ପାକିସ୍ତାନ ଏକ ବିଫଳ ଓ ମିଥ୍ୟାବାଦୀ ରାଷ୍ଟ୍ର : ଭାରତ

33

ୟୁଏନଏଚଆରସିର ୪୮ତମ ସାଧାରଣ ସଭାରେ ଭାରତ ପଡ଼ୋଶୀ ପାକିସ୍ତାନ ଉପରେ ଜୋରଦାର ହମଲା କରିଛି I ପାକିସ୍ତାନ ଓ ଓଆଇସି ରଖିଥିବା ବୟାନ ଉପରେ ରାଇଟୁ ରିପ୍ଲାଏ ଜରିଆରେ ମିଳିତ ଜାତିସଂଘର ମାନବାଧିକାର ପରିଷଦରେ ଭାରତର ପକ୍ଷ ରଖିଥିଲେ ପବନ ବାଧେ । ସେ କହିଥିଲେ ଯେ ପାକିସ୍ତାନ ଗୋଟିଏ ବିଫଳ ଦେଶ, ତା’ଠାରୁ ଭାରତକୁ କିଛି ଶିଖିବାର ନାହିଁ। ପାକିସ୍ତାନ ହେଉଛି ଆତଙ୍କବାଦୀଙ୍କ ପେଣ୍ଠସ୍ଥଳ ଓ ମାନବାଧିକାର ଉଲ୍ଲଙ୍ଘନ କରୁଥିବା ବିଶ୍ୱର ସବୁଠାରୁ ଖରାପ ରାଷ୍ଟ୍ର। ତେଣୁ ପାକିସ୍ତାନ ଆମକୁ ମାନବାଧିକାରର ପାଠ ନ ପଢ଼ାଉ I ମିଳିତ ଜାତିସଂଘର ମାନବାଧିକାର ପରିଷଦରେ ଏବଂ ଓଆଇସି କଶ୍ମୀର ପ୍ରସଙ୍ଗ ଉଠାଇବାରୁ ଏହାର କଡ଼ା ଜବାବ ଦେଇଛି ଭାରତ। ୫୭ଟି ଦେଶକୁ ନେଇ ଗଠିତ ଓଆସି ଅସହାୟ ଭାବେ ନିଜକୁ ପାକିସ୍ତାନ ପାଖରେ ପଣବନ୍ଦୀ କରି ଦେବାକୁ ଚେଷ୍ଟା କରୁଥିବା ଭାରତ ପକ୍ଷରୁ ଜାତିସଂଘରେ କୁହାଯାଇଛି।

ଏଥି ସହିତ ଭାରତ କହିଛି ଯେ ସମଗ୍ର ବିଶ୍ୱ ଭଲ ଭାବେ ଜାଣିଛି କି ପାକିସ୍ତାନ ଖୋଲାଖୋଲି ଭାବେ ଆତଙ୍କବାଦୀଙ୍କୁ ସହାୟତା କରୁଛି । ସେମାନଙ୍କ ପାଇଁ ପାଣ୍ଠି ଯୋଗାଡ଼ କରୁଛି ଓ ତାଲିମ ମଧ୍ୟ ଦେଉଛି।ଏପରି କି ଜାତିସଂଘ ତାଲିକାରେ ଥିବା ଆତଙ୍କବାଦୀମାନେ ମଧ୍ୟ ପାକିସ୍ତାନ ସହାୟତାରେ ବେଶ ଆରାମରେ ନିଜର କାର୍ଯ୍ୟ କରୁଛନ୍ତି। ଭାରତର ସ୍ଥାୟୀ କମିଶନ ପବନ ବାଧେ ନିଜ ବୟାନ ରେ ଏହା କହିଛନ୍ତି I

ସେ କହିଛନ୍ତି ଓଆଇସି ଅସହାୟ ଭାବେ ନିଜକୁ ପାକିସ୍ତାନ ପାଖରେ ବିକ୍ରି କରିଦେଉଛି। ଓଆଇସି ନିଜର ଏଜେଣ୍ଡା ବଦଳରେ ପାକିସ୍ତାନ କଥାରେ ପରିଚାଳିତ ହେଉଛି। ପାକିସ୍ତାନ ଗୋଟିଏ ଅଭ୍ୟାସଗତ ମିଥ୍ୟାବାଦୀ ରାଷ୍ଟ୍ର I ନିଜର ମନଗଢ଼ା କାହାଣୀକୁ ପ୍ରଚାର କରିବା ପାଇଁ ସବୁବେଳେ ବିଶ୍ୱସ୍ତରୀୟ ପ୍ଲାଟଫର୍ମକୁ ବ୍ୟବହାର କରିଥାଏ I ବିଶେଷ କରି ଭାରତ ବିରୋଧରେ ଅପ୍ରଚାର କରିବା ପାକିସ୍ତାନର ଅଭ୍ୟାସ।
ତେଣୁ ଜାତିସଂଘ ପରିଷଦ ଭଲ ଭାବେ ଜାଣିଛି ଯେ ପାକିସ୍ତାନରେ କେଉଁଭଳି ମାନବାଧିକାର ଉଲ୍ଲଙ୍ଘନ ହେଉଛି। ପାକିସ୍ତାନ ଓ ସେ ଦଖଲ କରିଥିବା ଅଞ୍ଚଳରେ ସରକାରଙ୍କ ସମର୍ଥନରେ ଲୋକଙ୍କ ଅଧିକାରକୁ କ୍ଷୁଣ୍ଣ କରାଯାଉଛି। ଏଥିରୁ ସମସ୍ତଙ୍କ ଧ୍ୟାନଚ୍ୟୁତ କରିବା ପାଇଁ ପାକିସ୍ତାନ ସବୁବେଳେ କଶ୍ମୀର ର ପ୍ରଳାପ କରିଥାଏ ବୋଲି ପବନ ବାଧେ କହିଛନ୍ତି।
ପାକିସ୍ତାନ ନିଜ ଦେଶରେ ସଂଖ୍ୟାଲଘୁମାନଙ୍କୁ ସୁରକ୍ଷା ଦେବାରେ ବିଫଳ। ସଂଖ୍ୟାଲଘୁ ଝିଅମାନଙ୍କୁ ଅପହରଣ କରି ଜୋର ଜବରଦସ୍ତ ଧର୍ମ ପରିବର୍ତ୍ତନ କରାଯାଉଛି।
କଶ୍ମୀର ପ୍ରସଙ୍ଗ ରେ କହିଛନ୍ତି କି ଏହା ଆମର ଆଭ୍ୟନ୍ତରୀଣ ବ୍ୟାପାର, ଏ ସମ୍ପର୍କରେ ଓଆଇସି ମତ ଦେବାର ଅଧିକାର ନାହିଁ। କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ସମ୍ପର୍କରେ ଓଆଇସି ଦେଇଥିବା ବୟାନକୁ ଆମେ ଅଗ୍ରାହ୍ୟ କରୁଛୁ। ଜମ୍ମୁ-କଶ୍ମୀର ଭାରତ ର ଅବିଛେଦ୍ୟ ଅଙ୍ଗ I

Leave A Reply

Your email address will not be published.