ନୂଆ ୟୁନିଫର୍ମ ପଛରେ ରହିଛି ରାଜନୈତିକ ଉଦ୍ଦେଶ୍ୟ: ସୂରଜ

318

ଭଦ୍ରକ: ସ୍କୁଲ ୟୁନିଫର୍ମକୁ ନେଇ ଆରମ୍ଭ ହୋଇ ଯାଇଛି ରାଜନୀତି । ୧୦ ତାରିଖ ରାଜ୍ୟ ସରକାର ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ବଦଳିବା ପାଇଁ ଆଡଭାଇଜରି ଜାରି କରିବା ପରେ ଆଜି ପ୍ରତିବାଦର ସ୍ୱର ଉଠାଇଛି ବିଜେପି । ଟୁଇଟ କରି ବିଜେପି ବିଧାୟକ ସୂରଜ ସୂର୍ଯ୍ୟବଂଶୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସ୍କୁଲ ୟୁନିଫର୍ମ ବଦଳାଇବା ପଛରେ ବିଜେଡି ସରକାରଙ୍କ ରାଜନୈତିକ ଉଦ୍ଦେଶ୍ୟ ରହିଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ ।

ଟୁଇଟ କରି ସୂରଜ ସୂର୍ଯ୍ୟବଂଶୀ କହିଛନ୍ତି,   ସରକାର ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନ ପ୍ରାପ୍ତ ସ୍କୁଲର ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ଧଳା ଓ ଘନନୀଳ ବଦଳରେ ‘ହଣ୍ଟର ଗ୍ରିନ୍‌’ ରଙ୍ଗର  କରିବାକୁ ଯାଉଛନ୍ତି । ପୂର୍ବରୁ ଓଡ଼ିଶା ସରକାର ୫-ଟି ହାଇସ୍କୁଲ ରୂପାନ୍ତରଣ ଯୋଜନାରେ ସ୍କୁଲ ଓ କଲେଜ ଆଦିକୁ ସବୁଜ ରଙ୍ଗ କରିଥିଲା । ଏବେ ସ୍କୁଲ ୟୁନିଫର୍ମର ରଙ୍ଗ ସବୁଜ କରିବା ପାଇଁ ଚିନ୍ତା କରିଛନ୍ତି ସରକାର ।  ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପରୋକ୍ଷ ଭାବେ ଦଳୀୟ ଭାବନାକୁ ଟାଣୁ ଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଧାୟକ ।

ସେତିକୁ ନୁହେଁ,  ମୁଖ୍ୟମନ୍ତ୍ରୀ ପରିଧାନ ଯୋଜନାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସୂରଜ ସୂର୍ଯ୍ୟବଂଶୀ ।  ‘ସମଗ୍ର ଶିକ୍ଷା’ ଯୋଜନା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ସ୍କୁଲ ୟୁନିଫର୍ମ ପାଇଁ ଓଡ଼ିଶାକୁ ବାର୍ଷିକ ପ୍ରାୟ ୨୪୦ କୋଟି ଟଙ୍କା ଅନୁଦାନ ଦେଉଛନ୍ତି କେନ୍ଦ୍ର ସରକାର । ତେଣୁ  ରାଜ୍ୟ ସରକାରଙ୍କର  ‘ମୁଖ୍ୟମନ୍ତ୍ରୀ ପରିଧାନ’ ଯୋଜନା କାହିଁକି ? ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାର ନାଁ ବଦଳାଇ କେନ୍ଦ୍ର ଅନୁଦାନରେ ନିଜ ନାଁରେ ଯୋଜନା ଘୋଷଣା କରିଛନ୍ତି  ବୋଲି ସେ ଅଭିଯୋଗ ଆଣିଛନ୍ତି ।

