ପଞ୍ଚାୟତ ନିର୍ବାଚନ : ଦଶନ୍ଧି ପରେ ଭୋଟ ଦେଉଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ

18

ଦୀର୍ଘ ଦଶନ୍ଧି ପରେ ଲାଲଗଡରେ ହେଉଛି ନିର୍ବାଚନ । ଭୋଟ ଦେବାପାଇଁ ସ୍ୱାଭିମାନ ଅଂଚଳବାସୀଙ୍କ ମଧ୍ୟରେ ବ୍ୟାପକ ଉତ୍ସାହ ଦେଖା ଦେଇଛି । ଅତ୍ୟନ୍ତ ସମ୍ବେଦନଶୀଳ ମାଓ ପ୍ରବଣ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବୁଥ୍‍ ଗୁଡିକୁ ସ୍ୱତନ୍ତ୍ର ଲଞ୍ଚ ଯୋଗେ ପ୍ରଶାସନିକ ଅଧିକାରୀଙ୍କୁ ପଠାଯାଇଛି। ନିବାଚନ ପୂର୍ବରୁ ଯେପରି କେହି ଗାଁରେ ଅନ୍ଧାରି ବିଜେ ନକରନ୍ତି, ସେଥିପାଇଁ ଗାଁ ମୁଣ୍ଡରେ ଜଗି ରହିଛନ୍ତି ସ୍ୱାଭିମାନ ଅଂଚଳର ସଚେତନ ଭୋଟର ।
ଆଜି ଜୋନ୍‍ – ୧ ନିମନ୍ତେ ଏଠାରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରାୟ ୯ଟି ପଞ୍ଚାୟତ ଯନ୍ତ୍ରୀ, ପାପରମେଟଲା, ଜଡାମ୍ବ, ଗାଜୁଲମାମୁଡି, ଧୁଳିପୁଟ, ବଡପଡ଼ା, ବଡପଦର, ଅଣ୍ଡ୍ରାପାଲ୍ଲି, ପଣସପୁଟ ପ୍ରଭୃତି ଅଞ୍ଚଳରେ ନିର୍ବାଚନ ହେବ। ପ୍ରଶାସନ ପକ୍ଷରୁ ଏ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅନ୍ୟ ପଟେ ଯନ୍ତ୍ରୀ, ପଣସପୁଟ, ଅଣ୍ଡ୍ରାପାଲ୍ଲି ପ୍ରଭୃତି ମାଓ ଅଧ୍ୟୁଷିତ ଅଞ୍ଚଳ ରହିଥିବାବେଳେ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ଉପଖଣ୍ଡୀୟ ଆରକ୍ଷୀ ଅଧିକାରୀ ଅଂଶୁମାନ ଦ୍ୱିବେଦୀ ପ୍ରକାଶ କରିଛନ୍ତି। ସେହିଭଳି ଚିତ୍ରକୋଣ୍ଡା ବ୍ଲକର ୨ଟି ଜୋନ୍ ରେ ନିର୍ବାଚନ ହେଉଥିଲେ ହେଁ ଜୋନ୍-୨ ବା ସ୍ବାଭିମାନ ଅଞ୍ଚଳ ଉପରେ ସମସ୍ତଙ୍କ ନଜର ରହିଛି । ନିର୍ବାଚନ ହେବାକୁ ଥିବା ଅଞ୍ଚଳରେ ପୁଲିସ ଛାଉଣି କରି ଦିଆଯାଇଥିବା ବେଳେ ଅପହଞ୍ଚ ମତଦାନ କେନ୍ଦ୍ରଗୁଡ଼ିକୁ ଜଳପଥରେ ପୁଲିଂ କର୍ମଚାରୀଙ୍କୁ ପଠାଯାଇଛି । ସେହିପରି ମତଦାତା ଓ ନିର୍ବାଚନ ଦାୟିତ୍ବରେ ଥିବା କର୍ମଚାରୀ ଯେପରି ସୁରକ୍ଷିତ ରହିବେ, ଭୋଟ୍ ବାକ୍ସ ସୁରକ୍ଷିତ ଭାବେ ଷ୍ଟ୍ରଙ୍ଗରୁମ୍କୁ ଆସିବ ସେନେଇ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି ।
୨୦୧୭ ପଞ୍ଚାୟତ ନିର୍ବାଚନ ସମୟରେ ଲାଲବାହିନୀ ଭୟରେ ଲୋକମାନେ ଭୋଟ୍‌ ଦେଇ ନଥିବା ବେଳେ ଆଜି ସକାଳେ ଭୋଟ୍‌ ଦେଇଛନ୍ତି। କଡ଼ାସୁରକ୍ଷା ମଧ୍ୟରେ ସ୍ବାଭିମାନ ଅଞ୍ଚଳର ୯ଟି ପଞ୍ଚାୟତରେ ୧୦୬ଟି ବୁଥ୍ ରେ ମତଦାନ ଚାଲିଛି ।ଏହା ସହିତ ୫୪ଟି ଅତିସମ୍ବେଦନଶୀଳ ବୁଥ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

Comments are closed, but trackbacks and pingbacks are open.