ଭୁବନେଶ୍ୱର: ଓଡ଼ିଶାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ କୁହାଯାଉଥିବା ବେଳେ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଏନ୍ସିଇଆର୍ଟି ଦ୍ୱାରା ପ୍ରକାଶିତ ୮ମ ଶ୍ରେଣୀର ଇତିହାସ ବହିରେ ସ୍ଥାନିତ କରାଯାଇଥିଲା। କିନ୍ତୁ ଗତ ସପ୍ତାହରେ ଏନ୍ସିଇଆରଟିର ନୂଆ ଇତିହାସ ବହିରେ ଖୋର୍ଦ୍ଧାର ପାଇକ ବିଦ୍ରୋହକୁ ବାଦ୍ ଦିଆଯାଇଛି। ଏହା ଜଣାପଡିବା ପରେ ବିଭିନ୍ନ ମହଲାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହା ଓଡିଆ ଜାତିପ୍ରତି ଚରମ ଅପମାନ ବୋଲି ଓଡ଼ିଆ ଅସ୍ମିତା ପରିଷଦ ପକ୍ଷରୁ କୁହାଯାଇଛି। ପୁନର୍ବାର ଏନ୍ସିଇଆର୍ଟି ୮ମ ଶ୍ରେଣୀ ଇତିହାସ ବହିରେ ସ୍ଥାନ ଦେବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରବିବାର ଓଡ଼ିଆ ଅସ୍ମିତା ପରିଷଦର ଆବାହକ ରବି ବେହେରା ଏକ ପତ୍ର ଲେଖିଛନ୍ତି। ଏହି ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ, ବଙ୍ଗଳାର ସନ୍ନ୍ୟାସୀ ବିଦ୍ରୋହ, ବିହାରର କୋଲ୍ ବିଦ୍ରୋହ ଓ ସାନ୍ତାଳଙ୍କ ବିଦ୍ରୋହ ସେହି ଇତିହାସ ବହିରେ ସ୍ଥାନ ପାଇଥିବା ବେଳେ ଖୋର୍ଦ୍ଧାର ପାଇକ ବିଦ୍ରୋହକୁ ବାଦ୍ ଦେବା ବୀର ପାଇକଙ୍କ ଗୌରବମୟ ତ୍ୟାଗ ଓ ବଳିଦାନ ପ୍ରତି ଏକ ଚରମ ଉପହାସ। ଓଡ଼ିଆ ଜାତିର ସ୍ୱାଭିମାନ ଦୃଷ୍ଟିରୁୁ ପୁନଶ୍ଚ ଇତିହାସ ବହିରେ ସ୍ଥାନ ଦେବାକୁ ବେହେରାଙ୍କ ସମେତ ଓଡ଼ିଆ ଅସ୍ମିତା ପରିଷଦ ପକ୍ଷରୁ ଅରୁଣ ଜେନା, ନାରାୟଣ ଡାଳୁଆ, ସୁବାସ କୁମାର ତାରଣିଆଁ, ଗଣେଶ ପଣ୍ଡା ପ୍ରମୁଖ ଦାବି କରିଛନ୍ତି। ଏହି ଘଟଣାକୁ ପୁନର୍ବାର ପାର୍ଲାମେଣ୍ଟରେ ଦାବି ଉପସ୍ଥାପନ କରିବା ପାଇଁ ଓଡ଼ିଆ ଅସ୍ମିତା ପରିଷଦ ଦାବି କରିଛି। ଅନ୍ୟପକ୍ଷରେ ଓଡ଼ିଆ ଅସ୍ମିତାର କଥା କହୁଥିବା ରାଜ୍ୟ ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିପ୍ରତି ଦୃଷ୍ଟି ଦେବାକୁ ବହୁ ବୁଦ୍ଧିଜୀବୀ ଦାବି କରିଛନ୍ତି।
Comments are closed, but trackbacks and pingbacks are open.