ଅପେରେସନ୍ କୋମଳ

22

ନୂଆଦିଲ୍ଲୀ: ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଏକ ବିଷମ ପରିସ୍ଥିତି ମଧ୍ୟ ଦେଇ ଗତିକରୁଛି। ଗଣତାନ୍ତ୍ରିକ ମୂଲ୍ୟବୋଧ କ୍ରମେ ହ୍ରାସ ପାଉଛି। ଗଣତାନ୍ତ୍ରିକ ପ୍ରକ୍ରୀୟାରେ ସାଧାରଣ ଜନତା ଯେଉଁପରି ପ୍ରଲୋଭନର ଶିକାର ହେଉଛନ୍ତି, ନେତାମାନେ ତାଠାରୁ ଅଧିକ ପ୍ରଲୋଭନର ଶିକାର ହେଉଛନ୍ତି। ପୂର୍ବରୁ ଅଭିଯୋଗ ହେଉଥିଲା ଭୋଟରମାନଙ୍କୁ କିଣାଯାଉଛି ବୋଲି। ଏବେ ଅଭିଯୋଗ ହେଉଛି ଲୋକ ପ୍ରତିନିଧିମାନଙ୍କୁ କିଣାଯାଉଛି। କେବଳ ଦୁଇ ଚାରିଜଣ ଲୋକପ୍ରତିନିଧି ନୁହଁ, ଗୋଟିଏ ଦଳର ଅଳ୍ପ କେତେକଙ୍କୁ ଛାଡି ଅନ୍ୟ ସମସ୍ତଙ୍କୁ କିଣାଯାଇ ପାରୁଛି। ଜନସାଧାରଣଙ୍କ ମତାମତର କୌଣସି ଗୁରୁତ୍ୱ ରହୁନାହିଁ। ଯେଉଁ ଦଳକୁ ଲୋକମାନେ ଜିତାଇଥିଲେ ସରକାର ଗଠନପାଇଁ ଏବଂ ଯାହାକୁ ବିରୋଧି ଦଳର ଭୂମିକା ଦେଇଥିଲେ, ଦେଖାଯାଉଛି ନିର୍ବାଚନ ପରେ ଓଲଟପାଲଟ ହୋଇଯାଉଛି। ବିରୋଧୀ ଦଳ ସରକାରୀ ଦଳର ପ୍ରତିନିଧିମାନଙ୍କୁ କିଣି ନେଉଥିବାର ଦେଖା ଯାଉଛି ଓ ହାରିଥିବା ଦଳ ସରକାର ଗଠନ କରୁଛି। ଏପ୍ରକାର ଦଳବଦଳ ଆଦୌ ନୈତିକଭିତ୍ତିକ ନୁହେଁ, ଏହା ପ୍ରାୟତଃ ଅର୍ଥ, ପ୍ରଲୋଭନ ଓ ଧମକଭିତ୍ତିକ ହେଉଥିବାର ଦେଖାଯାଉଛି। ନିର୍ବାଚନ ଜିଣି ସରକାର ଗଢିବାର ଆଶା ଏବେ ଆଉ ନିଶ୍ଚିତ ନୁହେଁ। ସରକାର ଗଢିଲେବି ତାହା ସ୍ଥାୟୀ ହେବା ସମ୍ଭାବନାମୂଳକ ହେଉଛି। ସୁସ୍ଥ ଗଣତନ୍ତ୍ରପାଇଁ ଏପରି ପରିସ୍ଥିତି ଅତ୍ୟନ୍ତ ବିପଜ୍ଜନକ।
       ବର୍ତ୍ତମାନର ପରିପ୍ରେକ୍ଷୀରେ ବିରୋଧୀ ଦଳଗୁଡିକର ଅଭିଯୋଗ ଯେ କେନ୍ଦ୍ର ଶାସନରେ ଥିବା ବିଜେପି ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି। ଏହା ଅତୀତର ସମସ୍ତ ରେକର୍ଡକୁ ଭାଙ୍ଗିଛି। ଏହି ସରକାର ଇଡି, ସିବିଆଇ, ଆୟକର ବିଭାଗ ପରି ସରକାରୀ ସଂସ୍ଥାଗୁଡିକର ଦୁରୁପଯୋଗ କରି ବିରୋଧୀଙ୍କୁ ଭୟଭୀତ କରୁଛି ଓ ବିଜେପିରେ ମିଶିଲେ ଏଥିରୁ ମୁକ୍ତି ପାଇବାର ଆଶ୍ବାସନା ଦେଉଛି। ଯେଉଁମାନେ ଏଥିରେ ଭୟଭୀତ ହେଉନାହାଁନ୍ତି