ପୋଲିସ SI ଜାଲିଆତି ମାମଲା; ଶଙ୍କରଙ୍କ ଘନିଷ୍ଠ ସହଯୋଗୀକୁ ବାନ୍ଧିଲା CBI

215

ଭୁବନେଶ୍ୱର: ପୋଲିସ ଏସ୍ଆଇ ପରୀକ୍ଷା ଜାଲିଆତି ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ଇପିଲି ସୀତାରାମ। ବ୍ରହ୍ମପୁରରୁ ସିବିଆଇ ଟିମ୍ ତାଙ୍କୁ ଶୁକ୍ରବାର ଗିରଫ କରିଥିଲା। ଶନିବାର ସୀତାରାମଙ୍କୁ ସ୍ୱତନ୍ତ୍ର ସିବିଆଇ କୋର୍ଟକୁ ଚାଲାଣ କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୀତାରାମଙ୍କୁ ମିଶାଇ ସିବିଆଇ ଦ୍ୱାରା ଗିରଫଦାରୀ ସଂଖ୍ୟା 18ରେ ପହଞ୍ଚିଥିବା ସୂଚନା ମିଳିଛି। ତେବେ ଏନେଇ ବିଧିବଦ୍ଧ ଭାବେ ସିବିଆଇ ପକ୍ଷରୁ ସୂଚନା ଦିଆଯାଇନାହିଁ। ତେବେ ଗିରଫ ସୀତାରାମ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟୀଙ୍କ ଘନିଷ୍ଠ ସହଯୋଗୀ ଥିଲେ ବୋଲି ସୂଚନା ମିଳିଛି। ସିବିଆଇ ଏହି ମାମଲାରେ ଆନ୍ତଃରାଜ୍ୟ ଲିଙ୍କ ପାଇଛି। ଗତ ଡିସେମ୍ବର ତୃତୀୟ ସପ୍ତାହରେ ବିହାରରୁ ଜଣେ ଅଭିଯୁକ୍ତଙ୍କୁ ସିବିଆଇ ଗିରଫ କରିଥିଲା। ସେ ହେଲେ ଅମିତ୍ ଭାରତୀ। ଶଙ୍କର ଓ ସହ ଅଭିଯୁକ୍ତ ସୁରେଶ ଚନ୍ଦ୍ରଙ୍କୁ ଜେରା କରାଯିବା ପରେ ଅମିତଙ୍କୁ ଭୁବନେଶ୍ୱର ଅଣାଯାଇଥିଲା। ସେହି ସମୟରେ ଶଙ୍କର, ସୁରେଶ ଏବଂ ଅନ୍ୟ ଅଭିଯୁକ୍ତ ସାଗର ଗୌଡ଼ଙ୍କୁ 4 ଦିନିଆ ରିମାଣ୍ଡରେ ସିବିଆଇ ଆଣି ମାରାଥନ୍ ଜେରା କରିଥିଲା। ଶଙ୍କର, ସୁରେଶଙ୍କଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରାଯାଇଥିଲା। ଏହାପରେ ତାଙ୍କ ପାଖରୁ ବିହାରର ଅମିତଙ୍କ ବାବଦରେ ଜଣାପଡିିଥିଲା। ଏପରିକି ଏହି ଘଟଣାରେ ଗୁଜୁରାଟରେ ମଧ୍ୟ ସିବିଆଇ ଚଢ଼ଉ କରିଥିଲା।

Comments are closed, but trackbacks and pingbacks are open.