ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଆଜୀବନ ସଜା

961

ବଲାଙ୍ଗୀର:୨୦୧୮ ଫେବୃଆରୀ ୨୩ ତାରିଖରେ ଘଟିଥିବା ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଆସିଲା ରାୟ। ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଆଜୀବନ ସଜା ଶୁଣାଇଲେ ପାଟଣାଗଡ଼ ଏଡିଜେ କୋର୍ଟ। ଆଜୀବନ ସଜା ସହ ୫୦ ହଜାର ଟଙ୍କାର ଜରିମାନା କରିଛନ୍ତି କୋର୍ଟ। ଦୀର୍ଘ ୭ ବର୍ଷ ପରେ ରାୟ ପ୍ରକାଶ ପାଇବା ସହ ଦୋଷୀକୁ ଦଣ୍ଡାଦେଶ ହୋଇଛି । ଏହି ଲୋମହର୍ଷଣକାରୀ ବିସ୍ଫୋରଣରେ ରବୀନ୍ଦ୍ରଙ୍କ ନବ ବିବାହିତ ପୁଅ ସୌମ୍ୟଶେଖର ସାହୁ ଓ ତାଙ୍କ ସମ୍ପର୍କୀୟ ଜେଜେମାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସୌମ୍ୟଶେଖରଙ୍କ ସ୍ତ୍ରୀ ରୀମାରାଣୀ ସାହୁ ଗୁରୁତର ଆହତ ହୋଇଥିଲେ। ଦୀର୍ଘଦିନର ଚିକିତ୍ସା ପରେ ରୀମା ସୁସ୍ଥ ହୋଇଥିଲେ । ଘଟଣାର ଗୁରୁତ୍ବକୁ ଦେଖି ତତ୍କାଳୀନ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାରେ ଏକମାତ୍ର ଅଭିଯୁକ୍ତ ଭାବେ ୨୦୧୮ ଏପ୍ରିଲ ୨୫ ତାରିଖରେ ପାଟଣାଗଡ ଭଇଁଷା କଲେଜର ଅଧ୍ୟାପକ ପୁଂଜିଲାଲ ମେହେରକୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ପୁଂଜିଲାଲ ସୌମ୍ୟଶେଖରଙ୍କ ମା ସଂଯୁକ୍ତା ସାହୁଙ୍କ ସହ ଭଇଁଷା କଲେଜରେ ଏକାଠି କାମ କରୁଥିଲେ । ମା ସଂଯୁକ୍ତା ଭଇଁଷା କଲେଜକୁ ଅଧ୍ୟକ୍ଷା ଭାବେ ବଦଳି ହୋଇ ଆସିବା ପୂର୍ବରୁ ପୁଂଜିଲାଲ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଉଥିଲେ। ସଂଯୁକ୍ତାଙ୍କ ଅଧ୍ୟକ୍ଷା ପଦବୀକୁ ନେଇ ପୁଞ୍ଜିଲାଲ ଅସନ୍ତୁଷ୍ଟ ଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା। ପ୍ରତିଶୋଧ ନେବାକୁ ଯାଇ ଏଭଳି ବର୍ବର କାଣ୍ଡ ଭିଆଇଥିଲା ପୁଞ୍ଜିଲାଲ। ୨୦୨୨ରୁ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ଏହି ମାମଲାରେ ୬୨ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ ଏଡିଜେ କୋର୍ଟ।

Comments are closed, but trackbacks and pingbacks are open.