ଧର୍ମାନ୍ତରିକରଣ କୁ ନେଇ ରାଜନୀତିର ରଙ୍ଗ ଦେବା ଉଚିତ ନୁହେଁ

38

ଆଉ ଖୁବ କମ ଦିନ ରହିଲା ସାଧାରଣ ନିର୍ବାଚନ । ନିର୍ବାଚନ କୁ ନେଇ ଏବେ ଚାରିଆଡେ ରାଜନୀତି । ସମସ୍ତ ଚର୍ଚ୍ଚାର ବିଷୟ ପାଲଟିଛି ରାଜନୀତି । ‘ଦେଶରେ ଧର୍ମାନ୍ତରିକରଣ ଏକ ଗମ୍ଭୀର ସମସ୍ୟା । ଏହାକୁ କେବେ ବି ରାଜନୈତିକ ରଙ୍ଗ ଦିଆଯିବା ଉଚିତ ନୁହେଁ।’ ଆସନ୍ତା କାଲି ଏକ ପିଟିସନ ଉପରେ ଶୁଣାଣିକରି ଏଭଳି କହିଛନ୍ତି ସୁପ୍ରିମ କୋର୍ଟ । ଦେଶରେ ଧର୍ମ ପରିବର୍ତ୍ତନ ବିରୁଦ୍ଧରେ କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ କଠୋର ହେବାକୁ ନିର୍ଦ୍ଦେଶ ଦେବା ପାଇଁ ସୁପ୍ରିମକୋର୍ଟରେ ଏକ ଯାଚିକା ଦାଖଲ କରାଯାଇଥିଲା । ଏ ନେଇ ଅଟୋର୍ନି ଜେନେରାଲ ଆର୍‌ ଭେଙ୍କଟରମାଣୀଙ୍କ ପରାମର୍ଶ ଲୋଡିଛନ୍ତି ସୁପ୍ରିମକୋର୍ଟ ।

ସର୍ବୋଚ୍ଚ ନ୍ୟାୟାଳୟଙ୍କ ଜଷ୍ଟିସ୍‌ ଏମ୍. ଆର୍‌ ଶାହ ଏବଂ ଜଷ୍ଟିସ୍‌ ସି.ଟି. ରବିଶଙ୍କରଙ୍କୁ ନେଇ ଗଠିତ ଦୁଇ ଜଣିଆ ବେଞ୍ଚ ଏ.ଜି. ଆର୍‌ ଭେଙ୍କଟରମାଣୀଙ୍କୁ ଏ ପ୍ରସଙ୍ଗରେ ପରାମର୍ଶ ମାଗିଛନ୍ତି । ବେଆଇନ ଧର୍ମ ପରିବର୍ତ୍ତନକୁ ନେଇ ଦାୟର ହୋଇଥିବା ପିଟିସନର ଯାଞ୍ଚ କରିବାକୁ ବେଞ୍ଚ କହିଛନ୍ତି । ପ୍ରକୃତରେ ଭୟଭୀତ କରାଯାଇ, ଧମକ ଦେଇ, ପ୍ରତାରଣା କରି କିମ୍ବା କୌଣସି ପ୍ରଲୋଭନ ତଥା ଉପହାର ଦିଆଯାଇ ଧର୍ମ ପରିବର୍ତ୍ତନ କରାଯାଉଛି ତାହାର ଯାଞ୍ଚ କରାଯିବାର ଆବଶ୍ୟକତା ଅଛି ବୋଲି ବେଞ୍ଚ କହିଛନ୍ତି ।

ଅଟୋର୍ନି ଜେନେରାଲଙ୍କ ପରାମର୍ଶ ମାଗିବା ସହ ବେଞ୍ଚ କହିଛନ୍ତି ଯେ, ‘କୋର୍ଟକୁ ଆପଣଙ୍କ ସହଯୋଗ ମଧ୍ୟ ଆବଶ୍ୟକତା ରହିଛି । ବଳପୂର୍ବକ ଭାବେ ଧର୍ମ ପରିବର୍ତ୍ତନ କରାଯାଉଛି କିମ୍ବା ଏହା ପଛରେ ଅନ୍ୟ କିଛି କାରଣ ରହିଛି ତାହା ଯାଞ୍ଚ କରାଯିବା ଆବଶ୍ୟକ । ଯଦି ସତରେ ଏଭଳି ହେଉଛି ତେବେ କଣ କରାଯିବା ଉଚିତ୍? ଏଥିପାଇଁ ଉପଯୁକ୍ତ ଉପାୟ କଣ ରହିଛି ?’

