ୍କୀ ୩ ଗୋଟିଜିଲ୍ଲା ପରିଷଦ ଆସନ ସମେତ ୨୦ ଗୋଟି ପଂଚାୟତରେ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଥିଲା। ତେବେ ଏହି ନିର୍ବାଚନକୁ ନେଇ କେତେକ ସ୍ଥାନରେ ନିର୍ବାଚନୀ ହିଂସା ସୃଷ୍ଟି ହୋଇଥିବା ଜଣାପଡ଼ିଛି। ବିଭିନ୍ନ ସ୍ଥାନରେ ଉଭୟ ବିଜେଡି ଓ କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ମାରପିଟ ସହିତ ମାରଣାସ୍ତ୍ରରେ ଆକ୍ରମଣ ପ୍ରତି ଆକ୍ରମଣ ହୋଇଥିବା ଜଣାପଡ଼ିଛି। କଳାପଥର ଗ୍ରାମପଂଚାୟତରେ ମଧ୍ୟ ଉଭୟ ବିଜେଡି ଓ କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ପ୍ରଥମେ କଥାକଟି ଓ ପରେ ମାରଣାସ୍ତ୍ରରେ ଆକ୍ରମଣ ହୋଇଥିବା ବେଳେ ଘଟଣାରେ ୬ଜଣ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ଜଣେ ଯୁବକଙ୍କୁ ଖୋର୍ଦ୍ଧା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ଦେଓଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ :
ପାଞ୍ଚାୟତ ନିର୍ବାଚନ ସରିବା ପରେ କିଏ ଗାଦୀ ଜିତିବ ତାକୁ ନେଇ ଅଙ୍କକଶା ହେଉଥିବାବେଳେ ଦେଓଗାଁ ବ୍ଳକର ବିଭିନ୍ନ ଗାଁରେ ନିର୍ବାଚନି ହିଂସା ଆରମ୍ଭ ହେଉଥିବାର ଖବର ଆସୁଛି। ଗୁରୁବାର ସନ୍ଧ୍ୟାରେ ଦେଓଗାଁ ଥାନା ଅନ୍ତର୍ଗତ ବଡବନ୍ଧ ପାଞ୍ଚାୟତର କୁରୁଆଝର ଗାଁ ଓ ସିକୁଆଁ ପଞ୍ଚାୟତର ବାଞ୍ଜିବାହାଳି ଗାଁ ରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ନେଇ ଦେଓଗାଁ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି।ଅଭିଯୋଗ କୁ ଭିତ୍ତି କରି ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ସରପଞ୍ଚ ,ସମିତି ସଭ୍ୟ ପଦରେ ଆଶାୟୀ ଥିବା ପ୍ରାର୍ଥୀ ଙ୍କ ସମର୍ଥକ ମାନେ ଗଣ୍ଡଗୋଳ କରୁଥିବା ଅଭିଯୋଗ ହେଉଛି। ଭୋଟ ଗଣତିକୁ ଆଉ ଗୋଟିଏ ଦିନଥିବାବେଳେ ଗାଁ ରେ ଗଣ୍ଡଗୋଳ ସୃଷ୍ଟି ହେବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ଏଣୁ ଜିଲ୍ଲା ପୁଲିସ ପ୍ରଶାସନ ଦେଓଗାଁ ଥାନା ଅଞ୍ଚଳରେ ଭୋଟ ଗଣତି ଦିନ କଡ଼ା କଡୀ ପେଟ୍ରୋଲିଂ କରିବାକୁ ସାଧାରଣରେ ଦାବିହେଉଛି।

