ବଲାଙ୍ଗୀରରେ ଓଭୋ ଫାର୍ମ୍ ଅଣ୍ଡା ପ୍ରକ୍ରିୟାକରଣ କାରଖାନା ଉଦ୍‌ଘାଟିତ

201

ଭୁବନେଶ୍ୱର : କୃଷି ଉଦ୍ୟୋଗ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ଫଳରେ ଉତ୍ପାଦନ ପ୍ରକ୍ରିୟା ସମ୍ପ୍ରସାରଣ ହୋଇପାରୁଛି। ଏହିଭଳି ଭାବରେ ଲୋକାର୍ପିତ ‘ଏଗ୍ ପ୍ରୋସେସିଂ ପ୍ଲାଣ୍ଟ୍‌’ ଏକ ପ୍ରଶଂସନୀୟ ପଦକ୍ଷେପ। ଏହି କାରଖାନାରେ ଉତ୍ପାଦନ ହେଉଥିବା ଅଣ୍ଡା ଓ ବିଭିନ୍ନ ଉତ୍ପାଦର ଗୁଣବତ୍ତା ଉଚ୍ଚମାନର। ବଲାଙ୍ଗିର ଯୁବକମାନେ ବାହାର ରାଜ୍ୟକୁ ରୋଜଗାର ପାଇବା ଆଶାରେ ଯାଉଥିଲେ। ତେବେ ଆଜିର ଏହି ଓଭୋ ଫାର୍ମ ବଲାଙ୍ଗିରରେ ରୋଜଗାର ଏବଂ ବିକାଶର ମୂଳଦୁଆ ପକେଇଲା। ଏହି କାରଖାନା ରାଜ୍ୟର ଯୁବ ଉଦ୍ୟୋଗୀ ତଥା ଭାରତବର୍ଷର ଦୁର୍ଗମ ଅଞ୍ଚଳର ଯୁବଗୋଷ୍ଠୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢାଇବା ସହ ଅନୁପ୍ରାଣିତ କରିବ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ବଲାଙ୍ଗୀରର ବରକାନିଠାରେ ‘ଓଭୋ ଫାର୍ମ୍ ଅଣ୍ଡା ପ୍ରକ୍ରିୟାକରଣ କାରଖାନା’ର ଶୁଭାରମ୍ଭ ସହ ପରିଦର୍ଶନ କରି ଏହା କହିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆକାଂକ୍ଷା ଜିଲ୍ଲାରେ ଏହି ପ୍ଲାଣ୍ଟର ସ୍ଥାପନା ଆତ୍ମବିଶ୍ୱାସ ଓ ଦୃଢ଼ କଳ୍ପନାର ପ୍ରତିଫଳନ ତଥା ବଲାଙ୍ଗୀର ସମେତ ରାଜ୍ୟ ପାଇଁ ଏକ ଉଦାହରଣ। ଆଜିର ପଦକ୍ଷେପ ଦ୍ୱାରା କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ବଲାଙ୍ଗୀର ଆଉ ଗୋଟିଏ ପାଦ ଆଗକୁ ବଢ଼ିଲା। ବଲାଙ୍ଗିର ଭଳି ଆକାଂକ୍ଷୀ ଜିଲ୍ଲାରେ ଏଭଳି ବିଶ୍ୱମାନର ପ୍ଲାଣ୍ଟର କଳ୍ପନାକୁ ପ୍ରଶଂସା କରି ସେ କହିଛନ୍ତି ବଲାଙ୍ଗୀର ଭଳି ଅଞ୍ଚଳରୁ ସ୍ଥାପନା ହୋଇଥିବା ଏହି ପ୍ଲାଣ୍ଟର ଏକ ଗ୍ଲୋବାଲ ମାର୍କେଟ୍ ଅଛି। ଏଠାରେ ଉତ୍ପାଦିତ ହେଉଥିବା ଏଗ୍ ପାଉଡର ବିଶ୍ୱବଜାରକୁ ଯିବ। ଏହି ପ୍ଲାଣ୍ଟ୍ ଦ୍ୱାରା ସ୍ଥାନୀୟ ଅର୍ଥନୀତିକୁ ବଳ ମିଳିବ। ସ୍ଥାନୀୟ ଯୁବାଙ୍କୁ ନିଯୁକ୍ତିର ସୁଯୋଗ ମଧ୍ୟ ମିଳିବ। ଶ୍ରୀ ପ୍ରଧାନ କହିଛନ୍ତି, ସବୁଠାରୁ ବଡ଼ କଥା ହେଲା, ବଲାଙ୍ଗୀରର ଆକାଂକ୍ଷୀ ଯୁବବର୍ଗଙ୍କୁ ଏଣ୍ଟ୍ରପ୍ରିନ୍ୟୁଅର ହେବା ପାଇଁ ଏହି ଶିଳ୍ପ ଉତ୍ସାହିତ କରିବ। ସ୍ଥାନୀୟ ଅର୍ଥନୀତିକୁ ମଜଭୁତ ପାଇଁ ଉଦ୍ୟମ କରିଥିବାରୁ ଓଭୋ ଫାର୍ମ ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ସୌମେନ୍ଦ୍ର ମିଶ୍ର ଏବଂ ସହଯୋଗୀ ସମରେନ୍ଦ୍ର ମିଶ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନିଜ ଅଞ୍ଚଳ ପ୍ରତି ଆସକ୍ତି, ମମତା ଥିବା କାରଣରୁ ସେ ଏହି କାରଖାନାକୁ ସାକାର ରୂପ ଦେଇଛନ୍ତି।

Comments are closed, but trackbacks and pingbacks are open.