ଆଡଭୋକେଟ୍‌ ଅଶ୍ବିନୀ କୁମାର ଉପାଧ୍ୟାୟଙ୍କ ପକ୍ଷରୁ ରୁଜୁ ପିଟିସନ ଉପରେ ସୋମବାର ଶୁଣାଣି ହୋଇଥିଲା । ଆଡଭୋକେଟ୍‌ ପି. ଓ୍ବିଲସନ୍ ଯିଏକି ତାମିଲନାଡୁ ପକ୍ଷରୁ ମାମଲା ଲଢୁଛନ୍ତି, ପିଟିସନରଙ୍କୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ପିଆଇଏଲ୍‌ ଫାଇଲ୍‌ କରିଥିବା କହିଥିଲେ । ତାମିଲନାଡୁରେ ଧର୍ମ ପରିବର୍ତ୍ତନର କୌଣସି ଗୋଟିଏ ମାମଲା ନଥିବା କହିଥିଲେ ଓ୍ବିଲସନ୍‌ ।

ଆଡଭୋକେଟ୍ ଓ୍ବିଲସନଙ୍କ ଏଭଳି ଯୁକ୍ତି ଉପରେ ଆପତ୍ତି ଉଠାଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି, ‘ଏଭଳି କହିବା ପଛରେ ଆପଣଙ୍କର ଅନେକ କାରଣ ଥାଇପାରେ । କିନ୍ତୁ କୋର୍ଟଙ୍କ କାର୍ଯ୍ୟାବଳୀକୁ ଅନ୍ୟ କୌଣସି ପ୍ରସଙ୍ଗରେ ବଦଳାନ୍ତୁ ନାହିଁ । ଆମେ ପୂରା ରାଜ୍ୟ ପାଇଁ ଚିନ୍ତାଶୀଳ । ଯଦି ଏହା କେବଳ ଆପଣଙ୍କ ରାଜ୍ୟରେ ଘଟୁଛି, ତେବେ ତାହା ଦୁଃଖଦ । ଯଦି ଘଟୁନାହିଁ ତେବେ ବହୁତ ଭଲ । କିନ୍ତୁ ଗୋଟିଏ ରାଜ୍ୟକୁ ଟାର୍ଗେଟ୍‌ କରାଯାଉଛି ବୋଲି ଭାବନ୍ତୁନି ଏବଂ ଏହି ପ୍ରସଙ୍ଗକୁ ରାଜନୀତିକରଣ କରନ୍ତୁନି।

ବଳପୂର୍ବକ ଧର୍ମ ପରିବର୍ତ୍ତନ କରାଇବା ଦେଶର ସୁରକ୍ଷା ପ୍ରତି ବିପଦ ବୋଲି କିଛିଦିନ ପୂର୍ବରୁ ସୁପ୍ରିମକୋର୍ଟ କହିଥିଲେ । ତେଣୁ ଏଭଳି ଗମ୍ଭୀର ପ୍ରସଙ୍ଗକୁ ଗୁରୁତର ସହ ନେଇ ତୁରନ୍ତ ସମାଧାନ କରିବା ପାଇଁ ରାସ୍ତା ବାହାର କରିବାକୁ କେନ୍ଦ୍ର ସରକାରଙ୍କୁ କହିଥିଲେ କୋର୍ଟ । ତା’ ନହେଲେ ଆଗକୁ ସ୍ଥିତି ବିଗିଡିପାରେ ।

Comments are closed, but trackbacks and pingbacks are open.