ଭୁବନେଶ୍ୱର: ସୌମ୍ୟରଞ୍ଜନ ସ୍ୱାଇଁ ମୃତ୍ୟୁ ମାମଲାର ତଦନ୍ତ ଘଟଣାରେ ପୋଲିସ ଡିଜିପି ବିନୟତୋଷ ମିଶ୍ର ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ପୋଲିସ ଚାପରେ ପଡ଼ି ନିର୍ଦୋଷଙ୍କୁ ଗିରଫ କରିଥିଲା । ଯେତେବେଳେ କାହାର ବୟାନ ଉପରେ ସନ୍ଦେହ ସୃଷ୍ଟି ହୁଏ, ସେତେବେଳେ ହିଁ ଲାଇ ଡିଟେକ୍ସନ୍ ଟେଷ୍ଟ କରାଯାଏ । କୌଣସି ବ୍ୟକ୍ତି ଅଭିଯୋଗ ଆଣିଲା ମାତ୍ରେ ପ୍ରଥମରୁ ହିଁ ତାଙ୍କୁ ସନ୍ଦେହ କରି ଲାଇ ଡିଟେକ୍ସନ୍ କରିବା ତଦନ୍ତର ମୂଳ ସିଦ୍ଧାନ୍ତ ବିରୁଦ୍ଧ ଅଟେ । ଯେଉଁଠାରେ ତଦନ୍ତକାରୀ ଟିମ୍କୁ ସନ୍ଦେହ ଲାଗିଥିଲା, ସେଠାରେ ସୌମ୍ୟଙ୍କ ସାଙ୍ଗ ଓମ୍ଙ୍କର ପୋଲିଗ୍ରାଫ୍ ଟେଷ୍ଟ କରାଯାଇସାରିଛି । ଏହା ସହିତ ଡିଜିପି ସ୍ପଷ୍ଟ କରିଛନ୍ତି ଯେ, କ୍ରାଇମ୍ବ୍ରାଞ୍ଚ ସମ୍ପୂର୍ଣ୍ଣ ଭାବେ ନିଜର କାର୍ଯ୍ୟ କରୁଛି ଏବଂ କୌଣସି ବାହ୍ୟ ଚାପ ରେ କାମ କରିବାର ପ୍ରଶ୍ନ ଉଠୁନାହିଁ । ଘଟଣାର ପ୍ରାରମ୍ଭିକ ପର୍ଯ୍ୟାୟରେ ଏଫ୍ଆଇଆର୍ରେ କେବଳ ଡାକନାମ ଥିବାରୁ ଏବଂ ଚାପ ଯୋଗୁଁ କିଛି ଲୋକଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ କ୍ରାଇମ୍ବ୍ରାଞ୍ଚ ତଦନ୍ତ କରି ସେମାନେ ନିର୍ଦ୍ଦୋଷ ବୋଲି ଜାଣିବା ପରେ ତାଙ୍କୁ ଛାଡ଼ି ଦେଇଛି l ସୌମ୍ୟଙ୍କ ବାପା ଉଠାଇଥିବା ପ୍ରତ୍ୟେକଟି ପଏଣ୍ଟକୁ ଇନଭେଷ୍ଟିଗେସନ୍ରେ କଭର୍ କରାଯାଇଛି । ଘଟଣାର ତାରିଖ, ସମୟ, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ, ଭିଡିଓ ଫୁଟେଜ୍ ଏବଂ ଅନ୍ୟାନ୍ୟ ପର୍ଯ୍ୟାପ୍ତ ସାଇଣ୍ଟିଫିକ୍ ପ୍ରମାଣ ପୋଲିସ ହାତରେ ରହିଛି । ଯେପର୍ଯ୍ୟନ୍ତ ଏହି ଘଟଣାର ପୂର୍ଣ୍ଣାଙ୍ଗ ସତ୍ୟାସତ୍ୟ ସାମ୍ନାକୁ ନଆସିଛି, ସେପର୍ଯ୍ୟନ୍ତ ତଦନ୍ତ ପ୍ରକ୍ରିୟା ନିରବଚ୍ଛିନ୍ନ ଭାବେ ଚାଲୁରହିବ ବୋଲି କହିଛନ୍ତି ଡିଜିପି ।
Comments are closed, but trackbacks and pingbacks are open.