ପାକିସ୍ତାନ ୨୨୮ ରନ୍‌ରେ ହାରିଲା: ଭାରତର ଜବରଦସ୍ତ ବିଜୟ

22

କଲମ୍ବୋ: ଚଳିତ ଏସିଆ କପ୍‌ରେ ଭାରତ ନିଜ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଜବରଦସ୍ତ ବିଜୟ ହାସଲ କରିଛି। ବର୍ଷା ପାଇଁ ପୂର୍ବ ଦିନଠାରୁ ଲମ୍ବିଥିବା ଏହି ମ୍ୟାଚ୍‌ରେ ବିରାଟ କୋହଲି (୧୨୨*) ଓ କେଏଲ୍ ରାହୁଲ (୧୧୧*)ଙ୍କ ବ୍ୟକ୍ତିଗତ ଶତକ ଏବଂ ଦ୍ବିଶତକ ଭାଗୀଦାରି (୨୩୩*) ବଳରେ ଭାରତ ୩୫୬ ରନ୍‌ର ବଡ଼ ସ୍କୋର୍‌ ଛିଡ଼ା କରିଥିଲା। ଜବାବରେ ପାକିସ୍ତାନକୁ ଭାରତୀୟ ବୋଲର କୌଣସି ଭାବେ ଆଗକୁ ବଢ଼ିବାକୁ ଦେଇନଥିଲେ। କୁଲଦୀପ ଯାଦବଙ୍କ ୫ ୱିକେଟ୍‌ ସଫଳତା ଭାରତକୁ ସହଜ ବିଜୟ ଦେଇଥିଲା। ୨୨୮ ରନ୍‌ ବ୍ୟବଧାନ ବିଜୟ ମଧ୍ୟ ପାକିସ୍ତାନ ବିପକ୍ଷରେ ଭାରତର ସର୍ବବୃହତ ବିଜୟ। ଆଜିର ଅନ୍ୟତମ ବିଶେଷତ୍ବ ଥିଲା କୋହଲିଙ୍କ ଦ୍ରୁତତମ ୧୩,୦୦୦ ରନ ଓ ୭୭ତମ ଅନ୍ତର୍ଜାତୀୟ ଶତକ ସାଙ୍ଗକୁ ରାହୁଲଙ୍କ ଶତକୀୟ ପ୍ରତ୍ୟାବର୍ତ୍ତନ।
ରବିବାର ଅଧା ଥିବା ପାଳିରେ ଭାରତ ସୋମବାର ୧୪୭/୨ରୁ‌ ଖେଳ ଆରମ୍ଭ କରିଥିଲା। ବର୍ଷା ପାଇଁ ମଧ୍ୟ ସୋମବାର ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବରେ ମ୍ୟାଚ୍‌ ଖେଳାଯାଇଥିଲା। ବିରାଟ କୋହଲି ଏବଂ ପ୍ରାୟ ୬ ମାସ ପରେ କ୍ରିକେଟ୍‌ ପଡ଼ିଆକୁ ଫେରିଥିବା କେଏଲ୍ ରାହୁଲ ଧମାକାଦାର ବ୍ୟାଟିଂ କରି ବଡ଼ ସ୍କୋର ଛିଡ଼ା କରି ଦେଇଥିଲେ। ରାହୁଲ ୧୦୦ ବଲରୁ ଏବଂ କୋହଲି ୮୪ ବଲ୍‌ରୁ ବ୍ୟକ୍ତିଗତ ଶତକ ପୂର୍ଣ୍ଣ କରି ଦେଇଥିଲେ। ରାହୁଲଙ୍କର ଏହା ଷଷ୍ଠ ଦିନିକିଆ ଶତକ ହୋଇଥିବା ବେଳେ କୋହଲି ମାରିଥିଲେ ୪୭ତମ। କୋହଲି ମଧ୍ୟ ଏଥି ସହିତ ତାଙ୍କ ୭୭ତମ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ।