ଓଡ଼ିଶାର ବିଜେଡି ସରକାର ପିଲାଙ୍କ କୋମଳ ମନରେ  ଦଳୀୟ ରାଜନୀତି  ଭାବନା ଭର୍ତ୍ତି କରିବା ଉଦ୍ଦେଶ୍ୟରେ  ସମ୍ପୂର୍ଣ୍ଣ ୟୁନିଫର୍ମକୁ ସବୁଜ କରିବା ପାଇଁ ଚିନ୍ତା କରୁଛନ୍ତି । ଏଥି ସହିତ ୟୁନିଫର୍ମ ଉପରେ  ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର ମାରିବାକୁ ଯାଉଛନ୍ତି ଯାହା ଅତ୍ୟନ୍ତ ଦୁଃଖଦାୟକ । ପରବର୍ତ୍ତୀ ସମୟରେ ‘ନୂଆ’ର ପ୍ରତିଶବ୍ଦ ଆଳରେ କେତେବେଳେ ତାହା ‘ନବୀନ’ ରେ ପରିଣତ ହୋଇ ଯାଇ ପାରେ ବୋଲି ସେ କଟାକ୍ଷ କରିଛନ୍ତି ।

ରାଜ୍ୟର ଅନେକ ସ୍ଥାନରେ ୫-ଟି ହାଇସ୍କୁଲ ରୂପାନ୍ତରଣ ଯୋଜନାରେ ହୋଇଥିବା ସ୍କୁଲର ଛାତରୁ ପାଣି ପଡୁଥିବା ବେଳେ କେଉଁଠି  ସ୍କୁଲର ପାଚେରି ଭାଙ୍ଗିଯାଉଛି । ଏଥିପ୍ରତି ଦୃଷ୍ଟି ନ ଦେଇ ୟୁନିଫର୍ମ ବଦଳ ପଛରେ ସରକାର କାହିଁକି ପଡିଛନ୍ତି ?  ଛାତ୍ରଛାତ୍ରୀ ମାନଙ୍କୁ ନେଇ ରାଜ୍ୟ ସରକାର ଯେଉଁ ରାଜନୀତି କରୁଛନ୍ତି, ଏହା ଅକ୍ଷମଣୀୟ ବୋଲି କହିଛନ୍ତି ବିଜେପି ବିଧାୟକ ।

ସୂଚନାଥାଉ କି,   ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ  ସ୍କୁଲ ୟୁନିଫର୍ମ ବଦଳିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି ।  । ଚେକ୍ ସାର୍ଟ ଓ ଫୁଲ୍ ଫ୍ୟାଣ୍ଟରେ ସ୍କୁଲ୍ ଆସିବେ ଛାତ୍ର। ଛାତ୍ରୀଙ୍କ ଲାଗି ଚୁଡିଦାର-ପଞ୍ଜାବୀ ସହ ଜ୍ୟାକେଟ୍ ମଧ୍ୟ ରହିଛି। ସମସ୍ତେ ଜୋତା ଓ ମୋଜା ପିନ୍ଧି ଆସିବେ ସ୍କୁଲ୍। ଏଥିସହିତ ଡ୍ରେସରେ ରହିବ ‘ଆମେ ଗଢିବୁ ନୂଆ ଓଡିଶା’ ଲୋଗୋ।

ସପ୍ତାହକୁ ୫ ଦିନ ଛାତ୍ରଛାତ୍ରୀ ୟୁନିଫର୍ମ ପିନ୍ଧିବେ ଏବଂ ଗୋଟିଏ ଦିନ ଅର୍ଥାତ ଶନିବାର ଛାତ୍ରଛାତ୍ରୀ ଟି-ସାର୍ଟ ଓ ଟ୍ରାକ୍ ପ୍ୟାଣ୍ଟ ପିନ୍ଧି ବିଦ୍ୟାଳୟକୁ ଆସିବେ। ଆସନ୍ତା ଅଗଷ୍ଟ ୧୫ରେ ସ୍କୁଲରେ ନୂଆ ୟୁନିଫର୍ମ ବଣ୍ଟନ ହେବ। ସମ୍ପୂର୍ଣ୍ଣ ଘରୋଇ ସ୍କୁଲ ପିଲାଙ୍କ ପରି ୟୁନିଫର୍ମ ପ୍ରସ୍ତୁତ କରାଯାଉଛି। ଏହି ପୋଷାକ ପ୍ରତି ପିଲାମାନେ ଆକର୍ଷିତ ହେବେ ବୋଲି ଶିକ୍ଷା ଅଧିକାରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ଏହାକୁ ବଣ୍ଟନ କରାଯିବ ବୋଲି ଏହି ଆଡଭାଇଜରିରେ କୁହାଯାଇଛି ।

Comments are closed, but trackbacks and pingbacks are open.