ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶାଗସ୍ତରେ ପରିବର୍ତ୍ତନ,୧୨ ନୁହେଁ ୨୦ରେ ଆସିବେ

151

ଭୁବନେଶ୍ୱର:- ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସୂଚୀରେ ପରିବର୍ତ୍ତନ ହୋଇଥିବା ନେଇ ସୂଚନା ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ । ଜୁନ ୧୨ ନୁହେଁ ୨୦ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜୁନ ୧୨ରେ ଓଡ଼ିଶାରେ ବିଜେପି ସରକାରକୁ ବର୍ଷେ ପୂରୁଛି । ଏଥିପାଇଁ ବିଶାଳ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ତେବେ ୧୨ ତାରିଖର ମୂଳ କାର୍ଯ୍ୟକ୍ରମ ୨୦ ତାରିଖକୁ ଘୁଞ୍ଚିଛି । ୧୨ରୁ ୨୦ ତାରିଖ ଯାଏ ଚୂଡ଼ାନ୍ତ କାର୍ଯ୍ୟସୂଚୀ ଆଜି ଆସିଯିବା ନେଇ ସୂଚନା ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭରସା କରି ବିଜେପିକୁ ଭୋଟ୍‌ ଦେଇଥିଲେ ଓଡିଶାର ଜନତା । ନିର୍ବାଚନ ପ୍ରଚାରରେ ଓଡ଼ିଶାର ଲୋକଙ୍କୁ ବିକଶିତ ଓଡ଼ିଶାର ପ୍ରତିଶ୍ରୁତି ଦେଇଥିଲେ ସେ । ବର୍ଷକ ଭିତରେ କେତେ ପ୍ରତିଶ୍ରୁତି ପୂରଣ ହୋଇଛି ଆଉ କେତେ ବାକି ରହିଛି ସେନେଇ ହିସାବ ନିକାଶ ହେବ । ବର୍ଷକ ମଧ୍ୟରେ ୨୧ରୁ ୧୧ଟି ପ୍ରତିଶ୍ରୁତି ପୂରଣ କରିଥିବା ରିପୋର୍ଟ କାର୍ଡ ଜନତାଙ୍କ ଆଗରେ ରଖିବେ ମୋହନ ସରକାର । ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହ କିଛି କେନ୍ଦ୍ରମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ସାମିଲ ହେବାର ସୂଚନା ରହିଛି । ତେବେ ବର୍ଷକ ମଧ୍ୟରେ ଷଷ୍ଠ ଥର ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ।

Comments are closed, but trackbacks and pingbacks are open.