ଆହତ କାରଣରୁ ହାରିସ ରୌଫଙ୍କ ଅନୁପସ୍ଥିତି କାରଣରୁ ଭାରତ ମଧ୍ୟ ଫାଇଦା ପାଇଥିଲା। ସାମୟିକ ସ୍ପିନର୍‌ ଇଫତିକାର ଅହମ୍ମଦ ଏବଂ ଦ୍ରୁତ ବୋଲର ଫହିମ ଅସ୍ରଫଙ୍କୁ ବିରାଟ ଓ ରାହୁଲ ବେଶ ଧୂଲେଇ କରିଥିଲେ। ଏପରିକି ପୂର୍ବଦିନରୁ ଗିଲ୍‌ଙ୍କ ଆକ୍ରମଣର ଶିକାର ହୋଇଥିବା ତାରକା ବାମହାତୀ ସିମର୍‌ ସାହିନ୍ ସାହା ଆଫ୍ରିଦି ତାଙ୍କ ୧୦ ଓଭର କୋଟାରେ ସର୍ବାଧିକ ୭୯ ରନ୍‌ ବ୍ୟୟ କରିଥିଲେ। ଅସ୍ରଫ ଦ୍ବିତୀୟ ସର୍ବାଧିକ ୭୪ ରନ୍‌ ଏବଂ ମୁଖ୍ୟ ସ୍ପିନର୍‌ ସଦାବ ଖାନ୍‌ ୭୧ ରନ୍‌ ବ୍ୟୟ କରିଥିଲେ। କୋହଲି ଏବଂ ରାହୁଲ୍‌ ୩୨.୧ ଓଭର ଖେଳି ଅତୁଟ ତୃତୀୟ ୱିକେଟ୍ ପାଇଁ ୨୩୩* ରନ୍ ସଂଗ୍ରହ କରିଥିଲେ। ବର୍ଷା କାରଣରୁ କଲମ୍ବୋର ଆର୍‌ ପ୍ରେମଦାସା ଷ୍ଟାଡିୟମ୍‌ରେ କମ୍ ଦର୍ଶକ ଥିଲେ ସତ, କିନ୍ତୁ ରୋମାଞ୍ଚ ସବୁଠାରୁ ଅଧିକ ଥିଲା। କୋହଲି ୯୪ ବଲ୍‌ରୁ ୧୨୨* ରନ୍‌ରେ (୯ ଚୌକା, ୩ ଛକା) ଏବଂ ରାହୁଲ ୧୦୬ ବଲ୍‌ରୁ ୧୧୧* ରନ୍‌ (୧୨‌ ଚୌକା, ୧ ଛକା) ଅପରାଜିତ ରହି ପାକିସ୍ତାନକୁ ବ୍ୟାକ୍‌ଫୁଟ୍‌ରେ ରଖିଥିଲେ।

ଜବାବରେ ଭାରତକୁ ଯଶପ୍ରୀତ୍ ବୁମରା, ହାର୍ଦିକ ପାଣ୍ଡ୍ୟା ଓ ଶାର୍ଦୁଳ ଠାକୁର ପ୍ରଥମ ୩ ସଫଳତା ‌ଦେଇଥିଲେ। ବର୍ଷା ପାଇଁ ପାକିସ୍ତାନ ପାଳି ଅଟକିଥିଲେ ମଧ୍ୟ ଓଭର କଟିନଥିଲା। କୁଲଦୀପ କିନ୍ତୁ ସବୁଠାରୁ ପ୍ରଭାବୀ‌ ବୋଲିଂ କରି ଆହତ ସମସ୍ୟା ଭିତରେ ପଡ଼ିଥିବା ପାକିସ୍ତାନ ପାଳିକୁ ୧୨୮/୮ରେ (୩୨ ଓଭର) ସୀମିତ ରଖିଦେଇଥିଲେ। ଆହତ କାରଣରୁ ହାରିସ ରୌଫ ଏବଂ ନସିମ୍ ସାହା ବ୍ୟାଟିଂ କରିବାକୁ ଆସିନଥିଲେ। ଫକର ଜମାନଙ୍କ ୱିକେଟ୍‌ରୁ ଅଭିଯାନ ଆରମ୍ଭ କରିଥିବା କୁଲଦୀପ କ୍ରମାନ୍ବୟରେ ଆଘା ସଲମାନ, ସଦାବ ଖାନ୍‌, ଇଫତିକାର ଅହମ୍ମଦ, ଫହିମ ଅସ୍ରଫଙ୍କୁ ଆଉଟ୍ କରି ୮-୦-୨୫-୫ ବୋଲିଂ ଚିତ୍ର ପାଇଥିଲେ। ଏହା ମଧ୍ୟ କୁଲଦୀପଙ୍କର ଦିନିକିଆରେ ଦ୍ବିତୀୟ ୫ ୱିକେଟ୍‌ ସଫଳତା ଥିଲା। ସୁପର୍‌ ଫୋର୍‌ରେ ଭାରତ କ୍ରମାଗତ ତୃତୀୟ ଦିନ ମଧ୍ୟ ପଡ଼ିଆରେ ରହିବ। ମଙ୍ଗଳବାର ଭାରତ ନିଜ ପରବର୍ତୀ ମ୍ୟାଚ୍‌ରେ ଶ୍ରୀଲଙ୍କା ସହ ଖେଳିବ। କୋହଲିଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଛି।

Comments are closed, but trackbacks and pingbacks are open.