ତାଙ୍କୁ ବିପୁଳ ପରିମାଣର ଅର୍ଥଦେଇ କିଣି ନେବାର ପ୍ରୟାସ କରୁଛି। ବିରୋଧୀ ଦଳଗୁଡିକୁ ଭାଙ୍ଗିବା ବିଜେପିର ଦଳୀୟ ଏଜେଣ୍ଡା ବନିଯାଇଛି। ବିରୋଧୀ ଦଳଗୁଡିକର ଅଭିଯୋଗ ଯେ ବିଜେପି କଳେବଳେ କୌଶଳେ ସରକାରରେ ରହିବାକୁ ଚାହୁଁଛି। ଏଥିପାଇଁ ଗଣତନ୍ତ୍ରକୁ ବଳିଦେବାକୁ ପଛାଉ ନାହିଁ। ଅବଶ୍ୟ ବିରୋଧୀ ଦଳଗୁଡିକର ଏପରି ଅଭିଯୋଗକୁ ବିଜେପି ଖଣ୍ଡନ କରିଛି। ହେଲେ ଲୁଚିଛି ନା ଗୋଡ ଦୁଇଟା ଦିଶୁଛି। ଲୋକମାନେ ସତ କେଉଁଟା ତାହା ଠିକ୍ ଭାବରେ ଠଉରେଇ ନେଇଛନ୍ତି। କିଛି ଆଉ ଲୁଚି ରହିନାହିଁ।
       ବିରୋଧୀ ଦଳମାନେ ଏପରି କାର୍ଯ୍ୟକ୍ରମର ବିରୋଧ କରି ଆସୁଛନ୍ତି। ଏହାକୁ ବିଜେପିର ‘ଅପେରେସନ ଲୋଟସ୍’ ବା ‘ଅପେରେସନ କୋମଳ’ କାର୍ଯ୍ୟକ୍ରମ ବୋଲି କେତେକ କହି ଆସିଛନ୍ତି। ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାରକୁ ଭାଙ୍ଗିବାର ପ୍ରୟାସ ହେବା ଅଭିଯୋଗ ଆସିବାପରେ ଆପ୍ ବିଜେପିର ଏପ୍ରକାର କାର୍ଯ୍ୟକ୍ରମକୁ ‘ଅପେରେସନ୍ ଲୋଟସ୍’ ନାମରେ ବହୁଳଭାବେ ପ୍ରଚାର କରୁଛି। ଏହାକୁ ଏକ ରାଷ୍ଟ୍ରୀୟ ବିତର୍କର ରୂପ ଦେଇଛି। ଏହାକୁ ଏକ ଅଗଣତାନ୍ତ୍ରିକ କାର୍ଯ୍ୟ କହି ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବାକୁ ସକ୍ଷମ ହୋଇଛି। ଅଭିଯୋଗ ମୁତାବକ ବିଜେପି ଦିଲ୍ଲୀର ଶାସନାଧିନ ଆମ୍ ଆଦମୀ ପାର୍ଟିର ୪୦ ଜଣ ବିଧାୟକଙ୍କୁ କିଣିବାର ଯୋଜନା କରିଥିଲା ଓ ତଦନୁଯାୟୀ ପଦକ୍ଷେପ ନେବା ଆରମ୍ଭ କରିଥିଲା। ଅତୀତରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସମେତ ପ୍ରାୟ ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କ ଘରେ ଏକାଧିକବାର ସିବିଆଇ ରେଡ୍ ହୋଇଛି। ଗୋଟିଏ ମୂଲ୍ୟହୀନ କେଶରେ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜେନ୍ ଙ୍କୁ ଇଡି ଗିରଫକରି ଜେଲରେ ରଖିଛି ବୋଲି ଆପ୍ ପକ୍ଷରୁ ଅଭିଯୋଗ ହୋଇଛି। ନିକଟରେ ସିବିଆଇ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଘରେ ରେଡ୍ କରିଥିଲା। କୌଣସି ସନ୍ଦେହଜନକ ତଥ୍ୟ ପାଇଲା ନାହିଁ। ଏବେ ସିବିଆଇ ଉପରେ ଚାପ ପକା ଯାଉଛି ଯେ କୌଣସି ଉପାୟରେ ତାଙ୍କୁ ଗିରଫ କରିବାପାଇଁ। ଅଭିଯୋଗ ଆସିଛି ଚାପଭାର ସମ୍ଭାଳି ନପାରି ଜଣେ ଅଧିକାରୀ ଆତ୍ମହତ୍ୟା କରିଛନ୍ତି। ଅବଶ୍ୟ ସିବିଆଇ ପକ୍ଷରୁ ଏହାର ଖଣ୍ଡନ କରାଯାଇଛି। ଏପ୍ରକାର ରେଡର ଅସଲ ଉଦ୍ଦେଶ୍ୟ ହେଉଛି ଭୟର ବାତାବରଣ ତିଆରି କରିବା। ଲୋକ ପ୍ରତିନିଧିମାନଙ୍କ ଉପରେ ଚାପ ସୃଷ୍ଟି କରିବା। ଫଳରେ ଶିକାର ଅନାୟାସରେ ଆସି ଜାଲରେ ପଡିବ।
      ମନିଷ ସିସୋଦିଆ ବିଜେପି ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ ଯଦି ଆପର ବିଧାୟକମାନଙ୍କୁ ନେଇ ବାହାରି ଆସନ୍ତି ତେବେ ତାଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ବନାଯିବ ଓ ତାଙ୍କ ବିରୁଦ୍ଧରେ ଚାଲିଥିବା ସମସ୍ତ ତଦନ୍ତକୁ ବନ୍ଦ କରାଯିବ। ଏ ବାବଦରେ ପ୍ରତ୍ୟେକ ବିଧାୟକଙ୍କୁ ୨୦ କୋଟି ଲେଖାଏଁ ଟଙ୍କା ପ୍ରଦାନ କରାଯିବ। ଯିଏ ବିଧାୟକମାନଙ୍କୁ ଆଣିବାରେ ସହାୟକ ହେବ ତାଙ୍କୁ ପ୍ରତି ବିଧାୟକ ପାଇଁ ୫ କୋଟି ଟଙ୍କା ମିଳିବ। ବିଧାୟକମାନେ ମଧ୍ୟ ଏ ବାବଦରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏ ପ୍ରକାର ପ୍ରଲୋଭନ ବିଷୟରେ କହିଛନ୍ତି। ବିଜେପି ଏ ବାବଦକୁ ୮୦୦ ଶହ କୋଟି ଟଙ୍କାର ବଜେଟ୍ ବନାଇଛି ବୋଲି ଆପ୍ ଅଭିଯୋଗ ଆଣିଛି। ପୁରା ବେପାର। ଏକଥା ଶୁଣିଲା ବେଳକୁ ମନେହେଉଛି ରାଜନୀତି ଏକ ପଣ୍ୟ ବଜାରରେ ପରିଣତ ହୋଇଛି। ଯେଉଁ ବଜାରରେ ଏମଏଲ, ଏମପି ଓ ଅନ୍ୟ ଲୋକପ୍ରତିନିଧିମାନେ ବିକ୍ରି ହୁଅନ୍ତି। ଏହା ଉପରେ ମୂଲଚାଲ ବି ହୁଏ। ସବୁଠାରୁ ଗମ୍ଭୀର କଥା ଯେ କେନ୍ଦ୍ରୀୟ ତଦନ୍ତ ସଂସ୍ଥାଗୁଡିକ ଏପରି ବଜାର ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଥିବାର ଅଭିଯୋଗ ହେଉଛି।
