ବଦଳିଲା ପାସପୋର୍ଟ ନିୟମ: ୧ ଅକ୍ଟୋବର ୨୦୨୩ ପରେ ଜନ୍ମିତଙ୍କ ପାଇଁ ଜନ୍ମପ୍ରମାଣପତ୍ର ବାଧ୍ୟତାମୂଳକ

176

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଏବେ ଦେଶର ଅନ୍ୟତମ ପରିଚୟପତ୍ର ‘ପାସ୍‌ପୋର୍ଟ’ ନିୟମରେ ସାମନ୍ୟ ପରିବର୍ତ୍ତନ କରିଛନ୍ତି। ରିପୋର୍ଟ ଅନୁସାରେ ପାସପୋର୍ଟ ପାଇଁ ସଂଶୋଧିତ ନିୟମ ଅନ୍ତର୍ଗତ ଏଣିକି ୧ ଅକ୍ଟୋବର ୨୦୨୩ କିମ୍ବା ଏହା ପରେ ଜନ୍ମିତ ବ୍ୟକ୍ତିବିଶେଷଙ୍କୁ ପାସ୍‌ପୋର୍ଟ ଆବେଦନ କରିବାକୁ ହେଲେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ପ୍ରମାଣପତ୍ର ହିଁ ଜନ୍ମତାରିଖର ଏକମାତ୍ର ପ୍ରମାଣପତ୍ର ଭାବେ ଦାଖଲ କରିବାକୁ ହେବ। ସିଧା ଅର୍ଥରେ କହିଲେ ନୂତନ ପାସପୋର୍ଟ ନିୟମ ଅନୁଯାୟୀ ଜନ୍ମ ଏବଂ ମୃତ୍ୟୁ ପଞ୍ଜିକାରକ, ପୌର ନିଗମ କିମ୍ବା ଜନ୍ମ ଏବଂ ମୃତ୍ୟୁ ପଞ୍ଜିକରଣ ଆଇନ-୧୯୬୯ ଅନୁଯାୟୀ କ୍ଷମତାପ୍ରାପ୍ତ ଯେ କୌଣସି କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ଜନ୍ମ ପ୍ରମାଣପତ୍ରକୁ ୧ ଅକ୍ଟୋବର ୨୦୨୩ କିମ୍ବା ତା’ପରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ପାଇଁ ଜନ୍ମ ତାରିଖର ପ୍ରମାଣ ଭାବରେ ଗ୍ରହଣ କରାଯିବ। ତେବେ ଏହି ତାରିଖ ପୂର୍ବରୁ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିବିଶେଷ ପୂର୍ବ ନିୟମ ଅନୁସାରେ ନିଜ ଜନ୍ମତାରିଖର ପ୍ରମାଣ ସ୍ୱରୂପ ଡ୍ରାଇଭିଂ ଲାଇସେନ୍ସ କିମ୍ବା ସ୍କୁଲ୍ ଛାଡ଼ିବା ପ୍ରମାଣପତ୍ର ଭଳି ବିକଳ୍ପ ଡକ୍ୟୁମେଣ୍ଟ ଦାଖଲ କରିପାରିବେ। ପ୍ରକାଶଯୋଗ୍ୟ, ଚଳିତ ସପ୍ତାହରେ ପାସ୍‌ପୋର୍ଟ ନିୟମ-୧୯୮୦ରେ ଏହି ସଂଶୋଧନକୁ କାର୍ଯ୍ୟକାରୀ କରିବା ପାଇଁ ଏକ ସରକାରୀ ନୋଟିସ ଜାରି କରାଯାଇଛି। ସଂଶୋଧିତ ନିୟମ ସମ୍ପର୍କୀତ ସରକାରୀ ଗେଜେଟ୍ ପ୍ରକାଶିତ ହେବା ପରେ ଦେଶବ୍ୟାପୀ ଏହି ନୂଆ ପାସ୍‌ପୋର୍ଟ ନିୟମ କାର୍ଯ୍ୟକାରୀ ହେବ। ପ୍ରକାଶ, ପାସପୋଟ୍ ହେଉଛି ଏକ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଯାହାକି ଜଣେ ବ୍ୟକ୍ତିଙ୍କ ପରିଚୟ ଏବଂ ଜାତୀୟତାକୁ ପ୍ରମାଣିତ କରେ। ବିଦେଶ ଯାତ୍ରା ପାଇଁ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବିବେଚନା କରାଯାଇଥାଏ।

Comments are closed, but trackbacks and pingbacks are open.