ଓଡ଼ିଆ ପିଲାଙ୍କ ଆତ୍ମବିଶ୍ୱାସ ବଢ଼ାଇ ଆନ୍ତର୍ଜାତିକ ସ୍ତରରେ ଉଦ୍ୟମୀ କରିବା ଆମର ଲକ୍ଷ୍ୟ – ଧର୍ମେନ୍ଦ୍ର ପ୍ରଧାନ

32

ଭୁବନେଶ୍ୱର, ଅକ୍ଟୋବର ୦୬ – ପ୍ରଶିକ୍ଷଣ ମାଧ୍ୟମରେ ଓଡ଼ିଆ ପିଲାଙ୍କ ଆତ୍ମବିଶ୍ୱାସ ବଢ଼ାଇ ସେମାନଙ୍କୁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଉଦ୍ୟମୀ କରିବା ପାଇଁ ଭୁବନେଶ୍ୱରର ଜାତୀୟ ଦକ୍ଷତା ବିକାଶ ପ୍ରତିଷ୍ଠାନ(ଏସଡିଆଇ)କୁ ଅଧିକ ଭବ୍ୟ କରିବା କାମରେ ଆମର ଉଦ୍ୟମ ଜାରୀ ରହିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

ଭୁବନେଶ୍ୱର ସ୍ଥିତ ଏହି ଦକ୍ଷତା ବିକାଶ କେନ୍ଦ୍ର ପରିସରରେ ୫୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ଭବ୍ୟ ଅଡିଟୋରିୟମର ଲୋକାର୍ପଣ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି ସରକାରୀ ସ୍ତରରେ ଆଜି ଉଦଘାଟିତ ହୋଇଥିବା ଅନୁଷ୍ଠାନ ଓଡିଶାର ସର୍ବବୃହତ ଅଡିଟୋରିୟମ୍ । ଏହି ଅଡିଟୋରିୟମର ନାମକରଣ ‘ବକ୍ସି ଜଗବନ୍ଧୁ ଦକ୍ଷତା ବିକାଶ ସଭାଗାର’ରେ ନାମିତ କରିବା ପାଇଁ ଏସଡ଼ିଆଇ କର୍ତ୍ତୃପକ୍ଷଙ୍କୁ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି ଏହି ପ୍ରଶିକ୍ଷଣ କେନ୍ଦ୍ର ବକ୍ସିଙ୍କ ନାମରେ ନାମିତ ହେଲେ ଏଠାରେ ପ୍ରଶିକ୍ଷଣ ନେଉଥିବା ଓଡ଼ିଆ ପିଲାମାନେ ବୀର ଓଡ଼ିଆ ଜାତିର ସଂସ୍କାରରେ ନିଜେ ଆଗକୁ ବଢିବା ପାଇଁ ପ୍ରେରିତ ହେବେ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଯୁବପିଢିଙ୍କୁ ରୋଜଗାରକ୍ଷମ କରାଇବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଜନାକୁ ରାଜ୍ୟରେ କ୍ରିୟାନ୍ୱୟନ କରାଯାଉଛି । “ମୁଁ କେଉଁ ଗୁଣରେ ଆଇଆଇଟି, ଆଇଆଇଏମ ପିଲାଙ୍କ ଠାରୁ କମ୍ ନୁହେଁ” । ଓଡ଼ିଆ ପିଲାଙ୍କ ମଧ୍ୟରେ ଏହି ଆତ୍ମବିଶ୍ୱାସ ସହ ସାହସକୁ ଉଜ୍ଜିବୀତ କରିବା ପାଇଁ ଭୁବନେଶ୍ୱରରେ ଦକ୍ଷତା ବିକାଶ କେନ୍ଦ୍ରର କଳ୍ପନା କରାଯାଇଛି । ଏହା ଦ୍ୱାରା ଏବେ ଅନେକ ଓଡ଼ିଆ ପିଲା ମାଗଣାରେ ଶିକ୍ଷା ଓ ପ୍ରଶିକ୍ଷଣ ସହ ଉପଯୁକ୍ତ ସୁବିଧା ପାଇପାରୁଛନ୍ତି । ଶ୍ରେଣୀଗୃହ ସହ ଛାତ୍ରବାସ, ଖେଳ ପଡ଼ିଆ, ଲ୍ୟାବ, ଥିଏଟର ଭଳି ଅତ୍ୟାଧୁନିକ ସୁବିଧା କରାଯାଇଛି । ଏହାସହ ଅଡିଟୋରିୟମରେ ଏକକାଳୀନ ୧୨୦୦ ଲୋକମାନେ ବସିବାର ବ୍ୟବସ୍ଥା କରାଯାଇଛି ।  ଯେଉଁ କାମରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସହଯୋଗୀ ହୋଇଛି ।

ସୁଯୋଗ ମିଳିଲେ ଓଡ଼ିଆ ପିଲାମାନେ ଚନ୍ଦ୍ରପୃଷ୍ଠରେ ପହଞ୍ଚିବାକୁ ସମର୍ଥ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ଆଗାମୀ ଦିନରେ ଏହି କ୍ୟାମ୍ପସକୁ ବିଶ୍ୱର ଅଗ୍ରଣୀ ଅନୁଷ୍ଠାନ କରିବା ପାଇଁ ଅଧିକ ଉଦ୍ୟମ କରାଯିବ । ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଶିଳ୍ପାନୁଷ୍ଠାନ, ବିଦେଶରେ ଥିବା ସର୍ଭିସ ଇଣ୍ଡଷ୍ଟ୍ରି ଆଧାରିତ ଦକ୍ଷତା ଆଧାରିତ ପ୍ରଶିକ୍ଷଣ ପିଲାଙ୍କୁ ଦିଆଯିବ ।

ଦେଶରେ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ୫ଜି ଟେକ୍ନୋଲୋଜି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତି ଗାଁକୁ ହାଇସ୍ପିଡ ଇଣ୍ଟରନେଟ୍ ସହ ଯୋଡ଼ିବାର କଳ୍ପନା ବିଶ୍ୱରେ ନୂଆ କ୍ରାନ୍ତି ଆଣିବ । ଏହାକୁ ଦୃଷ୍ଟିରେ ରଖି ଓଡ଼ିଆ ପିଲାମାନେ ଦାଦନ ଖଟିବା ପାଇଁ ନୁହେଁ ବରଂ ବାହାରକୁ ଯାଇ ମାଲିକ ହେବାର ସ୍ୱପ୍ନ ଦେଖିବା ଉଚିତ୍ । ସେହିପରି ଆଗାମୀ ଦିନରେ ଡିଜିଟାଲ ବିଶ୍ୱବିଦ୍ୟାଳୟ ହେବ, ଯାହା ଦ୍ୱାରା ଯୁବପିଢିମାନେ ଉପକୃତ ହୋଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Comments are closed, but trackbacks and pingbacks are open.