୨୫ରୁ ସଂସଦୀୟ ଶୀତ ଅଧିବେଶନ

176

ନୂଆଦିଲ୍ଲୀ : ୨୫ ନଭେମ୍ବରରୁ ଆରମ୍ଭ ହେବାକୁ ଯାଉଛି ସଂସଦୀୟ ଶୀତ ଅଧିବେଶନ। ଏହା ୨୩ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ଅନ୍ୟ ଅଧିବେଶନ ଭଳି ଆଗାମୀ ଶୀତ ଅଧିବେଶନ ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ, ଅସହଯୋଗ ଏବଂ ହୋହଲ୍ଲା କାରଣରୁ ବାଧାପ୍ରାପ୍ତ ହେବ ବୋଲି ଆଶଙ୍କା କରାଯାଉଛି। କାରଣ ଏହି ଅଧିବେଶନରେ ବିରୋଧୀ ଦଳଙ୍କ ପକ୍ଷରୁ ମୁଖ୍ୟତଃ ୱକଫ୍ ବିଲ୍ ଏବଂ ଏକ ଦେଶ ଏକ ନିର୍ବାଚନ’କୁ ପ୍ରସଙ୍ଗ କରାଯିବ ଏବଂ ଏହାକୁ କେନ୍ଦ୍ର କରି ସଂସଦର ଉଭୟ ଗୃହରେ ଅଚଳବସ୍ଥା ସୃଷ୍ଟି ହେବ ବୋଲି ଅନୁମାନ କରାଯାଉଛି। ଅନ୍ୟପକ୍ଷେ ମହାରାଷ୍ଟ୍ର ଏବଂ ଝାଡଖଣ୍ଡର ନିର୍ବାଚନ ଫଳାଫଳର ଦୁଇ ଦିନ ପରେ ଏହି ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଥିବାରୁ ନିର୍ବାଚନୀ ଫଳାଫଳ ମଧ୍ୟ ଅଧିବେଶନରେ ଜବରଦସ୍ତ ପ୍ରଭାବ ପକାଇବ ବୋଲି କୁହାଯାଉଛି। ସଂସଦୀୟ ସୂଚନାନୁସାରେ ନଭେମ୍ବର ୨୬ରେ, ସମ୍ବିଧାନର ୭୫ତମ ବାର୍ଷିକୀ ଅବସରରେ ସଂସଦର ଏକ ମିଳିତ ଅଧିବେଶନ ସମ୍ବିଧାନ ଗୃହ (ପୁରୁଣା ସଂସଦ ଗୃହ)ର କେନ୍ଦ୍ରୀୟ ହଲରେ ଏକ ସ୍ୱତନ୍ତ୍ର ମିଳିତ ବୈଠକ ଅନୁଷ୍ଠିତ ହେବ ବୋଲି କୁହାଯାଉଛି। ଏହାପରେ ପରେ ଗୃହରେ ସରକାରଙ୍କ ପକ୍ଷରୁ ୱକଫ୍ ବିଲ୍ ଏବଂ ଏକ ଦେଶ ଏକ ନିର୍ବାଚନ ସମ୍ପର୍କୀତ ଆଲୋଚନା କରାଯିବ। ଏହି ଦୁଇ ବିଲ୍ ବିରୋଧରେ ବିରୋଧୀଙ୍କ ପକ୍ଷରୁ ଲଗାତାର ବିରୋଧ ଜାରି ରହିଛି। ସମସ୍ତ ବିରୋଧୀ ଦଳ ଏହାକୁ ବିରୋଧ କରୁଛନ୍ତି। ତେବେ ଏସବୁ ମଧ୍ୟରେ ଏକ ଦେଶ ଏକ ନିର୍ବାଚନକୁ କ୍ୟାବିନେଟ୍ ମଞ୍ଜୁରି ମିଳିସାରିଛି। ସୁତରାଂ ଏହି ଅଧିବେଶନରେ ଏସମ୍ପର୍କୀତ ବିଲ୍‌କୁ ପାରିତ କରିବାକୁ ସରକାର ପ୍ରୟାସ କରିବେ ନିଶ୍ଚିତ। ସେହିପରି ମୌସୁମୀ ଅଧିବେଶନରେ ୱକଫ୍ ବିଲ୍ ଉପରେ ବିଚାର କରିବାକୁ ଜଏଣ୍ଟ ପାର୍ଲାମେଣ୍ଟାରି କମିଟି (ଜେପିସି) ଗଠନ କରାଯାଇଥିଲା। ଏଭଳି ପରିସ୍ଥିତିରେ ଜେପିସି ଶୀତ ଅଧିବେଶନରେ ରିପୋର୍ଟ ଉପସ୍ଥାପନ କରିବାର ଆଶା ରହିଛି। ଏହାକୁ ନେଇ ବିରୋଧୀ ଦଳ ନିରନ୍ତର ବିରୋଧ କରୁଛନ୍ତି। ଏହା ବ୍ୟତୀତ ଏଭଳି ଅନେକ ବିଲ୍ ଅଛି ଯାହା ସଂସଦର ଶୀତକାଳୀନ ଅଧିବେଶନରେ ପାରିତ ହେବ ବୋଲି ଚର୍ଚ୍ଚା ହେଉଛି। ପ୍ରକାଶ, ୧୯୪୯ରେ ଏହି ସ୍ଥାନରେ ସମ୍ବିଧାନ ଗ୍ରହଣ କରାଯାଇଥିଲା। ୨୬ ଜାନୁଆରୀ ୧୯୫୦ରେ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ଏହାପୂର୍ବରୁ ନଭେମ୍ବର ୨୬କୁ ଜାତୀୟ ଆଇନ ଦିବସ ଭାବରେ ପାଳନ କରାଯାଉଥିଲା। କିନ୍ତୁ ୨୦୧୫ରେ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ୧୨୫ ତମ ଜନ୍ମ ବାର୍ଷିକୀକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଏହାକୁ ସମ୍ବିଧାନ ଦିବସ ଭାବରେ ପାଳନ କରିବାକୁ ଘୋଷଣା କରିଥିଲେ।

Comments are closed, but trackbacks and pingbacks are open.