       ଦିଲ୍ଲୀ ସରକାରର ପତନ ପାଇଁ ବିଜେପି ଚେଷ୍ଟା କରୁଛି ବୋଲି ଆପ୍ ଅଭିଯୋଗ କରିଛି। ଏହାକୁ ନେଇ ଉଭୟ ଦଳ ମଧ୍ୟରେ ଅଭିଯୋଗ ଓ ପ୍ରତି ଅଭିଯୋଗ ଜୋରରେ ଚାଲିଛି। ଆପ୍ ବିଜେପିର ଏତାଦୃଶ କାର୍ଯ୍ୟକୁ ସାଧାରଣ ଜନତାଙ୍କ ପାଖକୁ ନେବାକୁ ଚେଷ୍ଟା କରିଛି। ବିଜେପି ଯୋଜନାବଦ୍ଧ ଭାବେ ଅଣବିଜେପି ସରକାରଗୁଡିକୁ ଭାଙ୍ଗିବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ ଆଣିଛି। ଏହି ଯୋଜନାର ନାମ ଦେଇଛି ‘ଅପେରେସନ୍ ଲୋଟାସ୍’। ଏହି ଯୋଜନା ଅନୁଯାୟୀ ଅନେକ ରାଜ୍ଯ ସରକାରକୁ ଭାଙ୍ଗା ଯାଇଛି। ଯୋଜନା ମୁତାବକ ନିକଟରେ ମହାରାଷ୍ଟ୍ରରେ ରାଜନୈତିକ ପଟ୍ଟ ପରିବର୍ତ୍ତନ କରାଯାଇଛି। ଶିବସେନା ନେତୃତ୍ୱାଧୀନ ମିଳିତ ସରକାରକୁ ଭାଙ୍ଗି ନିଜ ନିୟନ୍ତ୍ରଣର ସରକାର ଗଠନ କରିଛି। କର୍ଣ୍ଣାଟକରେ ଜନତା ଦଳ (ଏସ୍) ନେତୃତ୍ୱାଧୀନ ସରକାରକୁ ଭାଙ୍ଗି କିପରି ବିଜେପି ସରକାର ଗଢାଯାଇଛି ତାହା ସମସ୍ତଙ୍କୁ ଜଣା ଅଛି। ସେହିପରି ମଧ୍ୟପ୍ରଦେଶରେ କଂଗ୍ରେସ ସରକାରକୁ ଭାଙ୍ଗି କିପରି ବିଜେପି ସରକାର ଗଠନ କରାଯାଇଛି ତାହାବି ସମସ୍ତଙ୍କୁ ଜଣା।  ତଦ୍ରୁପଭାବେ ଗୋଆ ଓ ଉତ୍ତରାଖଣ୍ଡର କଥା ବି କାହାକୁ ଅଛପା ନାହିଁ। ଏ ସମସ୍ତ ରାଜ୍ୟରେ ଅପେରେସନ୍ ଲୋଟସ ସଫଳ ହୋଇଛି। ଜଣେ ଜଣେ ବିଧାୟକଙ୍କୁ ଖରିଦ୍ କରିବା ପାଇଁ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯାଇଛି ବୋଲି ଆପ୍ ଅଭିଯୋଗ କରିଛି। ସମଗ୍ର ଦେଶରେ ଅଦ୍ୟାବଧି ୨୭୭ ବିଧାୟକଙ୍କୁ ଖରିଦ୍ କରିବାପାଇଁ ୬୩୦୦ କୋଟି ଟଙ୍କା ବିଜେପି ଖର୍ଚ୍ଚ କରିଛି ବୋଲି ଆପ୍ ଅଭିଯୋଗ କରିଛି। ଏହାର ସିବିଆଇ ତଦନ୍ତ ପାଇଁ ଆପ୍ ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଦାବି କରିଛନ୍ତି।
       ଦିଲ୍ଲୀରେ ‘ଅପେରେସନ୍ ଲୋଟସ୍’ ସଫଳ ହୋଇପାରିଲା ନାହିଁ। ଅର୍ଥାତ୍ ଦିଲ୍ଲୀରେ ବହୁ ଚେଷ୍ଟାପରେବି ‘ଅପେରେସନ ଲୋଟସ୍ ଫେଲ୍ଡ’, ‘ଅପେରେସନ୍ ପଦ୍ମ ବିଫଳ’। ସଚ୍ଚୋଟତା ଓ ରାଷ୍ଟ୍ରଭକ୍ତି ଭାବନା ନିକଟରେ ‘ଅପେରେସନ ଲୋଟସ୍’ ଦାନା ବାନ୍ଧି ପାରିଲା ନାହିଁ ବୋଲି ଆପ୍ କହୁଛି।

Comments are closed, but trackbacks and pingbacks are open.