କିମ୍‍ସରେ ପ୍ରଥମ ଡେଙ୍ଗୁ ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍‍ ପରୀକ୍ଷା ଆରମ୍ଭ

466

ଭୁବନେଶ୍ୱର, ୨ ।୯: ଭାରତର ପ୍ରଥମ ସ୍ୱଦେଶୀ ଡେଙ୍ଗୁ ଟିକା ‘ଡେଙ୍ଗିଆଲ୍‍’ ପାଇଁ କ୍ଲିନିକାଲ୍‍ ପରୀକ୍ଷଣର ତୃତୀୟ ପର୍ଯ୍ୟାୟ ଆଜି କିମ୍‍ସରେ ଆରମ୍ଭ ହୋଇଛି । ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମ୍‍ଆର୍‍) ସହଯୋଗରେ ପାନାସିଆ  ବାୟୋଟେକ୍‍ ଦ୍ୱାରା ବିକଶିତ ସ୍ୱଦେଶୀ ଟେଟ୍ରାଭେଲାଣ୍ଟ ଡେଙ୍ଗୁ ଟିକାର କାର୍ଯ୍ୟକାରିତାକୁ ମୂଲ୍ୟାଙ୍କନ କରିବାକୁ ଏହି ପରୀକ୍ଷଣ ଆରମ୍ଭ କରାଯାଇଛି । ଭାରତର ୧୮ଟି ରାଜ୍ୟର ୧୮ଟି ସ୍ଥାନ ଏଥିରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଓଡ଼ିଶାର ଏକମାତ୍ର ହସ୍‍ପିଟାଲ୍‍ ଭାବେ କିମ୍‍ସ ତୃତୀୟ ପର୍ଯ୍ୟାୟ ପରୀକ୍ଷା ପରିଚାଳନା ପାଇଁ ମନୋନୀତ ହୋଇଛି । ସଂପ୍ରତି ଭାରତରେ ଡେଙ୍ଗୁ ପ୍ରତିରୋଧୀ କୌଣସି ଆଣ୍ଟିଭାଇରାଲ୍‍ ଚିକିତ୍ସା କିମ୍ବା ଅଧିକୃତ ଟିକା ନାହିଁ । ଡେଙ୍ଗୁ ଜୀବାଣୁଙ୍କ ୪ଟି ସେରୋଟାଇପ୍‍ ମଧ୍ୟରେ ଭଲ ପ୍ରଭାବର ଆବଶ୍ୟକତା ପାଇଁ ପ୍ରଭାବଶାଳୀ ଟିକା ବିକାଶିତ କରିବା ଜଟିଳ। ଟେଟ୍ରାଭେଲେଣ୍ଟ ଡେଙ୍ଗୁ ଟିକା ଷ୍ଟ୍ରେନ୍‍ (ଟିଭି୦୦୩/ଟିଭି୦୦୫) ମୂଳତଃ ଆମେରିକାର ନ୍ୟାସ୍‍ନାଲ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ହେଲ୍‍ଥ ଦ୍ୱାରା ବିକାଶିତ ହୋଇଛି । ଷ୍ଟେନ୍‍ ଗ୍ରହଣ କରିବାକୁ ତିନୋଟି ଭାରତୀୟ କମ୍ପାନୀ ମଧ୍ୟରୁ ପାନାସିଆ ବାୟୋଟେକ୍‍ ବିକାଶର ଶ୍ରେଷ୍ଠ ପର୍ଯ୍ୟାୟରେ ରହିଛି ।
ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ କ୍ଲିନିକାଲ୍‍ ପରୀକ୍ଷା ୨୦୧୮-୧୯ରେ ଶେଷ ହୋଇ ଆଶାନୁରୂପ ଫଳ ଦେଇଥିଲା । ଆଜି କିମ୍‍ସରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କିମ୍‍ସର ଅଧ୍ୟକ୍ଷ ଡା. ଏ. ପି. ମହାନ୍ତି, କମ୍ୟୁନିଟି ମେଡିସିନ୍‍ ବିଭାଗ ମୁଖ୍ୟ ଡା. ସୋନାଲି କର, ମେଡ଼ିସିନ୍‍ ବିଭାଗ ମୁଖ୍ୟ ଡା. ଲଲାଟେନ୍ଦୁ ମହାନ୍ତିଙ୍କ ସମେତ ବହୁ ବିଶେଷଜ୍ଞ ଉପସ୍ଥିତ ଥିଲେ । ତେବେ ଏହି ପରୀକ୍ଷଣ ସଫଳତା ଆଣିବ ବୋଲି କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆଶା ବ୍ୟକ୍ତ କରିଛନ୍ତି ।
ଡା. ସୋନାଲି କର ଓ ଡା. ଲଲାଟେନ୍ଦୁ ମହାନ୍ତି ପ୍ରମୁଖ ଇନ୍‍ଭେଷ୍ଟିଗେଟର୍‍ ରହିଥିବା ବେଳେ ଡା. ପି. ସି ସାମନ୍ତରାୟଙ୍କ ନେତୃତ୍ୱରେ ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ଡା. ଦିପ୍ତି ପଟ୍ଟନାୟକ, କିମ୍‍ସ ସେଣ୍ଟ୍ରାଲ୍‍ ଲାବରେଟୋରୀର ନିର୍ଦ୍ଦେଶକ ଡା ସୌରଭ ପାତ୍ର ଏଥିରେ ସହଯୋଗ କରିବେ ।

Comments are closed, but trackbacks and pingbacks are open.