କାହା ଦୟାରେ ବିରୋଧୀ ଦଳ ନେତା ହୋଇନାହାଁନ୍ତି ଜୟ ନାରାୟଣ: ଧର୍ମେନ୍ଦ୍ର

21

ରାଜ୍ୟସରକାର ଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ତେରେଛା ବାଣ । ସରକାରଙ୍କ ବିରୋଧରେ ଖୋଲିଲେ ମୁଁହ । କହିଲେ ସରକାରଙ୍କ ଦୟାରେ ଜୟ ନାରାୟଣ ବିରୋଧୀ ଦଳ ନେତା ହୋଇନାହାଁନ୍ତି । ବିରୋଧୀ ଦଳ ନେତା ଓ ମହିଳା ଆଇଆଇସିଙ୍କ ମଧ୍ୟରେ ଧସ୍ତାଧସ୍ତି ଘଟଣାରେ ରାଜନୀତି ଆରମ୍ଭ କରିଛି । ଶାସକ ବିଜୁ ଜନତା ଦଳ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ଇସ୍ତଫା ଦାବି କରିଥିବାବେଳେ, ଏହି ଘଟଣାକୁ ନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ସିଧା ସିଧା ବିଜେଡି ସରକାରକୁ ଟାର୍ଗେଟ କରିବା ସହ ନବୀନ ବାବୁଙ୍କ ଦୟାରେ ଜୟ ନାରାୟଣ ମିଶ୍ର ବିରୋଧୀ ଦଳ ନେତା ହୋଇନାହାଁନ୍ତି ବୋଲି କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ବିଗିଡ଼ି ଯାଇଛି। ସରକାରୀ ଦଳ ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଏ ସବୁ ପ୍ରାୟୋଜିତ କାମ କରୁଛନ୍ତି । ନବୀନ ବାବୁଙ୍କ ଦୟାରେ ଜୟ ନାରାୟଣ ମିଶ୍ର ବିରୋଧୀ ଦଳ ନେତା ହୋଇନାହାଁନ୍ତି ବରଂ ଭାରତୀୟ ଜନତା ପାର୍ଟିର ପାର୍ଲିଆମେଣ୍ଟାରୀ ବୋର୍ଡର ନିଷ୍ପତ୍ତିରେ ଜୟନାରାୟଣ ମିଶ୍ର ବିରୋଧୀ ଦଳ ନେତା ନିଯୁକ୍ତ ହୋଇଛନ୍ତି । ତେଣୁ ଯଦି ନୈତିକତା କଥା ଉଠୁଛି, ତେବେ ରାଜ୍ୟର ଅଧା ଡଜନରୁ ଅଧିକ ମନ୍ତ୍ରୀ ହତ୍ୟା ଓ ବିଭିନ୍ନ କେଳେଙ୍କାରୀରେ ଅଭିଯୁକ୍ତ ହେଲା ପରେ ବି ପଦରେ ଅଛନ୍ତି । ରାଜନୀତିରେ ହିଂସା, ଉତ୍ତେଜନାର ସ୍ଥାନ ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ୩ଟି ବଡ଼ବଡ଼ ଅନୁଷ୍ଠାନ ଲଗାଇ ଜୟନାରାୟଣଙ୍କୁ କ୍ଷମା ମାଗିବାକୁ କୁହାଗଲା। ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ କହିଲେ ପୋଲିସ ଲାଞ୍ଚ ନେଉଛି। ବିଜେଡି ନେତା କହିଲେ ପିଏସ୍ଓ ଫୋନ୍ ଉଠାଇବାକୁ ଅଛନ୍ତି। ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଭଳି ବରିଷ୍ଠ ନେତା କହିଲେ ମୋତେ ଗୋପାଳ ଦାସ ମାନଙ୍କୁ ଡର ଲାଗିଲାଣି। ସେମାନଙ୍କୁ କେହି କିଛି କହିଲେନି, ହେଲେ ଜୟନାରାୟଣଙ୍କୁ କ୍ଷମା ପାଇଁ କୁହାଗଲା ମୁଖ୍ୟମନ୍ତ୍ରୀ ଓ ତାଙ୍କ ବଚସ୍କରମାନେ ଅସହିଷ୍ଣୁ ହୋଇ ଏଭଳି କରୁଛନ୍ତି। ଗଣତନ୍ତ୍ରରେ ଏ ପ୍ରାୟୋଜିତ ନାଟକବାଜି ଲମ୍ବା ସମୟ ଚାଲେନି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଜୟନାରାୟଣ ମିଶ୍ରଙ୍କ ସୁରକ୍ଷା ନେଇ ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି, ସମ୍ବଲପୁରରେ ମହିଳା ଆଇଆଇସି ଓ ଜୟନାରାୟଣ ମିଶ୍ର ଧସ୍ତାଧସ୍ତି ଘଟଣାରେ ଜୟନାରାୟଣଙ୍କ ନାଁରେ ମିଛ ମାମଲା ହୋଇଛି। ଜଣେ ମହିଳା ଆଇଆଇସି ଜରିଆରେ ତାଙ୍କୁ ଧକ୍କା, ମୁକ୍କା ଦିଆଯାଇଛି। ଜୟନାରାୟଣ ମିଶ୍ର ଓଡ଼ିଶାରେ ସୁରକ୍ଷିତ ନୁହନ୍ତି। ଜୟନାରାୟଣଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ।

Comments are closed, but trackbacks and pingbacks are open.