ପଦ୍ମପୁର ନିର୍ବାଚନ: ନାମାଙ୍ଗନ ପତ୍ର ଭରିଲେ ୪ ପ୍ରାର୍ଥୀ

22

ଭୁବନେଶ୍ବର: ଜମିବାରେ ଲାଗିଛି ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର। ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିବାବେଳେ ୪ ଜଣ ନାମାଙ୍କନ ଦାଖଲ କରିଛନ୍ତି।  ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁ ନାମାଙ୍କନ ଦାଖଲ କରିଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ଭାବେ ଜୟନ୍ତ ଥାପ୍ପା ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବଜେଡି ଓ ବିଜେପି ପ୍ରାର୍ଥୀ ନିରାଡ଼ାମ୍ବର ଭାବେ ଉପଜିଲ୍ଲାପାଳଙ୍କ ଅଫିସକୁ ଆସି ନୋମିନେସନ କରିଥିବା ବେଳେ ନିଜ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସିଥିଲେ କଂଗ୍ରେସ ପ୍ରାର୍ଥୀ । ଶେଷ ଦିନରେ ନାମାଙ୍କନ ଭରିଲେ ୩ ଦଳର ପ୍ରାର୍ଥୀ । ବିଜେଡିରୁ ବର୍ଷାରାଣୀ ସିଂ ବରିହା । କଂଗ୍ରେସରୁ ସତ୍ୟ ଭୂଷଣ ସାହୁ । ବିଜେପିରୁ ପ୍ରଦୀପ ପୁରୋହିତ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ପଦ୍ମପୁର ଉପନିର୍ବାଚନ ପାଇଁ ଗତ ୧୦ ତାରିଖରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ସବୁ ଦଳର ପ୍ରାର୍ଥୀଙ୍କ ପାଇଁ ଅଡ଼ୁଆ ହୋଇଥିଲା ଚାଷୀ ଓ ପଦ୍ମପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଆନ୍ଦୋଳନ । ଛକାପଞ୍ଝା ଭିତରେ ଶେଷ ଦିନକୁ ଅପେକ୍ଷା କରିଥିଲେ ସବୁ ଦଳର ପ୍ରାର୍ଥୀ । ଶେଷରେ ଆଜି ସେମାନେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଆଜି ପ୍ରଥମେ ନାମାଙ୍କନ ପତ୍ର ଦାଖଲ ପାଇଁ ଉପଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା ।ସାଥୀରେ ଥିଲେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ସୁଶାନ୍ତ ସିଂହ, ସ୍ନେହାଙ୍ଗିନୀ ଛୁରିଆ, ସାରଦା ନାଏକ, ଅଳକା ମହାନ୍ତି ପ୍ରମୁଖ । ଇଏ ଥିଲା ବର୍ଷାଙ୍କ ପ୍ରାର୍ଥୀ ପତ୍ର ଦାଖଲ ସମୟର ଦୃଶ୍ୟ । ବର୍ଷାଙ୍କ ପରେ ନାମାଙ୍କନ ଦାଖଲ କରିଥିଲେ ଜଣେ ସ୍ବାଧୀନ ପ୍ରାର୍ଥୀ ଜୟନ୍ତ ଥାପ୍ପା । ଏହା ପରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁ । ସାଥୀରେ ଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରମୁଖ । ସଭା ଶେଷରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ । ପ୍ରଦୀପ ସାଥୀରେ ଥିଲେ ସାଂସଦ ସୁରେଶ ପୂଜାରୀ, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ସମେତ ଦଳୀୟ ନେତା ଓ କର୍ମୀ ।  