ପୁଣି ଭାରତରେ ବନ୍ଦ ହେଲା ପାକିସ୍ତାନୀ ତାରକାଙ୍କ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ

202

ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ବହୁତ ଖରାପ ହୋଇଯାଇଛି। ଏହା ପରେ ଭାରତ ଆତଙ୍କବାଦୀଙ୍କଠାରୁ ଅପରେସନ ସିନ୍ଦୁର ମାଧ୍ୟମରେ ପ୍ରତିଶୋଧ ନେଇଥିଲା। ଅପରେସନ ସିନ୍ଦୁର ସମୟରେ ଭାରତରେ ଅଧିକାଂଶ ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲଗୁଡ଼ିକୁ ବ୍ୟାନ୍ କରାଯାଇଥିଲା। ବୁଧବାର ଏହି ଆକାଉଣ୍ଟଗୁଡ଼ିକରୁ ପ୍ରତିବନ୍ଧକ ହଟାଇ ଦିଆଯାଇଥିଲା, କିନ୍ତୁ ଏହାର ମାତ୍ର ଗୋଟିଏ ଦିନ ପରେ ଏହି ଆକାଉଣ୍ଟଗୁଡ଼ିକୁ ପୁଣି ଥରେ ବ୍ୟାନ୍ କରାଯାଇଛି। ଶାହିଦ ଆଫ୍ରିଦି ଏବଂ ହାନିଆ ଆମିରଙ୍କ ସମେତ ଅନେକ ସେଲିବ୍ରିଟି ଏହି ତାଲିକାରେ ସାମିଲ ଅଛନ୍ତି। ପ୍ରକୃତରେ କିଛି ଘଣ୍ଟା ପାଇଁ ଭାରତରେ ପାକିସ୍ତାନୀ ତାରକାଙ୍କ ଆକାଉଣ୍ଟ ଦେଖାଯିବା ଆରମ୍ଭ ହୋଇଥିଲା। ଅନୁମାନ କରାଯାଉଥିଲା ଯେ, ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକରୁ ପ୍ରତିବନ୍ଧକ ହଟାଇ ଦିଆଯାଇଛି, କିନ୍ତୁ ଗୁରୁବାର ପୁଣି ଥରେ ପାକିସ୍ତାନୀ ତାରକାଙ୍କ ଆକାଉଣ୍ଟ ଭାରତରେ ଦେଖାଯିବା ବନ୍ଦ ହୋଇଗଲା। ଶାହିଦ ଆଫ୍ରିଦି, ଫୱାଦ ଖାନ କିମ୍ବା ମାହିରା ଖାନଙ୍କ ଆକାଉଣ୍ଟ ଖୋଜିବାରେ ଲେଖାଯାଇଛି ‘ଏହି ଆକାଉଣ୍ଟ ଭାରତରେ ଉପଲବ୍ଧ ନାହିଁ।’ ତଥାପି, ଏହି ମାମଲାରେ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।

Comments are closed, but trackbacks and pingbacks are open.