ପଞ୍ଚାୟତ ଫୈସଲା : ବିଜେଡିକୁ ସମର୍ଥନ ପାଇଁ ଓଡ଼ିଶାବାସୀ ଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

21

ଚଳିତ ଥର ପଞ୍ଚାୟତ ନିର୍ବାଚନରେ ବିଜେଡିର ବିପୁଳ ବିଜୟ ପାଇଁ ଓଡ଼ିଶା ବାସୀ ଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ସମସ୍ତ ବିଜୟୀ ଦଳୀୟ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଅତୁଟ ବିଶ୍ୱାସ ରଖି ବିଜେଡିକୁ ସମର୍ଥନ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି । ଅକୁଣ୍ଠ ଭଲ ପାଇବା ଦେଇ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ବିଜୟ ଭେଟି ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ନବୀନ । ଏହି ଜନମତ ସେବା ପାଇଁ ଆମ ସଂକଳ୍ପକୁ ଆହୁରି ଦୃଢ କରିଛି । ବିଜୟୀ ଦଳୀୟ ପ୍ରାର୍ଥୀ ଓ ଉତ୍ସର୍ଗୀକୃତ କାର୍ଯ୍ୟ ଜରିଆରେ ବିଜେଡିକୁ ଆନ୍ଦୋଳନରେ ପରିଣତ କରିଥିବା ସମସ୍ତ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ । ଏବେ ସୁଦ୍ଧା ୮୫୧ ଜିଲ୍ଲା ପରିଷଦ ଜୋନରୁ ୮୪୫ ଜୋନର ଫଳାଫଳ ସାମ୍ନାକୁ ଆସିଛି । ଯେଉଁଥିରେ ବିଜେଡି ୭୫୯ ଆସନ ସହ ବିପୁଳ ବିଜୟ ହାସଲ କରିଛି । ଅନ୍ୟପଟେ ବିଜେପି ମାତ୍ର ୪୨ ଓ କଂଗ୍ରେସ ମାତ୍ର ୩୭ ଜିଲ୍ଲା ପରିଷଦ ଜୋନରେ ବିଜୟୀ ହୋଇଛି । ସେହିଭଳି ୩ଟି ଜୋନରେ ସ୍ୱାଧୀନ ଓ ୪ଟି ଜୋନରେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିଜେଡି ପାଇଁ ଏହା ଐତିହାସିକ ବିଜୟ ହୋଇଥିବା ବେଳେ ବିଜେପି ଓ କଂଗ୍ରେସ ଶୋଚନୀୟ ପ୍ରଦର୍ଶନ କରିଛନ୍ତି । ଆଉ ପଞ୍ଚାୟତ ନିର୍ବାଚନର ଫଳାଫଳ ଦର୍ଶାଉଛି ଏବେ ବି ଓଡ଼ିଶାରେ ନବୀନଙ୍କ କ୍ରେଜ ପୂର୍ବ ଭଳି ବଳବତ୍ତର ରହିଛି ।

Comments are closed, but trackbacks and pingbacks are open.