ବିଗିଡି ଗଲା ବିରୋଧୀ ଏକତା ଗେମ୍‌ପ୍ଲାନ୍‌, କଂଗ୍ରେସକୁ ବଡ ଭାଇ ମାନିବାକୁ ନାରାଜ: ମମତା-ଅଖିଳେଶ ଶପଥ ଗ୍ରହଣ ଉତ୍ସବରୁ ଦୂରେଇଲେ

21

ସିଦ୍ଧରମୈୟା କର୍ନାଟକରେ ମୁକୁଟ ପିନ୍ଧିଛନ୍ତି। କଂଗ୍ରେସର ବରିଷ୍ଠ ନେତା ଶନିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଏହା ସହ ସେ ଦ୍ୱିତୀୟ ଥର ପାଇଁ କର୍ନାଟକର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। କର୍ନାଟକ କଂଗ୍ରେସ ରାଜ୍ୟ ସଭାପତି ଡି.କେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ କର୍ନାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲୋଟ ଶପଥ ଗ୍ରହଣ କରାଇଛନ୍ତି। ବେଙ୍ଗାଲୁରୁର କାଣ୍ଟେରାଭା ଫୁଟବଲ ଷ୍ଟାଡିୟମରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା। ସିଦ୍ଧରମୈୟା ଏବଂ ଶିବକୁମାରଙ୍କ ବ୍ୟତୀତ ଅନେକ ପୂର୍ବତନ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଏହି ସମୟରେ ଦଳର ସମସ୍ତ ବରିଷ୍ଠ ନେତାମାନେ ସେମାନଙ୍କ ଉପସ୍ଥିତ ଥିଲେ। ଆଶା କରାଯାଉଥିଲା ଶପଥ ଗ୍ରହଣ ଉତ୍ସବରେ ସମସ୍ତ ବିରୋଧୀ ଉପସ୍ଥିତ ରହିବେ। କିନ୍ତୁ ତାହା ହୋଇ ନ ଥିଲା। ଏହି ସମୟ ମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ଅଧ୍ୟକ୍ଷା ମମତା ବାନାର୍ଜୀ ଏବଂ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଅନୁପସ୍ଥିତ ଥିଲେ।

ଭାଜପା ବିରୋଧରେ ମିଳିତ ବିରୋଧୀ ଏକତାର ସ୍ଲୋଗାନ ଦେଉଥିବା ନେତାଙ୍କ ମଧ୍ୟରେ ମମତା ଏବଂ ଅଖିଳେଶ ଶୀର୍ଷରେ ଅଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏକ୍‌ ପ୍ଲାଟଫର୍ମ ଖୋଜୁଥିବା ମମତା ଏବଂ ଅଖିଳେଶ ମିଳିତ ବିରୋଧୀ ଏକତା ପାଇଁ ବିରୋଧୀ ଦଳଙ୍କୁ ଏକାଠି କରିବା ଆରମ୍ଭ କରିଛନ୍ତି। କର୍ନାଟକରେ ସରକାରଙ୍କ ଶପଥ ଗ୍ରହଣ ସମାରୋହରେ କଂଗ୍ରେସ-ବିରୋଧୀ ଦଳକୁ ସମର୍ଥନ କରୁଥିବା ଏହି ନେତାଙ୍କ ଅନୁପସ୍ଥିତି ପଛରେ ପରିସ୍ଥିତି ସ୍ପଷ୍ଟ ହୋଇଛି। ଯେ କୌଣସି ପ୍ରକାରେ କଂଗ୍ରେସକୁ ବଡ ଭାଇ ଭାବରେ ବିବେଚନା କରିବାକୁ ଉଭୟ ନେତା ପ୍ରସ୍ତୁତ ନୁହଁନ୍ତି। ତେବେ ଭାଜପାର ପରାଜୟ ପରେ ଖୁସି ବ୍ୟକ୍ତ କରିଥିବା ମମତା ସ୍ପଷ୍ଟ କରିଛନ୍ତି ତାଙ୍କ ସଂଗ୍ରାମ ସର୍ବଦା ଭାଜପା ବିରୋଧରେ ହେବ। ଏନେଇ ଯଦି ସେ କାହାର ସମର୍ଥନ ପାଆନ୍ତି ତେବେ ତାଙ୍କର କୌଣସି ଆପତ୍ତି ନାହିଁ।

ଅନ୍ୟପକ୍ଷରେ କଂଗ୍ରେସ କହିଛି. ସେମାନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର, କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ, ବିଏସପି ମୁଖ୍ୟ ମାୟାବତୀଙ୍କୁ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ।

Comments are closed, but trackbacks and pingbacks are open.