ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କ ପରଲୋକ

17

ଭୁବନେଶ୍ୱର: ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା।ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବ୍ରେନ୍ ଷ୍ଟ୍ରୋକ୍‌ ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ଚିକିତ୍ସା ଜାରି ରହିଥିଲା। ଜଣେ ଦକ୍ଷ ଚିକିତ୍ସକ ଭାବେ ରୋଗୀ ସେବା ସହିତ ସେ ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକଳାପରେ ମଧ୍ୟ ସକ୍ରିୟ ଥିଲେ । ବିଭିନ୍ନ ଉପାଦେୟ ପୁସ୍ତକ ରଚନା କରିବା ସହ ଚିକିତ୍ସା ବିଜ୍ଞାନ ଓ ଆଧ୍ୟାତ୍ମିକତା ମଧ୍ୟରେ ସମନ୍ୱୟର ଗୁରୁତ୍ୱ ସମ୍ପର୍କରେ ସେ ସମାଜକୁ ସଚେତନ କରୁଥିଲେ । ବିଭିନ୍ନ ଅନୁଷ୍ଠାନ ଓ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କ ପରଲୋକରେ ଗଭୀର ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତିl
ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ର ଭାରତର ଜଣେ ସୁପରିଚିତ ସ୍ନାୟୁଶଲ୍ୟ ଚିକିତ୍ସକ, ଶିକ୍ଷାବିତ୍ ଓ ଗବେଷକଥିଲେ । ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ତାଙ୍କର ଦୀର୍ଘ ଅଭିଜ୍ଞତା, ଦକ୍ଷତା ଓ ରୋଗୀ ସେବା ପ୍ରତି ନିଷ୍ଠା ତାଙ୍କୁ ଜାତୀୟ ସ୍ତରରେ ପରିଚିତି ଦେଇଥିଲା । ବିଶେଷକରି ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଜଟିଳ ଅସ୍ତ୍ରୋପଚାରରେ ତାଙ୍କର ଭୂମିକା ତାଙ୍କୁ ଦେଶବ୍ୟାପୀ ଚର୍ଚ୍ଚିତ କରିଥିଲା । ତାଙ୍କ ବିୟୋଗରେ ଚିକିତ୍ସା ଜଗତ ସମେତ ବିଭିନ୍ନ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି ।

Comments are closed, but trackbacks and pingbacks are open.