ପିଏଫ୍‌ଆଇ ୫ ବର୍ଷ ପାଇଁ ବେଆଇନ ଘୋଷିତ

28

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ବୁଧବାର ପିଏଫ୍‌ଆଇ (ପପୁଲାର ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ) ଏବଂ ଏହାର ସମସ୍ତ ସହଯୋଗୀ ସଂଗଠନଗୁଡିକୁ ଆଗାମୀ ୫ ବର୍ଷ ପାଇଁ ବେଆଇନ ଘୋଷଣା କରାଯାଇଛି । ପିଏଫ୍‌ଆଇର ସହଯୋଗୀ ସଂଗଠନ ମଧ୍ୟରେ ‘ରିହାବ୍ ଇଣ୍ଡିଆ ଫାଉଣ୍ଡେସନ’, ‘କ୍ୟାମ୍ପସ ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ’, ‘ଅଲ୍ ଇଣ୍ଡିଆ ଇମାମ୍‌ସ କାଉନସିଲ’, ‘ଏମ୍ପାୱାର ଇଣ୍ଡିଆ ଫାଉଣ୍ଡେସନ’, ‘ନ୍ୟାସନାଲ କନ୍‌ଫେଡେରେସନ ଅଫ୍ ହ୍ୟୁମାନ ରାଇଟ୍‌ସ ଅର୍ଗାନାଇଜେସନ’, ‘ନ୍ୟାସନାଲ ୱମେନ୍‌ସ ଫ୍ରଣ୍ଟ୍‌’, ‘ଜୁନିୟର ଫ୍ରଣ୍ଟ୍‌’ ଓ ରିହାବ୍ ଫାଉଣ୍ଡେସନ କେରଳ’ ଅନ୍ୟତମ । ବେଆଇନ ଘୋଷଣା କରାଯିବାପରେ ପିଏଫ୍‌ଆଇ ଓ ଏହାର ସହଯୋଗୀ ସଂଗଠନଗଡିକର ସବୁ ୱେବ୍‌ସାଇଟ୍‌, ସୋସିଆଲ ମିଡିଆ ଆକାଉଣ୍ଟ ଓ ବ୍ୟାଙ୍କ ଆକାଉଣ୍ଟକୁ ସିଲ୍ କରାଯାଇଛି । ଦେଶରେ ଆତଙ୍କରାଜ ସୃଷ୍ଟି କରିବା ଲକ୍ଷ୍ୟରେ ପିଏଫ୍‌ଆଇ ଓ ଏହାର ସହଯୋଗୀ ସଂଗଠନଗୁଡିକ କାର୍ଯ୍ୟ କରୁଥିବାର ଯଥେଷ୍ଟ ପ୍ରମାଣ ମିଳିବାପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । କେନ୍ଦ୍ରରେ କ୍ଷମତାସୀନ ଏକ ସ୍ଥିର ଓ ଲୋକପ୍ରିୟ ସରକାରକୁ ଗାଦିଚ୍ୟୁତ କରିବା ଲକ୍ଷ୍ୟରେ ଏହି ସଂଗଠନଗୁଡିକ ଦେଶବାସୀଙ୍କୁ ଉସ୍‌କାଇବା ସହ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟାଉଥିଲା ବୋଲି ମଧ୍ୟ କୁହାଯାଇଛି । ଦେଶର ସମ୍ବିଧାନ ଓ ସାର୍ବଭୌମତ୍ୱ ପ୍ରତି କ୍ରମାଗତଭାବେ ବିପଦ ସୃଷ୍ଟି କରିଆସୁଥିବାରୁ ଏହି ସଂଗଠନକୁ ବେଆଇନ ଘୋଷଣା କରିବା ବ୍ୟତୀତ ଅନ୍ୟ ବିକଳ୍ପ ନଥିଲା ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ସେପ୍ଟେମ୍ବର ୨୨ରୁ ୧୫ଟି ରାଜ୍ୟରେ ସକ୍ରିୟ ଥିବା ପିଏଫ୍‌ଆଇର ବିଭିନ୍ନ କାର୍ଯ୍ୟାଳୟ ଉପରେ ଚଢଉ କରାଯାଇ ଶତାଧିକ କର୍ମୀଙ୍କୁ ଗିରଫ କରାଯାଇସାରିଛି । ଏନ୍‌ଆଇଏ ଓ ଇଡି ଏହି ଚଢଉର ନେତୃତ୍ୱ ନେଇଥିଲା । ଦେଶର ମୁସଲମାନ ଯୁବକଙ୍କୁ ଆତଙ୍କବାଦ ରାସ୍ତାରେ ଯିବାକୁ ଏହି ସଂଗଠନଗୁଡିକ ପ୍ରବର୍ତ୍ତାଉଥିଲେ । ମୁସ୍‌ଲିମ୍ ବ୍ରଦରହୁଡ୍‌, ଆଇଏସ୍‌ଆଇଏସ୍‌, ଅଲ୍ କାଏଦା, ଜୈସ୍‌-ଇ-ମହମ୍ମଦ, ଲସ୍କର-ଇ-ତୋଇବା ଭଳି ବିଦେଶରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନଗୁଡିକ ସହ ପିଏଫ୍‌ଆଇର ସମ୍ପର୍କ ରହିଥିଲା । କାତାର, କୁଏତ୍ ଓ ତୁର୍କୀ ଭଳି ଏକାଧିକ ମଧ୍ୟପ୍ରାଚ୍ୟ ରାଷ୍ଟ୍ରରୁ ପିଏଫ୍‌ଆଇକୁ ପ୍ରଚୁର ଆର୍ôଥକ ଅନୁଦାନ ମିଳୁଥିଲା । ଏହି ଅର୍ଥକୁ ଭାରତରେ ଆତଙ୍କରାଜ ଖେଳାଇବା କାର୍ଯ୍ୟରେ ବ୍ୟବହାର କରାଯାଉଥିଲା । ସାଉଦି ଆରବ ଓ ସଂଯୁକ୍ତ ଆରବ ଏମିରେଟ୍‌ସ ଭଳି ମୁସଲମାନ ବହୁଳ ରାଷ୍ଟ୍ର ‘ମୁସ୍‌ଲିମ୍ ବ୍ରଦରହୁଡ୍‌’ ସଂଗଠନକୁ ବେଆଇନ ଘୋଷଣା କରିସାରିଛନ୍ତି । କାଗଜପତ୍ରରେ ପିଏଫ୍‌ଆଇ ଏକ ସୋସିଓ-ଇକୋନୋମିକ୍‌, ଏଡୁକେସନାଲ ଏବଂ ରାଜନୈତିକ ସଂଗଠନର ପରିଚୟ ସୃଷ୍ଟି କରିଥିଲେ ସୁଦ୍ଧା ଦେଶରେ ଗଣତନ୍ତ୍ରକୁ ପଙ୍ଗୁ କରିବାକୁ ସେମାନେ ଭିତିରିଆ ଷଡଯନ୍ତ୍ର କରୁଥିଲେ । କେନ୍ଦ୍ରରେ କ୍ଷମତାସୀନ ମୋଦୀ ସରକାର ସିଏଏ (ନାଗରିକ ସଂଶୋଧନ ଆଇନ) ଲାଗୁ କରିବାକୁ ଉଦ୍ୟମ ଆରମ୍ଭ କରିଥିବାବେଳେ ଏହାକୁ ଭଣ୍ଡୁର କରିବାକୁ ପିଏଫ୍‌ଆଇ ସୁଚିନ୍ତିତ ଯୋଜନା କାର୍ଯ୍ୟକାରୀ କରିଥିଲା । ଏପରିକି ଦିଲ୍ଲୀର ସାହିନବାଗରେ ମାସାଧିକ କାଳ ବିକ୍ଷୋଭ ପ୍ରଦର୍ଶିତ ହୋଇଥିବାବେଳେ ଏଥିଜନିତ ହିଂସାରେ ଧନଜୀବନର ପ୍ରଭୂତ କ୍ଷତି ଘଟିଥିଲା ।

Comments are closed, but trackbacks and pingbacks are open.