ରାଷ୍ଟ୍ରପତି ଙ୍କୁ ଇଛା ମୃତ୍ୟୁ ମାଗିଲେ ପିହୁ ର ମା’

120

ବହୁ ଚର୍ଚ୍ଚିତ ଯାଜପୁର ର ୨ ବର୍ଷର ଶିଶୁକନ୍ୟା ପିହୁ ନିଖୋଜ ନେଇ ଏଯାଏ କୌଣସି ପତ୍ତା ମିଳିଲା ନାହିଁ I ନିଜ ଝିଅ ପାଇଁ ପ୍ରଶାସନ ଠାରୁ କୌଣସି ନ୍ୟାୟ ନ ମିଳିବାରୁ ଇଛା ମୃତ୍ୟୁ ମାଗିଛନ୍ତି ପିହୁ ର ମା’ I ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ପିହୁର ମା’ ମୋନାଲିସା। ଅସହାୟ ମା’ ନିଜ ସନ୍ତାନକୁ ହରାଇବା ଦୁଃଖ ସହିନପାରି ଶେଷରେ ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିଛନ୍ତି ।

ସୂଚନାନୁସାରେ ବିଂଝାରପୁର ଥାନା ଅନ୍ତର୍ଗତ ମଧୁସୁଦନପୁର ଗ୍ରାମର ମୋନାଲିସା ନାୟକ ଓ ଲକ୍ଷ୍ମଣ ନାୟକଙ୍କ ୨ ବର୍ଷର ଝିଅ ପିହୁ ୨୦୨୦ ଅଗଷ୍ଟ ୯ ତାରିଖ ଦିନ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇ ଯାଇଥିଲା I ତେବେ ଏହି ଘଟଣାକୁ ଦୁଇ ବର୍ଷ ହେବାକୁ ବସିଥିଲେ ମଧ୍ୟ ଏଯାଏ ତା’ର କୌଣସି ପତ୍ତା ମିଳୁନାହିଁ। ବିଝାଂରପୁର ପୁଲିସ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରିଥିଲେ ପିହୁର ମା’ Iପୁଲିସ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ, କ୍ରାଇମବ୍ରାଞ୍ଚ୍‌, ଶିଶୁ କମିଶନର, ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇ ସବୁଆଡୁ ନିରାଶ ହେବାପରେ ସେ ଏହି ଭଳି ପଦକ୍ଷେପ ନେଇଛନ୍ତି I

ପିହୁକୁ କେହି ଅପହରଣ କରିନେଇଥିବା ନେଇ ମା’ ମୋନାଲିସା ବିଞ୍ଝାରପୁର ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଘଟଣାରେ କୌଣସି ମାମଲା ରୁଜୁ କରାଗଲା ନାହିଁ । ବାରମ୍ବାର ଥାନାକୁ ଦୌଡ଼ିବାରୁ ସେହି ମାସ ୧୪ ତାରିଖରେ ବିଞ୍ଝାରପୁର ଥାନାରେ କେସ୍‌ ନଂ ୨୨୮/୨୦ରେ ଏକ ନିଖୋଜ ମାମଲା ରୁଜୁ କରାଗଲା । ହେଲେ ତଦନ୍ତ କରାଗଲା ନାହିଁ ।

ନ୍ୟାୟ ନ ପାଇ ପିହୁର ମା’ ମୋନାଲିସା ଯାଜପୁର ଏସ୍‌ପି, ଜିଲ୍ଲାପାଳ, କ୍ରାଇମବ୍ରାଞ୍ଚ, ପୁଲିସ ଡିଜି, ରାଜ୍ୟ ମହିଳା ଓ ଶିଶୁ କମିଶନ ଏବଂ ରାଜ୍ୟପାଳଙ୍କ ନିକଟରେ ଗୁହାରି କରି ସାରିଛନ୍ତି । ରାଜ୍ୟର ସମସ୍ତ ନ୍ୟାୟିକ ବ୍ୟବସ୍ଥାରେ ଅଭିଯୋଗ କରିଥିଲେ ବି ଆଜି ପର୍ଯ୍ୟନ୍ତ ପିହୁ ସଂପର୍କରେ କୌଣସି ଖବର ମିଳିପାରିଲା ନାହିଁ । ବିଞ୍ଝାରପୁର ପୁଲିସ ପିହୁର ପରିବାରକୁ ନ୍ୟାୟ ଦେବା ବଦଳରେ ବାରମ୍ବାର ଥାନାକୁ ଡାକି ମାନସିକ ନିର୍ଯାତନା ଦେଉଛନ୍ତି ବୋଲି ମୋନାଲିସା ତାଙ୍କ ଆବେଦନ ପତ୍ରରେ ଉଲ୍ଲେଖ କରିଛନ୍ତି । ତେବେ ପିହୁର ନିଖୋଜ ଘଟଣାରେ ସେ ଦୀର୍ଘ ଦିନଧରି ସିବିଆଇ ତଦନ୍ତ ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ ଏ ବିଷୟରେ କର୍ଣ୍ଣପାତ କରିନାହିଁ I ତେଣୁ ସେ ସେ କହିଛନ୍ତି ଯେ, ଏହି ଘଟଣାରେ ରାଜ୍ୟ ସରକାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅନ୍ତୁ । କିମ୍ବା ମୋତେ ଇଚ୍ଛା ମୃତ୍ୟୁ ଦିଅନ୍ତୁ। ସେ ତାଙ୍କ ଅଭିଯୋଗ ରେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ଯଦି ସାଧାରଣ ମଣିଷଟିଏ ନ୍ୟାୟ ପାଇପାରୁନି ତେବେ ମୋର ବଞ୍ଚିବାର କୌଣସି ଅଧିକାର ନାହିଁ। ତେଣୁ ମୁଁ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛି ବୋଲି ସେ କହିଛନ୍ତି। ଏନେଇ ଯାଜପୁର ଅତିରିକ୍ତ ଜିଲ୍ଲପାଳ ମିହିର ମହାନ୍ତିଙ୍କ ଜରିଆରେ ସେ ଇଚ୍ଛାମୃତ୍ୟୁ ଆବେଦନ ପତ୍ର ପ୍ରଦାନ କରିଛନ୍ତି ।

Comments are closed, but trackbacks and pingbacks are open.