ପ୍ରାର୍ଥୀ ପତ୍ର ଦାଖଲ ପରେ ନିଜ ନିଜର ଜିତାପଟକୁ ନେଇ ସବୁ ଦଳର ପ୍ରାର୍ଥୀ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଆଜି ବିଜେଡି ଓ ବିଜେପି ପ୍ରାର୍ଥୀ ନିରାଡ଼ାମ୍ବର ଭାବେ ଉପଜିଲ୍ଲାପାଳଙ୍କ ଅଫିସକୁ ଆସି ନୋମିନେସନ କରିଥିବା ବେଳେ ନିଜ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସିଥିଲେ କଂଗ୍ରେସ ପ୍ରାର୍ଥୀ । ପ୍ରାର୍ଥୀମାନଙ୍କ ପାଇଁ ଆଜିର ଦିନଟି ଥିଲା ବହୁତ ଗୁରୁତ୍ବପୂର୍ଣ୍ଣ । ସକାଳୁ ସକାଳୁ ଆରମ୍ଭ ହୋଇଯାଇଥିଲା ପୂଜାର୍ଚ୍ଚନା ପର୍ବ। ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା । ନାମାଙ୍କନ ପାଇଁ ଘରୁ ବାହାରିବା ପୂର୍ବରୁ ବାପାଙ୍କ ଫଟୋରେ ମାଲ୍ୟାର୍ପଣ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ବରିହା ପରିବାରର ପ୍ରତ୍ୟେକ ଶୁଭ କାର୍ଯ୍ୟ ପୂର୍ବରୁ ମାଣ୍ଡୋସିଲ ନିକଟ ବୁଢ଼ାରଜା ମନ୍ଦିରରେ ପୂଜାର୍ଚ୍ଚନା କରିବାର ପରମ୍ପରା ରହିଆସିଛି । ତେଣୁ ଆଜି ମଧ୍ୟ ମନ୍ଦିରକୁ ଯାଇ ପ୍ରଥମେ ପୂଜାର୍ଚ୍ଚନା କରିଥିଲେ ବର୍ଷା । ଏହାପରେ  ବିନା ଶୋଭାଯାତ୍ରାରେ ନାମାଙ୍କନ ଦାଖଲ ପାଇଁ ବାହାରିଥିଲେ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ ପରେ ସିଧାସଳଖ ଆନ୍ଦୋଳନରତ ଚାଷୀ ପ୍ରତିନିଧିଙ୍କ ନିକଟକୁ ଯାଇ ମୁଣ୍ଡିଆ ମାରିଥିଲେ ବିଜେଡି ପ୍ରାର୍ଥୀ ବର୍ଷାରାଣୀ  । ଆଉ ସେମାନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଗତ ୧୪ ତାରିଖରେ ଥାଟ ପଟୁଆରରେ ନାମାଙ୍କନ ପାଇଁ ବାହାରିଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ପ୍ରାର୍ଥୀପତ୍ର ଦାଖଲ କରିନଥିଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ । ହେଲେ ଆଜି ନିରାଡ଼ାମ୍ବର ଭାବେ ନାମାଙ୍କନ ଭରିବାକୁ ଆସିଥିଲେ ପ୍ରଦୀପ । ସକାଳୁ ନରସିଂହନାଥ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ପରେ ପାଇକମାଳସ୍ଥିତ ବାସଭବନରେ ପହଞ୍ଚି ଘର ଠାକୁରଙ୍କୁ ମୁଣ୍ଡିଆ ମାରିବା ସହ ମାଆଙ୍କ ପାଦ ଛୁଇଁ ଆଶୀର୍ବାଦ ମାଗିଥିଲେ । ମା’ ମଧ୍ୟ ପ୍ରଦୀପଙ୍କୁ କୋଳେଇ ନେବା ସହ ବିଜୟୀ ଭବ କହି ଆଶୀର୍ବାଦ ଦେଇଥିବାର ଦେଖିବାକୁ ମିଳିଥିଲା । ସେହିଭଳି ନାମାଙ୍କନ ପୂର୍ବରୁ ଘରେ ପୂଜାର୍ଚ୍ଚନା କରି ବାହାରିଥିଲେ କଂଗ୍ରେସ ପ୍ରାର୍ଥୀ  ସତ୍ୟ ଭୂଷଣ ସାହୁ । ପଦ୍ମପୁର ଗୋରୁ ବଜାର ଠାରୁ ବାହାରିଥିଲା କଂଗ୍ରେସର ଶୋଭାଯାତ୍ରା । ଉପଜିଲ୍ଲାପାଳଙ୍କ ଅଫିସ ନକଟରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ କଂଗ୍ରେସ ନେତା । ଆଜି ଦିନ ତମାମ ପଦ୍ମପୁରରେ ପ୍ରାର୍ଥୀଙ୍କ ନୋମିନେସନକୁ ନେଇ ରାଜନୈତିକ ବାତାବରଣ ସରଗରମ ଥିଲା । ତିନି ଦଳର ପ୍ରାର୍ଥୀଙ୍କ ସମେତେ ଆହୁରି ୧୦ଜଣ ସ୍ବାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଅର୍ଥାତ୍ ପଦ୍ମପୁର ଉପନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ମୋଟ ୧୩ଜଣ ପ୍ରାର୍ଥୀ ।  ତେବେ ଲଢ଼େଇ ମୁଖ୍ୟତଃ ବିଜେଡି-ବିଜେପି ଓ କଂଗ୍ରେସ ଭିତରେ ହେବ ବୋଲି ଆଶା କରାଯାଉଛି ।

Comments are closed, but trackbacks and pingbacks are open.