ଖଣ୍ଡପଡା ଖଣ୍ଡ ଯୁଦ୍ଧରେ ଗାଁ ଦାଣ୍ଡରେ ଗଡ଼ିଲା ମୁଣ୍ଡ :
ନିର୍ବାଚନର ଅନ୍ତିମ ଦିନରେ ବି ଆସିଲା ବ୍ୟାପକ ରକ୍ତପାତର ଚିତ୍ର । ପୂର୍ବରୁ ପଶ୍ଚିମ -ଉତ୍ତରରୁ ଦକ୍ଷିଣ ସବୁଠି ରକ୍ତର ଛିଟା । ନିର୍ବାଚନ ପାଇଁ କେଉଁଠି ବମ୍ ଫୁଟିଛି ତ କେଉଁଠି ଗାଁ ମଝି ଦାଣ୍ଡରେ ଗଡିଛି ମୁଣ୍ଡ । ଚଳିତ ପଞ୍ଚାୟତ ଭୋଟ ବେଳେ ଦୁଇ ଶହରୁ ଅଧିକ ନିର୍ବାଚନୀ ହିଂସା ହୋଇଥିବା ଅଭିଯୋଗ ହୋଇଛି ।ପଞ୍ଚମ ଅର୍ଥାତ ଅନ୍ତିମ ପାର୍ଯ୍ୟାୟ ନିର୍ବାଚନ ସହ ରାଜ୍ୟରେ ଶେଷ ହୋଇଛି ପଞ୍ଚାୟତ ନିର୍ବାଚନ । ମାତ୍ର ଶେଷ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ବ୍ୟାପକ ହିଂସାକାଣ୍ଡ ଓ ବୁଥ୍ ରିଗିଂର ଚିତ୍ର ନିର୍ବାଚନ କମିଶନ ଓ ପୋଲିସ ପ୍ରଶାସନର ନିର୍ବାଚନ ପରିଚାଳନା ଉପରେ ଛିଡା କରିଛି ପ୍ରଶ୍ନବାଚୀ ।
ନୟାଗଡ଼ ଖଣ୍ଡପଡା ଥାନା ବଡ଼ବୋଦସା ଗାଁ । ଅନ୍ତିମ ପର୍ଯ୍ୟାୟ ନିର୍ବାଚନର ପୂର୍ବ ରାତିରେ ଗାଁ ମଝିରେ ଗଡିଛି ମୁଣ୍ଡ । ଏହି ଗାଁ ର ଶ୍ୟାମ ତାରେଣିଆଙ୍କ ୩୩ ବର୍ଷୀୟ ପୁଅ ପ୍ରଶାନ୍ତ ତାରେଣିଆ ଗାଁ ଦାଣ୍ଡରେ ବାଇକ ଚଳାଇ ଯାଉଥିବା ବେଳେ ବିପକ୍ଷ ଗୋଷ୍ଠୀ ଅତି ନୃଶସଂତାର ସହ ବୋମା ମାଡ କରି ହତ୍ୟା କରିଛନ୍ତି । ପ୍ରଶାନ୍ତଙ୍କୁ ହତ୍ୟା କରିଥିବା ଦୁବୃର୍ତ୍ତ ବିଜେଡି ସମର୍ଥିତ ବୋଲି ଅଭିଯୋଗ ହୋଇଛି ।

ଜଙ୍କିଆରେ ଯୁବକଙ୍କୁ ମାରି ଗଛରେ ଟାଙ୍ଗି ଦେଲେ :
ସେହିପରି ଆଉ ଏକ ଘଟଣା । ବଡମ୍ବା ରତାପାଟ ପଞ୍ଚାୟତର ଦୃଶ୍ୟ । ଏଠି ବି ନିର୍ବାଚନ ପୂର୍ବ ରାତିରେ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ମାଗିରାମ ବେହେରା ଙ୍କ ଘର ଉପରକୁ ବୋମା ମାଡ କରିଥିଲେ ବିପକ୍ଷ ଗୋଷ୍ଠୀ ଇ ଏହି ଗୋଷ୍ଠୀ କନ୍ଦଳରେ ଜଣେ ଯୁବକକୁ ମାରି ଗଛରେ ଟାଙ୍ଗିଦେଇଥିବା ଅଭିଯୋଗ ହୋଇଛି I
ଗୋପ ରେ ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ :
ଗୋପ ବ୍ଲକ ଵଡତରା ପଂଚାୟତରେ ୧୮ ତାରିଖରୁ ଏଠାରେ ନିର୍ବାଚନ ଶେଷ ହୋଇଥିଲେ ବି ରାଜନୈତିକ ହିଂସା ଥମିବାର ନାଁ ଧରୁନି । ଶାସକ ଦଳ ପକ୍ଷରୁ ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବାର ଅଭିଯୋଗ ହୋଇଛି ।

ମୟୁରଭଞ୍ଜର ଉଦଳାରେ ବିଜେପି କର୍ମୀଙ୍କୁ ଆକ୍ରମଣ :
ମୟୁରଭଞ୍ଜ ଜିଲ୍ଲାର ଉଦଳା ପଂଚାୟତ ରେ ଶାସକ ଦଳ ପକ୍ଷରୁ ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବାର ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ ରେମୁଣା ବ୍ଲକ ତାଳପଦାର ୪ ନମ୍ବର ବୁଥ, ଗଞ୍ଜାମ ଜିଲ୍ଲା ବେଗୁଣିଆପଡା ବ୍ଲକ, କଟକର ନିଆଳି,ଭଦ୍ରକ ଧାମନଗର ବ୍ଲକର ବୁଥ୍ ରିଗିଂ କୁ ନେଇ ବ୍ୟାପକ ହିଂସା କାଣ୍ଡର ଚିତ୍ର ଆସିଛି ।
ଚଳିତଥର ପାଞ୍ଚଟି ପର୍ଯ୍ୟାୟରେ ମୋଟ ୬୭୯୪ ଗ୍ରାମ ପଞ୍ଚାୟତ ୯୧,୯୧୩ ୱାର୍ଡରେ ହୋଇଥିଲା ଭୋଟ ଗ୍ରହଣ । ଏଥିପାଇଁ ୯୧ ହଜାର ୯୧୩ ଟି ବୁଥ ପ୍ରସ୍ତୁତ କରାଯାଇଥିବା ବେଳେ ୧୩,୭୮୫ଟି ବୁଥକୁ ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ କରାଯାଇଥିଲା । ଯାହାକୁ ଦୃଷ୍ଟିରେ ରଖି ନିର୍ବାଚନ ପାଇଁ ୩୭ ହଜାର ୨୪୫ ପୋଲିସ କର୍ମଚାରୀ ନିୟୋଜିତ କରାଯିବା ସହ ମୁତୟନ ହୋଇଥିଲେ ୨୨୫ ପ୍ଲାଟୁନ୍ ଫୋର୍ସ ।

