ଭୁବନେଶ୍ୱର: ରାଜ୍ୟରେ ଗୋରୁ ଚୋରି ଓ ଅବୈଧ ଚାଲାଣ ରୋକିବା ପାଇଁ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଏକ ବଡ଼ ଧରଣର ଅଭିଯାନ। ପୂର୍ବାଞ୍ଚଳ ରେଞ୍ଜ ପୋଲିସ ପକ୍ଷରୁ ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏକକାଳୀନ ଘନଘନ ଚଢ଼ାଉ ଜାରି ରହିଛି। ପୂର୍ବାଞ୍ଚଳ ରେଞ୍ଜ ଡିଆଇଜି ପିନାକ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୩ଟି ଜିଲ୍ଲାର ପ୍ରାୟ ୩୨ଟି ସ୍ଥାନରେ ଏହି ଅପରେସନ ଚାଲିଛି। ଏହି ମେଗା ଅପରେସନରେ ୧୮ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଗୋ-ମାଫିଆଙ୍କ ଆସ୍ଥାନରୁ ୫୦ ଲକ୍ଷରୁ ଅଧିକ ନଗଦ ଟଙ୍କା ସହ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରାଯାଇଛି। ଏହି ମାମଲାରେ ଏପର୍ଯ୍ୟନ୍ତ ଭଦ୍ରକରୁ ୬ ଜଣ ଏବଂ ବାଲେଶ୍ୱର ଓ ମୟୂରଭଞ୍ଜରୁ ୪ ଜଣ ଲେଖାଏଁ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି। ଡିଆଇଜି ପିନାକ ମିଶ୍ରଙ୍କ ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର ୭ଟି ଥାନା ଅଞ୍ଚଳରେ ଥିବା ୧୫ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଗୋ-ଚାଲାଣ ପ୍ରତି ସରକାରଙ୍କ ‘ଜିରୋ ଟଲରାନ୍ସ’ ନୀତି ରହିଛି ଏବଂ ଏହି ବେଆଇନ କାରବାରରେ ସମ୍ପୃକ୍ତ କାହାରିକୁ ଛଡ଼ାଯିବ ନାହିଁ। ଅପରେସନ ଶେଷ ହେବା ପରେ ସବିଶେଷ ତଥ୍ୟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।
Comments are closed, but trackbacks and pingbacks are open.