ମାହାଙ୍ଗାରୁ ପ୍ରଧାନମନ୍ତ୍ରୀଙ୍କ ‘ଗରିବ କଲ୍ୟାଣ ସମ୍ମେଳନ’ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ପିଏମ କିଷାନରେ ଓଡ଼ିଶାର ୩୨.୯୮ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୭୦୩.୪୬ କୋଟି ଟଙ୍କା-ଧର୍ମେନ୍ଦ୍ର ପ୍ରଧାନ

38

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧାପ୍ରସାରଣକୁ ଗରିବ କଲ୍ୟାଣ ହିତାଧିକାରୀଙ୍କ ସହ ଦେଖିଲେ କେନ୍ଦ୍ରମନ୍ତ୍ରୀ
ଚା ୬ ଚାଷୀଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ
ଚା ପିଏମ୍ ‘କିଷାନ ସମ୍ମାନ ନିଧି’ର ୧୧ତମ କିସ୍ତିରେ ଦେଶର ୧୦ କୋଟିରୁ ଅଧିକ କୃଷକ ମାନଙ୍କୁ ୨୧,୦୦୦ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କଲେ ପ୍ରଧାନମନ୍ତ୍ରୀ
ଚା ପ୍ରଧାନମନ୍ତ୍ରୀ ମୋଦି ଦାୟିତ୍ୱ ନେବା ପରେ ଗରିବଙ୍କ ପାଇଁ ନେଇଥିବା ଶପଥ ଆଜି ସଫଳ ହୋଇଛି
ଚା କୃଷିର ବିକାଶ ଓ କୃଷକଙ୍କ କଲ୍ୟାଣ ପାଇଁ ସର୍ବଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଦ୍ଧ ପରିକର
ଚା ଜୀବନର ସୁଗମତା ପ୍ରତ୍ୟେକ ନାଗରିକଙ୍କ ଅଧିକାର, ଯାହା ମୋଦି ସରକାରଙ୍କ ପ୍ରାଥମିକତାରେ ରହିଛି

ମାହାଙ୍ଗା, ମଇ ୩୧- ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ହିମାଚଳ ପ୍ରଦେଶର ସିମଲା ଠାରେ ‘ଗରିବ କଲ୍ୟାଣ ସମ୍ମେଳନ’ରେ ପିଏମ୍ ‘କିଷାନ ସମ୍ମାନ ନିଧି’ର ୧୧ତମ କିସ୍ତି ଚାଷୀଙ୍କୁ ହସ୍ତାନ୍ତର କରିଛନ୍ତି । ଭାରତବର୍ଷର ୧୦ କୋଟିରୁ ଅଧିକ କୃଷକ ମାନଙ୍କୁ ୨୧,୦୦୦ କୋଟିରୁ ଅଧିକ ଟଙ୍କା ଦିଆଯାଇଥିବା ବେଳେ ଓଡ଼ିଶାର ୩୨.୯୮ ଲକ୍ଷ ପଞ୍ଜିକୃତ ଚାଷୀ ଭାଇ ଭଉଣୀ ବ୍ୟାଙ୍କ୍ ଖାତାରେ ୭୦୩.୪୬ କୋଟି ଟଙ୍କା ପାଇ ଲାଭବାନ ହୋଇଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କଟକ ଜିଲ୍ଲା ମାହାଙ୍ଗା ବରାହିପୁର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନର ୮ ବର୍ଷ ପୂର୍ତି ଉପଲକ୍ଷେ ଆୟୋଜିତ ‘ଗରିବ କଲ୍ୟାଣ ସମ୍ମେଳନ’ରେ ଶ୍ରୀ ପ୍ରଧାନ ସାମିଲ ହେବା ଅବସରରେ ଏହା କହିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧାପ୍ରସାରଣକୁ ଗରିବ କଲ୍ୟାଣର ହିତାଧିକାରୀଙ୍କ ସହ ଦେଖିଥିଲେ । ପରେ ୬ ଜଣ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସେମାନେ ହେଲେ ରୁକମଣୀ ନାୟକ, ଉଧବ ଚରଣ ପାଢ଼ି, ଭରତ ଜେନା, ଅପର୍ଣ୍ଣା ସେଠୀ, କମଳ ଲୋଚନ ମଲ୍ଲ ଓ ମନୋଜ କୁମାର ନନ୍ଦ ।


