ବାରାଣସୀରେ ପ୍ରାୟ ୨,୨୦୦ କୋଟିର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

235

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣସୀରେ ପ୍ରାୟ ୨,୨୦୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ଶ୍ରାବଣ ମାସରେ ବାରାଣସୀର ପରିବାର ସହ ସାକ୍ଷାତ କରି ତାଙ୍କର ହୃଦୟସ୍ପର୍ଶୀ ଭାବନା ପ୍ରକାଶ କରିଛନ୍ତି। ବାରାଣସୀର ଲୋକଙ୍କ ସହିତ ତାଙ୍କର ଗଭୀର ଭାବପ୍ରବଣ ସମ୍ପର୍କକୁ ଉଲ୍ଲେଖ କରି ଶ୍ରୀ ମୋଦୀ ସହରର ପ୍ରତ୍ୟେକ ପରିବାର ସଦସ୍ୟଙ୍କୁ ତାଙ୍କର ସୌହାର୍ଦ୍ଦ୍ୟପୂର୍ଣ୍ଣ ଶୁଭେଚ୍ଛା ଜଣାଇଛନ୍ତି। ପବିତ୍ର ଶ୍ରାବଣ ମାସରେ ଭିଡିଓ କନଫରେନ୍ସ ମାଧ୍ୟମରେ ଦେଶବ୍ୟାପୀ କୃଷକମାନଙ୍କ ସହିତ ସଂଯୋଗ ସ୍ଥାପନ କରି ଶ୍ରୀ ମୋଦୀ ସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଅପରେସନ ସିନ୍ଦୂର ପରେ ଏହା ତାଙ୍କର ପ୍ରଥମ ବାରାଣସୀ ଗସ୍ତ । ସେ ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ମନେ ପକାଇ କହିଛନ୍ତି ଯେ, ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ଶ୍ରୀ ମୋଦୀ ଘଟଣାରେ ପୀଡିତ ପରିବାରମାନଙ୍କ ବିଶେଷକରି ସେଇ ଶିଶୁ ଓ ଝିଅମାନଙ୍କ ଦୁଃଖ ଓ ବେଦନା ପ୍ରତି ଗଭୀର ସମବେଦନା ବ୍ୟକ୍ତ କରିଛନ୍ତି । ସେ ମନ୍ତବ୍ୟ ଦେଇଛନ୍ତି ଯେ, ତାଙ୍କ ହୃଦୟ ଦୁଃଖରେ ଗଭୀର ଭାବରେ ଭାରାକ୍ରାନ୍ତ ଥିଲା ଓ ସେ ସମୟରେ ସେ ସମସ୍ତ ଶୋକସନ୍ତପ୍ତ ପରିବାରକୁ ସେମାନଙ୍କର ଦୁଃଖ ସହ୍ୟ କରିବା ପାଇଁ ଶକ୍ତି ପ୍ରଦାନ କରିବାକୁ ବାବା ବିଶ୍ୱନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ, ଝିଅମାନଙ୍କ ସିନ୍ଦୂରର ପ୍ରତିଶୋଧ ନେବା ପାଇଁ ସେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ ହୋଇଛି । ସେ ଗୁରୁତ୍ୱାରୋପ କରିଛନ୍ତି ଯେ, ଏହା କେବଳ ଭଗବାନ ମହାଦେବଙ୍କ ଆଶୀର୍ବାଦ ଦ୍ୱାରା ସମ୍ଭବ ହୋଇପାରିଛି ଏବଂ ଅପରେସନ ସିନ୍ଦୂରର ସଫଳତାକୁ ଭଗବାନ ମହାଦେବଙ୍କ ପାଦରେ ସମର୍ପିତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତ କିଛି ଦିନ ଧରି ସେ ବାରାଣସୀରେ ଗଙ୍ଗାଜଳ ବହନ କରୁଥିବା ଶିବଭକ୍ତମାନଙ୍କର ଦିବ୍ୟ ରୂପ ଅନୁଭବ କରୁଥିଲେ, ବିଶେଷକରି ଶ୍ରାବଣ ମାସର ପ୍ରଥମ ସୋମବାରରେ, ଯେତେବେଳେ ଭକ୍ତମାନେ ବାବା ବିଶ୍ୱନାଥଙ୍କ ପବିତ୍ର ଜଳାଭିଷେକ କରିବାକୁ ଯାତ୍ରା ଆରମ୍ଭ କରିଥିଲେ । ସେ ଗୌରୀ କେଦାରନାଥରୁ ଗଙ୍ଗାଜଳ ବହନ କରୁଥିବା ଯାଦବ ଭାଇମାନଙ୍କର ମନୋରମ ଦୃଶ୍ୟ ଉପରେ ମନ୍ତବ୍ୟ ଦେଇ ଏହାକୁ ଏକ ପ୍ରକୃତ ମନମୋହକ ଦୃଶ୍ୟ ବୋଲି ବର୍ଣ୍ଣନା କରିଛନ୍ତି । ଡମ୍ବରୁର ଶବ୍ଦ, ଗଳିଗୁଡ଼ିକରେ ସ୍ପନ୍ଦନଶୀଳ ଉତ୍ସାହ ଭଳି ପରିବେଶକୁ  ସେ ବିରଳ ଅନୁଭୂତି ବୋଲି ବ୍ୟାଖ୍ୟା କରିଛନ୍ତି । ଶ୍ରୀ ମୋଦୀ ପବିତ୍ର ଶ୍ରାବଣ ମାସରେ ବାବା ବିଶ୍ୱନାଥ ଏବଂ ମାର୍କଣ୍ଡେୟ ମହାଦେବଙ୍କୁ ଦର୍ଶନ କରିବାକୁ ଆନ୍ତରିକ ଇଚ୍ଛା ପ୍ରକାଶ କରିଥିଲେ । ହେଲେ, ସେ ଉଲ୍ଲେଖ କରିଛନ୍ତି ଯେ, ଭକ୍ତମାନଙ୍କର ପ୍ରବଳ ଭିଡ଼ ଥିବାରୁ ତାଙ୍କର ଉପସ୍ଥିତି ମହାଦେବ ଭକ୍ତମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ କିମ୍ବା ସେମାନଙ୍କ ଦର୍ଶନରେ ବାଧା ଉପୁଜି ପାରେ, ତେଣୁ ଏଠାରୁ ହିଁ ଭଗବାନ ଭୋଲେନାଥ ଏବଂ ମା ଗଙ୍ଗାଙ୍କୁ ପ୍ରଣାମ କରିଛନ୍ତି ।

Comments are closed, but trackbacks and pingbacks are open.