ମମତା ମନ୍ତ୍ରୀ ମଣ୍ଡଳରୁ ବିଦା ହେଲେ ପାର୍ଥ ଚାଟାର୍ଜୀ

43

କୋଲକାତା:୨୮-୦୮-(ପି.ଏନ.ଏ) ମମତାଙ୍କ ମନ୍ତ୍ରୀ ମଣ୍ଡଳରୁ ବିଦା ହେଲେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ I ଶିକ୍ଷକ ନିଯୁକ୍ତି ଦୁର୍ନିତୀ ମାମଲା ପଦାକୁ ଆସିବାପରେ ଇଡି ହାତରେ ଗିରଫ ହୋଇଥିଲେ ପାର୍ଥ ଚାଟାର୍ଜୀ I ଏହା ସହିତ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଦୁଇଟି ଘରୁ ଦ୍ଵିତୀୟ ଥର ରେଡି ପରେ ନଗଦ ୫୨ କୋଟି ଟଙ୍କା ଓ ୫ କେଜି ସୁନା ଜବତ ହୋଇଛି। ପଶ୍ଚିମବଙ୍ଗ ମୁଖ୍ୟ ସଚିବଙ୍କ ଦ୍ୱାରା ଜାରି ହୋଇଥିବା ଆଦେଶ ଅନୂଯାୟୀ, ପାର୍ଥ ଚାଟାର୍ଜୀଙ୍କୁ ଶିଳ୍ପ ମନ୍ତ୍ରୀ ପଦରୁ ହଟାଯିବା ସହ ବାକି ପଦରୁ ମଧ୍ୟ ହଟାଯାଇଛି । ତାଙ୍କୁ ସୂଚନା ଏବଂ ପ୍ରସାରଣ ବିଭାଗ , ସଂସଦୀୟ ବ୍ୟାପାର ବିଭାଗ ଆଦିରୁ ହଟାଯାଇଛି । ପୂର୍ବରୁ ବିରୋଧୀ ବିଜେପି ଓ କଂଗ୍ରେସ ସମାନ ଦାବି କରି ଟିଏମସି ସରକାରକୁ ଘେରିବା ପାଇଁ ଚେଷ୍ଟା କରିଥିଲେ। ବିରୋଧୀଙ୍କ ଚାପରେ ଚେପା ମମତା ସରକାର ଗିରଫର ୫ ଦିନ ପରେ ପାର୍ଥଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଅନ୍ୟପଟେ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ କହିବାନୁସାରେ, ପାର୍ଥ ଚାଟାର୍ଜୀଙ୍କ ସହଯୋଗୀଙ୍କ ଆପାର୍ଟମେଣ୍ଟରୁ ପ୍ରାୟ ୫୨ କୋଟି ଟଙ୍କା ଏବଂ ୫ କେଜି ସୁନା ଜବତ କରାଯାଇଛି। ଏହା ବ୍ୟତୀତ ବହୁ ସମ୍ପତ୍ତି ଏବଂ ବିଦେଶୀ ମୁଦ୍ରା ସହ ଜଡିତ ଡକ୍ୟୁମେଣ୍ଟଗୁଡିକ ମଧ୍ୟ ଉଦ୍ଧାର କରାଯାଇଥିଲା, ଯାହା ପରେ ସେମାନଙ୍କୁ ଗିରଫ କରାଯାଇଥିଲା।

ଏ ସମ୍ପର୍କ ରେ ମମତା ବାନାର୍ଜୀ କହିଛନ୍ତି ଯେ ମୁଁ ପାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରୀ ପଦରୁ ହଟାଇ ଦେଇଛି। ମୋ ଦଳ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ I ଏହା ପଛରେ ଅନେକ ଯୋଜନା ଅଛି କିନ୍ତୁ ମୁଁ ସବିଶେଷ ତଥ୍ୟକୁ ଯିବାକୁ ଚାହେଁ ନାହିଁ I

Comments are closed, but trackbacks and pingbacks are open.