ସୁନ୍ଦରପଡା ବୋତଣ୍ଡାରେ ନିର୍ବାଚନୀ ହିଂସା :
ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ବୋତଣ୍ଡାରେ ଏହି ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଦୁର୍ଦ୍ଦାନ୍ତ ଅପରାଧୀ ରାକା ବେହେରା ଗାଁ ଦାଣ୍ଡରେ ଖଣ୍ଡା ବୁଲାଇ ଆତଙ୍କ ଖେଳାଇଥିବା ସୂଚନା ରହିଛି । ଭୟରେ ଲୋକେ କବାଟ କିଳି ଦେଇଥିଲେ । ରାକାକୁ ଗିରଫ ଦାବିରେ ଗାଁ ଲୋକେ ସୁନ୍ଦରପଦା-ଜଟଣୀ ରାସ୍ତା ଅବରୋଧ କରିଥିଲେ । ପରେ ପୁଲିସ ଆସି ଗାଁ ଲୋକଙ୍କୁ ବୁଝାସୁଝା କରି ଧାରଣାରୁ ଉଠାଇଥିଲା ।
ମିଳିଥିବା ସୂଚନା ଅନୁସାରେ, ରାକାର ଦୁଇ ଭାଇ ଅଲଗା ଅଲଗା ସରପଂଚ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲେ । ଏ ନେଇ ଦୁଇ ଭାଇ ସୁବାସ ଓ ପ୍ରକାଶଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପ୍ରକାଶ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତି ହୋଇଥିଲା । ପ୍ରକାଶର ଅଭିଯୋଗ ଅନୁସାରେ ଗତକାଲି ଏୟାରଫିଲ୍ଡ ଥାନା ପୁଲିସ ସୁବାସକୁ ଉଠାଇ ନେଇ କୋର୍ଟ ଚାଲାଣ କରିଥିଲା । ଏହି ଘଟଣାରେ ରାକା ପ୍ରତିଶୋଧପରାୟଣ ହୋଇ ଉଠିଥିଲା । ସୁବାସ ଗିରଫ ହେବା ପଛରେ ବିଜେଡି କର୍ମୀ ହେମନ୍ତଙ୍କ ହାତ ରହିଛି ବୋଲି ରାକା ତାଙ୍କୁ ଆକ୍ରମଣ କରିଥିବା ସୂଚନା ରହିଛି ।

ତେବେ ଏହାରି ଭିତରେ ସବୁଠୁ ଅଧିକ ଚର୍ଚ୍ଚାର ବିଷୟ ହୋଇଥିଲା କଣାସ ଓ ଯାଜପୁରରେ ସାମ୍ବାଦିକଙ୍କୁ ଏବଂ କେନ୍ଦ୍ରାପଡାରେ ପୋଲିସ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ । ଏହାସହ ବିବାଦୀୟ କୋଟିଆ, ସ୍ବାଭିମାନ ଅଞ୍ଚଳ କୁହାଯାଉଥିବା ଚିତ୍ରକୋଣ୍ଡା, ଆଦିମ ଅଧିବାସୀଙ୍କ ଦୁର୍ଗ ନିୟମଗିରି ଓ ବଣ୍ଡାଘାଟି ଏବଂ ବିକାଶଠୁ ଦୂରରେ ଥିବା ନଗଡା ବାସୀ ଏହି ନିର୍ବାଚନରେ ସାମିଲ ହେବା ସହ ନିଜ ମତ ଅଧିକାର ସାବ୍ୟସ୍ତ କରିଥିଲେ ।
ଏହା ସହିତ ତୃତୀୟ, ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ମତଦାନ ବାଧାପ୍ରାପ୍ତ ହୋଇଥିବା ସ୍ଥାନରେ ହେବ ପୁନଃ ମତଦାନ ।

Comments are closed, but trackbacks and pingbacks are open.