ରାଜଧାନୀରେ ବାଣ ବିକ୍ରି ପାଇଁ ମିଳିଲା ଅନୁମତି

25

ଭୁବନେଶ୍ୱର: ରାଜଧାନୀରେ ବାଣ ବିକ୍ରି ପାଇଁ ୨୮ଟି ଜାଗା ଚିହ୍ନଟ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଏମ୍‌ସିକୁ ଅନୁମତି ମିଳିଛି । ବାଣ ବ୍ୟବସାୟୀମାନେ ବିଏମ୍‌ସିର ୩ ଜୋନାଲ ଅଫିସରେ ଏନେଇ ଆବେଦନ କରିପାରିବେ । ଚଳିତ ବର୍ଷ ଦୀପାବଳୀ ପାଇଁ ଗାଡ଼କଣରେ ଶବର ସାହି ମେଲଣ ପଡିଆ, ରସୁଲଗଡ ଦୁର୍ଗା ମଣ୍ଡପ, ପଳାଶୁଣି ପଟ୍ଟନାୟକ ଖେଳ ପଡିଆ, ୟୁନିଟ-୧ ହାଇସ୍କୁଲ ପଛପଟ, ଲକ୍ଷ୍ମୀସାଗର ମେଲଣ ପଡ଼ିଆ, ବଡ଼ଗଡ଼ ମଶାଣି ସାମନା ଏବଂ ବିଡିଏ ମାର୍କେଟ ପଛପଟେ ବାଣ ବିକ୍ରି ହେବ । ସେହିପରି ପୂର୍ବରୁ ବିକ୍ରି ହୋଉଥିବା ୨୧ଟି ଜାଗାରେ ମଧ୍ୟ ବାଣ ବିକ୍ରି ହେବ । ସେଥିମଧ୍ୟରେ ଉତ୍ତର ଜୋନରେ ୧୪ଟି,ଦକ୍ଷିଣ-ପୂର୍ବ ଜୋନରେ ୨ଟି ଏବଂ ଦକ୍ଷିଣ ପଶ୍ଚିମ ଜୋନରେ ୫ଟି ସ୍ଥାନ ରହିଛି । ୧୦୦ ବର୍ଗ ଫୁଟକୁ ଦୈନିକ ୧୬୦ ଟଙ୍କା ଭଡ଼ା ଧାର୍ୟ୍ୟ କରିଛି ବିଏମ୍‌ସି । ବଡ଼ଗଡ଼ ମଶାଣି ଆଗରେ ସର୍ବାଧିକ ୪୫ ହଜାର ବର୍ଗଫୁଟରେ ଦୋକାନ ଖୋଲିବ । ବିଏମ୍‌ସିର ୩ ଜୋନରେ ବାଣ ବିକ୍ରି ପାଇଁ ଏନ୍‌ଓସି ମିଳିବ । ବ୍ୟବସାୟୀମାନେ ଜୋନ୍‌ ଅଫିସରେ ଏନ୍‌ଓସି ପାଇଁ ଆବେଦନ କରିପାରିବେ । ଅଗ୍ନିଶମ, ଡିସିପି, ଟାଟା ପାୱାର ଠାରୁ ମଞ୍ଜୁର କଲା ପରେ ଦୋକାନୀଙ୍କୁ ଅନୁମତି ମିଳିବ । ଖୁବ୍‌ଶୀଘ୍ର ପୂର୍ତ୍ତ ବିଭାଗ ପକ୍ଷରୁ ବାଣ ବିକ୍ରି ପାଇଁ ଅସ୍ଥାୟୀ ଦୋକାନ ନିର୍ମାଣ କରାଯିବ ।ରାଜଧାନୀର କେବଳ ଏହି ୨୮ଟି ସ୍ଥାନରେ ବାଣ ବିକ୍ରି ହେବ । ଜନଗହଳିପୂର୍ଣ୍ଣ ମାର୍କେଟରେ ବାଣ ବିକ୍ରି ନିଷେଧ କରାଯାଇଛି । ଯଦି ନିୟମ ଭାଙ୍ଗି କୌଣସି ସ୍ଥାନରେ ବାଣ ବିକ୍ରି ହୁଏ, ତାହାଲେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

Comments are closed, but trackbacks and pingbacks are open.