ପ୍ରଧାନମନ୍ତ୍ରୀଙ୍କ ‘ଗରିବ କଲ୍ୟାଣ ସମ୍ମେଳନ’ରେ ଯୋଗ ଦେଇଥିବା ହଜାର ହଜାର ସମବେତ ଜନତାଙ୍କୁ ସାଧୁବାଦ ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଯେ ଆଜି ଆମେ ସମସ୍ତେ ମୋଦି ସରକାରଙ୍କ ୮ ବର୍ଷ ସେବା, ସୁଶାସନ ଓ ଗରିବ କଲ୍ୟାଣ ପର୍ବର ସାକ୍ଷୀ ହୋଇଛେ । ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେବା ଠାରୁ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ଦୀର୍ଘ ୨୦ ବର୍ଷ ଯାତ୍ରାରେ କୃଷିର ବିକାଶ ଓ କୃଷକଙ୍କ କଲ୍ୟାଣ ପାଇଁ ସର୍ବଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଦ୍ଧପରିକର । ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ଶପଥ କରି କହିଥିଲେ ‘ମୋ ସରକାର ଗରିବ, କୃଷକ, ମହିଳା ଦଳିତ, ବଂଚିତ, ଜନଜାତିଙ୍କ ପାଇଁ ସମର୍ପିତ ରହିବ\’ ।
ଆଜି ଦେଶର ୧୧.୯୨ କୋଟି ଚାଷୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ତିନି ମାସରେ ୨ ହଜାର ଟଙ୍କା ହିସାବରେ ବାର୍ଷିକ ୬ ହଜାର ଟଙ୍କା ରାଶି ପାଉଛନ୍ତି । ସେହିପରି ଆବାସ ଯୋଜନାରେ ପକ୍କା ଘର, କିଷାନ ସମ୍ମାନ ନିଧିରେ ଚାଷୀଙ୍କୁ ଟଙ୍କା, ସ୍ୱଚ୍ଛ ଭାରତ ମିଶନରେ ଶୌଚାଳୟ, ଉଜ୍ଜ୍ୱଳାରେ ଗ୍ୟାସ, କରୋନା ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଖାଦ୍ୟାନ୍ନ ଟଙ୍କା ପ୍ରଧାନମନ୍ତ୍ରୀଙ୍କ ଶପଥର ପ୍ରତିଫଳନ ।
ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶ ସିମଲାରେ ‘ଗରିବ କଲ୍ୟାଣ ସମ୍ମେଳନ’ରେ କହିଛନ୍ତି, “ସରକାର ଏବେ ଦେଶର ସେବକ,ଜନତା ଜନାର୍ଦ୍ଦନଙ୍କ ସେବକ । ଆଜି ସରକାରୀ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବରେ ଗରିବଙ୍କ ସହ ଯୋଡ଼ାଯାଇଛି” । ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ତା ଦେଶର ଗରିବ ଓ ସମାଜ ଅନ୍ତିମ ଶ୍ରେଣୀର ବ୍ୟକ୍ତିଙ୍କ ଭାବନାକୁ ଜାଗ୍ରତ କରିଛି । ଜୀବନର ସୁଗମତା ପ୍ରତ୍ୟେକ ନାଗରିକଙ୍କ ଅଧିକାର, ଯାହା ମୋଦି ସରକାରଙ୍କ ପ୍ରାଥମିକତାରେ ରହିଛି । ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୮ ବର୍ଷର ସେବା,ସୁଶାସନ ଓ ଗରିବ କଲ୍ୟାଣର ସାକ୍ଷୀ ହେବା ଅବସରରେ ତାଙ୍କ ଦୀର୍ଘାୟୁ କାମନା କରିବା ଓ ବିଶ୍ୱ ଦରବାରରେ ଭାରତର ମାନ ମର୍ଯ୍ୟାଦାକୁ ଶିଖରକୁ ନେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

Comments are closed, but trackbacks and pingbacks are open.