ଆଗାମୀ ସାଧାରଣତନ୍ତ୍ର ଦିବସରେ କେବଳ ମହିଳାମାନେ କରିବେ ପରେଡ

21

ଆଗାମୀ ୨୦୨୪ ସାଧାରଣତନ୍ତ୍ର ଦିବସ ସ୍ବତନ୍ତ୍ର ଢଙ୍ଗରେ ପାଳନ ହେବାକୁ ଯାଉଛି। ୨୦୨୪ ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ହେବାକୁ ଥିବା ପରେଡ, ପ୍ରଜ୍ଞାପନ ମେଢ ଓ ଅନ୍ୟାନ୍ୟ ନୃତ୍ୟଗୀତରେ କେବଳ ମହିଳାଙ୍କୁ ସାମିଲ କରାଯିବ। କେବଳ ମହିଳାଙ୍କୁ ନେଇ କର୍ତ୍ତବ୍ୟ ପଥରେ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ କରାଯିବା ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନ୍ୟ ସମସ୍ତ ମନ୍ତ୍ରଣାଳୟ ଓ ବିଭାଗକୁ ଅବଗତ କରାଇଛି।

ଗତ ମାର୍ଚ୍ଚରେ ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ବରାଷ୍ଟ୍ର ବିଭାଗ ସଚିବଙ୍କ ସହିତ ଗୃହ ନିର୍ମାଣ, ସହରାଞ୍ଚଳ ବ୍ୟାପାର, ସଂସ୍କୃତି ମନ୍ତ୍ରଣାଳୟ, ପ୍ରତିରକ୍ଷା ମୁଖ୍ୟ ଓ ତିନି ସେନାମୁଖ୍ୟଙ୍କ ନିକଟକୁ ପତ୍ର ଲେଖି ଏ ଦିଗରେ ପ୍ରସ୍ତୁତି ଆରମ୍ଭ କରିବାକୁ କହିଛି। କେବଳ ମହିଳାଙ୍କୁ ନେଇ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ କରାଯିବା ସମ୍ପର୍କରେ ପ୍ରତିରକ୍ଷା ସଚିବ ଗିରିଧର ଅର୍ମାନେଙ୍କ ନେତୃତ୍ବରେ ଫେବୃଆରୀ ୭ରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ କର୍ତ୍ତବ୍ୟ ପଥର ପରେଡ ଉତ୍ସବକୁ‌ କେବଳ ମହିଳାଙ୍କୁ ନେଇ ପାଳନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ଗତ ସାଧାରଣତନ୍ତ୍ର ଦିବସରେ ଭାରତ ସେନା ଏହାର ମହିଳା ଶକ୍ତିର ପ୍ରଦର୍ଶନ କରିଥିଲା। ବାୟୁସେନାର ୧୪୪ଜଣ ବୈମାନିକ ଯେଉଁ ଏୟାର ଶୋ’ କରିଥିଲେ ତାର ନେତୃତ୍ବ ନେଇଥିଲେ ଜଣେ ମହିଳା ଅଧିକାରୀ।

ସେହିପରି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାର ଏହାର ପ୍ରଜ୍ଞାପନ ମେଢରେ ନାରୀଶକ୍ତିର ମହତ୍ତ୍ବକୁ ପ୍ରଦର୍ଶନ କରିଥିଲେ। କେରଳ, କର୍ଣ୍ଣାଟକ, ତାମିଲନାଡୁ, ମହାରାଷ୍ଟ୍ର ଓ ତେଲଙ୍ଗାନା ସରକାରଙ୍କ ପ୍ରଜ୍ଞାପନ ମେଢରେ ନାରୀଶକ୍ତିର ଗୁରୁତ୍ବକୁ ପ୍ରତିପାଦନ କରାଯାଇଥିଲା।

Comments are closed, but trackbacks and pingbacks are open.