ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଜିଦ୍‌ରେ ଅଟଳ ବିରୋଧୀ; ଗୃହ ଚଳାଇ ନଦେବାକୁ ପ୍ରମିଳାଙ୍କ ଚେତାବନୀ

23

ଭୁବନେଶ୍ୱର: ଏସସିବି ନିଆଁ ଶୀତଳ ହୋଇଯାଇଛି । ଆଉ ଅଧାପୋଡ଼ା ରୋଗୀମାନେ ମେଡିକାଲ ବେଡ଼ରେ ଛଟପଟ ହେଉଛନ୍ତି । ହେଲେ ଏହାକୁ ନେଇ ବିଧାନସଭାରେ ହାଇଡ୍ରାମା ଚାଲିଛି । ୨୪ ବର୍ଷ ଧରି କ୍ଷମତାରେ ରହିଥିବା ବିଜେଡି ତା’ର ଅପାରଗ ପଣିଆକୁ ଲୁଚାଇବାକୁ ଶାସକ ବିଜେପି ଉପରେ ଦୋଷ ଲଦୁଛି ତ ଶାସକ ଦଳ ଏସସିବିର କିଛି ତଳିଆ କର୍ମଚାରୀଙ୍କୁ ନିଲମ୍ବନ କରି ଦୋଷଛଡ଼ା ହେବାକୁ ଚେଷ୍ଟା କରୁଛି । ଏସବୁ ଭିତରେ ବିଜେଡି କିନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛି । ଏହି କ୍ରମରେ ଆଜି ବିଧାନସଭାରେ ବିରୋଧୀଦଳର ମୁଖ୍ୟସଚେତକ ପ୍ରମିଳା ମଲ୍ଲିକ କଟୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି କି, ଯଦି ସ୍ୱାସ୍ଥ୍ୟମନ୍ତ୍ରୀଙ୍କର ନୈତିକତା ଥାନ୍ତା ତେବେ ୧୩ ଜଣ ରୋଗୀ ପୋଡ଼ି ମରିଯିବା ପରେ ବି ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ନଦେଇ ବିରୋଧୀଙ୍କୁ ସମାଲୋଚନା କରିବାର ସୁଯୋଗ ଦେଇଛନ୍ତି । ଏହାସହ ପ୍ରମିଳାଙ୍କ ଯୁକ୍ତି ରହିଛି କି, ବିଜେଡି ସରକାରରେ ଏକ ଘରୋଇ ହସ୍ପିଟାଲରେ ନିଆଁ ଲାଗିବା ଘଟଣାରେ ଆମ ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଇଥିଲେ । ହସ୍ପିଟାଲର ମାଲିକଙ୍କୁ ବି ଗିରଫ କରାଯାଇଥିଲା । ଏହି କ୍ରମରେ ଏ ସରକାରର ଯଦି ନୈତିକତା ରହିଛି ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେବା ସହ ଏସସିବି ନିର୍ଦ୍ଦେଶକଙ୍କୁ ଗିରଫ କରାଯାଉ । ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ନଦେବା ଯାଏଁ ବିଜେଡି ପ୍ରତିବାଦ ଜାରି ରଖିବ ବୋଲି ସ୍ପଷ୍ଟ କରିଛନ୍ତି ପ୍ରମିଳା ମଲ୍ଲିକ ।

Comments are closed, but trackbacks and pingbacks are open.